କନକ ବ୍ୟୁରୋ : ମୁମ୍ବାଇରେ ଜଣେ ଅବସରପ୍ରାପ୍ତ ନୌସେନା ଅଧିକାରୀ ମଦନ ଶର୍ମାଙ୍କୁ ଶିବସେନାକର୍ମୀଙ୍କ ମାରପିଟ ଘଟଣା ସାମ୍ନାକୁ ଆସିଛି । ୮ରୁ ୧୦ ଜଣ ଶିବସେନାକର୍ମୀ ଅଧିକାରୀଙ୍କୁ ଟଣାଓଟରା କରିବା ସହ ମାଡ ମାରିଥିବାର ଭିଡିଓ ଭାଇରାଲ ହେଉଛି । ଅପସରପ୍ରାପ୍ତ ନୌସେନା ଅଧିକାରୀ ମଦନ ଶର୍ମା ନିଜ ହ୍ୱାଟସଅପ ନମ୍ବରରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ କିଛି ଫଟୋକୁ ଅନ୍ୟ ନମ୍ବରକୁ ଫରୱାର୍ଡ କରିଥିଲେ । ଏହି ଫଟୋ ଗୁଡିକୁ ବ୍ୟଙ୍ଗ କରିଥିବା ଅଭିଯୋଗ ଆଣି ମାଡପିଟ କରିଛନ୍ତି ଶିବସେନାକର୍ମୀ । ଘଟଣାକୁ ନେଇ ଶିବସେନାକୁ ଟାର୍ଗେଟ କରିଛି ବିଜେପି ।
ସେପଟେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଫୋନ କରି ମଦନ ଶର୍ମାଙ୍କ ସହ କଥା ହୋଇଥିବା ସୂଚନା ମିଳିଛି ।ନିଜ ଟ୍ୱିଟରେ ଏନେଇ ରାଜନାଥ ସିଂ ଲେଖିଛନ୍ତି ସେ ମଦନ ଶର୍ମାଙ୍କ ସହ କଥା ହେଲେ ଏବଂ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଲେ । ଜଣେ ପୂର୍ବତନ ନୌସେନା ଅଧିକାରୀଙ୍କ ଉପରେ ଏପରି ଆକ୍ରମଣ ଗ୍ରହଣୀୟ ନୁହେଁ । ଏହା ଏକ ନିନ୍ଦନୀୟ ଘଟଣା ବୋଲି ଲେଖିଛନ୍ତି ରାଜନାଥ ସିଂ । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ମଧ୍ୟ ଶିବସେନାକୁ ସମାଲୋଚନା କରିଛନ୍ତି । ମାମଲାରେ ୬ଜଣ ଅଭିଯୁକ୍ତ ଶିବସେନାକର୍ମୀଙ୍କୁ ଗିରଫ କରାଯାଇଛି । ପରେ ଏମାନଙ୍କୁ ଜାମିନ ମିଳିଛି । ଯାହାକୁ ପୂର୍ବତନ ସେନା ଅଧିକାରୀଙ୍କ ପରିବାର ପକ୍ଷରୁ ବିରୋଧ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/jpg-1.jpg)