କନକ ବ୍ୟୁରୋ: ସରକାର ଓ କମ୍ପାନି ମାଲିକ ଙ୍କ ସଲାସୁତରାରେ ବଳି ପଡ଼ିଗଲେ ଶ୍ରମିକ । କେତେ ମଲେଣି ଆଉ କେତେଜଣ ବିଛଣାରେ ପଡ଼ି ଛଟପଟ ହେଉଛନ୍ତି । ଗୁହାରି ଶୁଣିବାକୁ କେହି ନାହିଁ । ଆଖିରୁ ଲୁହ ଗଡ଼ାଇ ସରକାରଙ୍କୁ ଆକୁଳ ନିବେଦନ କରୁଛନ୍ତି ଆମ କଥା ଟିକେ ଶୁଣ । ଏ ଗୁହାରୀ ହେଉଛି, ଜୟପୁରର ଲାଇଫ ଲାଇନ କୁହାଯାଉଥିବା ପେପର ମିଲ କର୍ମଚାରୀଙ୍କର ।
ଖଟିଆରେ ପଡ଼ିରହିଛନ୍ତି ଜୟପୁର ପେପର ମିଲ୍ ଅବସରପ୍ରାପ୍ତ କର୍ମଚାରୀ ଧୋବୁଲୁ ବାଗ । ମେସିନିଷ୍ଟ ଭାବେ ପେପର ମିଲ୍ରେ ୨୫ ବର୍ଷ କାଳ କାମ କରିଛନ୍ତି । ହେଲେ ଅବସର ପରେ କମ୍ପାନୀ ତାଙ୍କ ପ୍ରତି ଅବିଚାର କରିଛି । ଆଜି ପର୍ଯ୍ୟନ୍ତ ଗ୍ରାଚୁଟି, ବକେୟା ଦରମା ଓ ପେନ୍ସନ୍ ମିଳିନଥିବା ଧୋବୁଲୁ ଅଭିଯୋଗ କରିଛନ୍ତି ।

Advertisment

କୁନିଙ୍କ ସ୍ୱାମୀ ମଧ୍ୟ ଦୀର୍ଘ ବର୍ଷ ଧରି ପେପର ମିଲିରେ କାମ କରିବା ପରେ ଦରମା ନମିଳିବାରୁ ଅବସର ନେଇଥିଲେ । ଚାକିରି ଛାଡିବା ପରେ ପେନସନ୍ ମିଳିବ ବୋଲି କୁହାଯାଇଥିଲା । ପେନସନ୍କୁ ଅପେକ୍ଷା କରି କରି ସେ ଚାଲିଗଲେ, ହେଲେ ସରକାର କିଛି କଲେ ନାହିଁ କି କମ୍ପାନୀ କର୍ତୃପକ୍ଷ କିଛି ଦେଲେ ନାହିଁ ବୋଲି ଅଭିଯୋଗ କରିଛନ୍ତି କୁନି ।

୧୯୮୧ ମସିହାରୁ ଜୟପୁରରେ ପେପର ମିଲ ସ୍ଥାପନ କରାଯାଇଛି । ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ୫ ହଜାର କର୍ମଚାରୀ ରୋଜଗାର ପାଉଥିଲେ । ୨୦୧୫ରୁ ମିଲରେ ସଂକଟ ଦେଖାଦେଲା, ଧିରେ ଧିରେ ଏହା ବନ୍ଦ ହେବାକୁ ଲାଗିଲା । ମାନ୍ଦାବସ୍ଥା ଯୋଗୁଁ ଥାପର ଗ୍ରୁପ୍ ହାତରୁ ଏମ.ଆର.ପି.ଏଲ ସଂସ୍ଥା ହାତକୁ ଚାଲିଯାଇଛି କମ୍ପାନୀ । ଏହାପରେ ଆରମ୍ଭ ହୋଇଯାଇଛି ଶ୍ରମିକମାରଣ ନୀତି । କର୍ମଚାରୀ ବକେୟା ଦରମା ଦେଲା ନାହିଁ କି ମୃତ୍ୟୁ ବରଣ କରିଥିବା କର୍ମଚାରୀଙ୍କୁ ଟଙ୍କାଟିଏ ମିଳିନଥିବା ଅଭିଯୋଗ ହୋଇଛି । କଂଚାମାଲ ଅଭାବରୁ ୩ ମାସ ହେଲା କାରଖାନରେ ପ୍ରଡକ୍ସନ ବନ୍ଦ ରହିଛି । କର୍ମଚାରୀ ରୋଜଗାର ହରାଇଥିବା ବେଳେ ପାଉଣା ପାଇଁ ବାରମ୍ବାର ଆନ୍ଦୋଳନକୁ ଓହ୍ଲାଉଛନ୍ତି । ଆନ୍ଦୋଳନକାରୀଙ୍କ କହିବା ଅନୁସାରେ, କମ୍ପାନି ମାଲିକ ଓ ରାଜ୍ୟ ସରକାରଙ୍କ ସଲାସୁତରାରେ ଛନ୍ଦି ହୋଇପଡ଼ିଛନ୍ତି ଜୟପୁର ପେପର ମିଲ୍ କର୍ମଚାରୀ ।