କନକ ବ୍ୟୁରୋ: ଆଜିର ଏହି ବ୍ୟସ୍ତ ବହୁଳ ଦୁନିଆରେ ସମସ୍ତେ ନିଜ କାମରେ ବ୍ୟସ୍ତ । ପର ପାଇଁ ଅର୍ଥ ତ ଦୁରର କଥା ପାଖରେ ଠିଆ ହେବାକୁ ବି କୁଣ୍ଠାବୋଧ କରନ୍ତି ସମସ୍ତେ । କିନ୍ତୁ ଆଜିର ଦୁନିଆରେ ଏପରି ଲୋକ ଅଛନ୍ତି , ଯିଏକି ନିଜ ଜନ୍ମମାଟିର ବିକାଶ ପାଇଁ କଷ୍ଟ କରି ନିଜେ ଅର୍ଜିତ କରିଥିବା ସମସ୍ତ ଧନକୁ ବି ପାଣି ପରି ବୁହାଇ ଦେଇ ପାରନ୍ତି । ଏପରି ହିଁ ଜଣେ ନିଆରା ବ୍ୟକ୍ତି ହେଲେ କେନ୍ଦୁଝର ପାଟଣାବ୍ଲକ ରାଜନଗର ଗାଁର ଅବସରପ୍ରାପ୍ତ ସେନା କର୍ମଚାରୀ ଶରତ କର ।
ନିଜର ବଦାନ୍ୟତା ପାଇଁ ଶରତ କର ଆଜି ସମଗ୍ର ଅଂଚଳରେ ଜଣେ ନିଆରା ବ୍ୟକ୍ତିତ୍ୱର ଅଧିକାରୀ ହୋଇପାରିଛନ୍ତି । ନିଜ ଗାଁ ସ୍କୁଲ ଓ କଲେଜରୁ ଶିକ୍ଷା ଲାଭ କରିବା ପରେ ସେ ଦେଶ ମାତୃକାର ସେବା ପାଇଁ ଯୋଗ ଦିଅନ୍ତି ଭାରତୀୟ ସେନା ବାହିନୀରେ । ବାୟୁସେନାର ୱାରେଂଟ ଅଫିସର ଭାବେ କାର୍ଯ୍ୟରତ ସମୟରେ ୨୦୧୨ ମସିହାରେ ଚାକିରିରୁ ଅବସର ଗ୍ରହଣ କରିଥିଲେ । ସେ ସମୟରେ ନିଜର ଅବସର କାଳୀନ ସଂଚୟ ଭାବେ ଲକ୍ଷାଧିକ ଟଙ୍କା ପାଇଥିଲେ । ଯାହାକୁ ସେ ଚାହିଁଥିଲେ ସହରରେ ଭଲ ଘରଦ୍ୱାର କରି ସୁଖ ସ୍ୱାଛନ୍ଦର ଜୀବନ ଅତିବାହିତ କରିପାରିଥାନ୍ତେ । କିନ୍ତୁ ନିଜ ଜନ୍ମମାଟିର ମୋହ ତାଙ୍କୁ ନିଜ ଗାଁକୁ ଫେରାଇ ଆଣିଥିଲା । ଅବସର ପରେ ଗାଁକୁ ଫେରି ଗ୍ରାମର ଅବହେଳିତ ଅବସ୍ଥା ତାଙ୍କୁ ବ୍ୟଥିତ କରିଥିଲା । ନିସନ୍ତାନ ଥିବା ଶରତ ଏବଂ ତାଙ୍କ ପତ୍ନୀ ଗାଁର ବିକାଶକୁ ନିଜର ବ୍ରତ ଭାବେ ଗ୍ରହଣ କରିନେଲେ ।
ସେହିଦିନଠାରୁ ନିଜର ସଂଚିତ ସମସ୍ତ ଧନକୁ ସେମାନେ ଗାଁର ବିକାଶରେ ଖର୍ଚ୍ଚ କରି ଚାଲିଛନ୍ତି । ବୈତରଣୀ ନଦୀ କୁଳରେ ଶବଦାହ କଲେ ବହୁ ମୃତକର ଆତ୍ମା ସ୍ୱର୍ଗ ପ୍ରାପ୍ତି ହେଉଥିବା ବିଶ୍ୱାସରେ ନିଜ ଗାଁ ନିକଟରେ ବହିଯାଇଥିବା ବୈତରଣୀ କୁଳରେ ଥିବା ଶ୍ମଶାନ ଅବହେଳିତ ହୋଇପଡିଥିଲା । ଖରାବର୍ଷାରେ ଶବଦାହବେଳେ ଲୋକମାନେ ଅସୁବିଧାର ସମ୍ମୁଖିନ ହେଉଥିବାରୁ ୪ଲକ୍ଷ ଟଙ୍କା ବ୍ୟୟରେ ଶ୍ମଶାନରେ ଏକ ବିଶ୍ରାମ ଗୃହ ନିର୍ମାଣ କରିଛନ୍ତି । ଏହାସହ ଶବଦାହ ପରେ ଶ୍ମଶାନ ଘାଟରେ ଗାଧୋଇବା ଅସୁବିଧା ହେଉଥିବାରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ସର୍ବସାଧାରଣଙ୍କ ପାଇଁ ପାହାଚ ମଧ୍ୟ ନିର୍ମାଣ କରିଛନ୍ତି । ଜିଲ୍ଲାର ପ୍ରସିଦ୍ଧ ରଘଉନାଥଜିଉ ମଠ ନିଜ ଗାଁରେ ଥିବାବେଳେ ଏଠାକୁ ବର୍ଷତମାମ ବହୁ ପର୍ଯ୍ୟଟକ ଏବଂ ସାଧୁସନ୍ଥ ଆସିଥାନ୍ତି । କିନ୍ତୁ ଏମାନଙ୍କ ବିଶ୍ରାମ ପାଇଁ ଗୃହ ନଥିବାରୁ ସେଠାରେ ଏକ ଧର୍ମଶାଳା ମଧ୍ୟ ନିର୍ମାଣ କରିଛନ୍ତି ଶରତ ।
ଖାଲି ସେତିକି ନୁହଁ ନିଜ ଗାଁ ତଥା ଆଖପାଖ ଗାଁରେ ଛୋଟବଡ ଯେତେ ସବୁ ବିକାଶ ମୂଳକ କାର୍ଯ୍ୟ ରହିଛି ତାକୁ ହାତକୁ ନେଇ ନିଜସ୍ୱ ଅର୍ଥରେ ସେସବୁ କାର୍ଯ୍ୟ କରୁଛନ୍ତି । ଶିବ ମନ୍ଦିର ପାଚେରୀ ଓ ମୁଖଶାଳା, ଗାଁ ମନ୍ଦିରରେ ଲକ୍ଷ୍ମିମଣ୍ଡପ, ଦୋଳମଣ୍ଡପ, ଖୁଦୁରୁକୁଣି ମନ୍ଦିର,ଭାଗବତ ଟୁଙ୍ଗି,ଗ୍ରମାଦେବୀ ମନ୍ଦିର ପାଚେରୀ, ଦଧିବାମନ ମନ୍ଦିର ମୁଖଶାଳା, ଅନ୍ଧାରୀ ମନ୍ଦିର ପାଚେରୀ, ରାଇକଳା କିର୍ତନ ମଣ୍ଡପ, ଶାସନସାହି ଦୋଳ ମଣ୍ଡପ, ମଙ୍ଗଳା ମନ୍ଦିର ଆଦି ବହୁ ବିକାଶ ମୂଳକ କାର୍ଯ୍ୟ ନିଜ ଅର୍ଥରେ ନିର୍ମାଣ କରିଛନ୍ତି ଶରତ । ତେବେ ଏହି ସବୁ କାର୍ଯ୍ୟରେ ପାଖାପାଖି ୪୦ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଥିବାବେଳେ ଆଗକୁ ଆହୁରି ବହୁତ କାମ କରିବାକୁ ମନସ୍ଥ କରିଛନ୍ତି ଶରତ ।
ତେବେ ଅବସର ପରେ ଯାହା ବି କିଛି ପାଇଥିଲେ ପ୍ରାୟ ସମସ୍ତ ଅର୍ଥ ନିଜ ଜନ୍ମମାଟିର ବିକାଶରେ ଖର୍ଚ୍ଚ କରି ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି ଶରତ । ନିଜର କୌଣସି ସନ୍ତାନସନ୍ତତି ନଥିବାରୁ ସମଗ୍ର ଗାଁକୁ ସେ ନିଜ ପରିବାର ବୋଲି ବିବେଚନା କରୁଥିବା କହିଛନ୍ତି । । ଏପରି କାର୍ଯ୍ୟ କରି ନିଜକୁ ଆତ୍ମସନ୍ତୋଷ ମିଳୁଥିବା କହିଛନ୍ତି ଅବସରପ୍ରାପ୍ତ ସେନା କର୍ମଚାରୀ ଶରତ କର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/09/KEONJHAR.jpg)
/kanak/media/post_attachments/wp-content/uploads/2019/09/Screen-Shot-2019-09-16-at-8.53.39-AM-300x179.png)
/kanak/media/post_attachments/wp-content/uploads/2019/09/Screen-Shot-2019-09-16-at-8.54.01-AM-300x181.png)
/kanak/media/post_attachments/wp-content/uploads/2019/09/Jajpur-Kendujhar-Sarat-Kar.jpg3_-750x375-300x150.jpg)