କନକ ବ୍ୟୁରୋ : କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାରେ ବଡ ଖୁଲାସା କରିଛି ପୋଲିସ । ମାନସଙ୍କ ହତ୍ୟା ପଛରେ ରହିଛି ବଡବଡିଆଙ୍କ ହାତ । ଅବସରପ୍ରାପ୍ତ ଓଡିଶା ଇନଫର୍ମେସନ ସର୍ଭିସର ଅଧିକାରୀ ନିରଞ୍ଜନ ସେଠୀଙ୍କ ଛତ୍ରଛାୟାରେ ରହିଥିଲେ ମାନସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ । ମାନସଙ୍କ ଅପହରଣଠାରୁ ଆରମ୍ଭ କରି, ହତ୍ୟା ଓ ପରେ ଶବକୁ ଲୁଚାଇବା ପର୍ଯ୍ୟନ୍ତ ସବୁ ଜାଗାରେ ଉପସ୍ଥିତ ଥିଲେ ଏହି ନିରଂଜନ ସେଠୀ । ଗିରଫ କରି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ହେଲେ ମୁହଁ ଫୁଟାଣୀ ମାରି ଏହି ଅବସରପ୍ରାପ୍ତ ଅଧିକାରୀ କହିଛନ୍ତି, ମୁଁ ହତ୍ୟାକାରୀ ନୁହେଁ ।

Advertisment

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାରେ ବଡ ଖୁଲାସା । ଶର୍ମିଷ୍ଠା ସହ ଷଡଯନ୍ତ୍ର କରିଥିଲେ ଉଚ୍ଚପଦସ୍ଥ ଅଫିସର ନିରଞ୍ଜନ ସେଠୀ । ଷଡଯନ୍ତ୍ର କରିଥିଲେ, ସବୁ କ୍ରାଇମ ସିନରେ ବି ଉପସ୍ଥିତ ଥିଲେ । କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କ ହତ୍ୟା ପଛରେ ବଡ ବଡିଆଙ୍କ ହାତ ଥିବା ଯାହା ସନ୍ଦେହ କରାଯାଉଥିଲା ତାହା ସତ ହୋଇଛି ।

ପାୱାର କରିଡରରେ ଶକ୍ତିଶାଳୀ ଥିବା ଶର୍ମିଷ୍ଠା ରାଉତଙ୍କ ମୁଣ୍ଡ ଉପରେ ରହିଥିଲା ଅବସରପ୍ରାପ୍ତ ଓଡିଶା ଇନଫର୍ମେସନ ସର୍ଭିସର ଅଧିକାରୀ ନିରଞ୍ଜନ ସେଠୀଙ୍କ ହାତ । ନିରଞ୍ଜନ ଥିଲେ, ଓଡିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ । ଆଉ ନିରଞ୍ଜନଙ୍କ ଛତ୍ରଛାୟା ତଳେ ରହି ମାନସ ସ୍ୱାଇଁଙ୍କ ହତ୍ୟାକାଣ୍ଡ ଘଟାଇଥିଲେ ଶର୍ମିଷ୍ଠା । ବଡ କଥା ହେଉଛି ମାନସଙ୍କ ଅପହରଣଠାରୁ ଆରମ୍ଭ କରି, ହତ୍ୟା ଓ ପରେ ଶବକୁ ଲୁଚାଇବା ପର୍ଯ୍ୟନ୍ତ ସବୁ କ୍ରାଇମ ସିନରେ ଉପସ୍ଥିତ ଥିଲେ ଏହି ବାବୁ ।

ନିରଞ୍ଜନଙ୍କ ବିରୋଧରେ ପ୍ରମାଣ ପାଇବା ପରେ ତାଙ୍କୁ ଗିରଫ କରିଛି ପୁଲିସ । ଏଥିସହ ପୋଲିସ ଯେଉଁ ସୂଚନା ଦେଇଛି ତାହା ଚମକାଇ ଦେବା ଭଳି । ପୋଲିସର କହିବା ଅନୁସାରେ ମାନସ ଭୁବନେଶ୍ୱରରେ ରହି ହତ୍ୟାକାଣ୍ଡ ପାଇଁ ଷଡଯନ୍ତ୍ର କରିଥିଲେ ନିରଞ୍ଜନ । ମାନସଙ୍କୁ ଚାନ୍ଦବାଲିରୁ ଅପହରଣ କରିବା ପରେ ଦୟାଲ ଆଶ୍ରମରେ ତାଙ୍କୁ ମାଡ଼ ମାରିବାବେଳେ ବି ଉପସ୍ଥିତ ଥିଲେ । ମାଡ ବି ମାରିଥିଲେ । ଏଥିସହ ପ୍ରମାଣ ନଷ୍ଟ ପାଇଁ ନୟାଗଡ଼ରେ ମୃତଦେହ ଲୁଚାଇବାରେ ନିରଞ୍ଜନଙ୍କ ଭୂମିକା ରହିଥିଲା ।

ସୂଚନା ଓ ଲୋକସମ୍ପର୍କ ବିଭାଗରେ କାର୍ଯ୍ୟରତ ଥିଲେ ନିରଞ୍ଜନ ସେଠୀ । ଟେକ୍ନିକାଲ ଡାଇରେକ୍ଟର ଭାବେ ଗତ ଫେବ୍ରୁଆରୀ ମାସରେ ଅବସର ନେଇଥିଲେ ନିରଞ୍ଜନ । ଆଉ ଶର୍ମିଷ୍ଠାଙ୍କ ଗଡଫାଦର ଭଳି କାମ କରୁଥିଲେ । ଶର୍ମିଷ୍ଠାଙ୍କ ସଂସ୍ଥା ‘ସମ୍ପୂର୍ଣ୍ଣ’କୁ ଅବସର ପୂର୍ବରୁ ଏମପ୍ୟାନେଲ କରିଥିଲେ ନିରଞ୍ଜନ । ଏମପ୍ୟାନେଲ କରିବା ଅର୍ଥ- ସରକାରଙ୍କ ତରଫରୁ ଏହି ସଂସ୍ଥାକୁ ବିଜ୍ଞାପନ ଆକାରରେ ଟଙ୍କା ମିଳିବ । ପ୍ରଶ୍ନ ଉଠୁଛି, ଶର୍ମିଷ୍ଠାଙ୍କ ସହ ନିରଞ୍ଜନଙ୍କ କଣ ଥିଲା ସମ୍ପର୍କ । କାହିଁକି ଓଡିଶା ସରକାରଙ୍କ ଜଣେ ଉଚ୍ଚପଦସ୍ଥ ଅଧିକାରୀ ଶର୍ମିଷ୍ଠାଙ୍କୁ ଏତେ ଅନୁକମ୍ପା ଦେଖାଉଥିଲେ । ତାଙ୍କ ଚାକିରୀର ମାତ୍ର ଦୁଇ ଦିନ ପୂର୍ବରୁ ସମ୍ପୂର୍ଣ୍ଣକୁ ଏମପ୍ୟାନେଲ କରି ସେ ଅବସର ନେଇଥିଲେ ।

ମାନସ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗରେ ଏପର୍ଯ୍ୟନ୍ତ ୫ଜଣଙ୍କୁ ଗିରଫ କରାଯାଇଛି । ୧୨ତାରିଖରେ ୩ଜଣଙ୍କୁ ଗିରଫ କରାଯାଇଥିବାବେଳେ ସୋମବାର ଆଉ ଦୁଇ ଜଣଙ୍କୁ ଗିରଫ କରିଛି ପୁଲିସ । କିନ୍ତୁ ଶର୍ମିଷ୍ଠାଙ୍କ ବିଷୟରେ ଏବେ ବି ପୁଲିସ ଟେର ପାଉନାହିଁ ।