ଜୀବନ-ଯନ୍ତ୍ରଣାରେ ବିତିଗଲାଣି ୩୫ ବର୍ଷ । ମାନସିକ ଭାରସାମ୍ୟ ହରାଇ ୨୭ ବର୍ଷ ହେବ ପାଇଖାନାରେ ପଡି ରହିଛି ପୁଅ।

63

କନକ ବ୍ୟୁରୋ: ଜାଲି ଏପାଖେ ଜୀବନ, ଜାଲି ସେପାଖେ ଯନ୍ତ୍ରଣା । ଲୁହା କବାଟର ପ୍ରତିଟି ଛଡରେ ଲୁହର ଛିଟା । କିଛି ଲୁହ ବିକାଶଙ୍କର, ଆଉ କିଛି ଲୁହ ବାପାମାଆଙ୍କର । ସବୁ ଦୁଃଖ, ସବୁ କଷ୍ଟ ଆଉ ଅସହାୟତାର ଏକମାତ୍ର ସାକ୍ଷୀ ଏଇ ଲୁହାର କବାଟ । କାରଣ ଦୀର୍ଘ ୩୫ ବର୍ଷ ହେବ ମାନସିକ ଭାରସାମ୍ୟ ହରାଇ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ବିକାଶ ଆଉ ଏ ପାଇଖାନା ଘରୁ ଗାଉଛନ୍ତି ପ୍ରଭୁଙ୍କ ଭଜନ…

କେନ୍ଦ୍ରାପଡା ଜିଲ୍ଲା କପାଳେଶ୍ୱର ଗାଁର ବିକାଶ ମହାନ୍ତି । ମାନସିକ ଭାରସାମ୍ୟ ହରାଇ ୨୭ ବର୍ଷ ହେବ ପାଇଖାନା ଘରେ ଜୀବନ ବିତାଉଛନ୍ତି । ବିକାଶ ବିଏ ପଢିଛନ୍ତି । ୧୯୯୪ ମସିହାରେ ଫାଇନାଲ ପରୀକ୍ଷା ଦେଉଥିବା ବେଳେ ନିଜ ମାନସିକ ସ୍ଥିତାବସ୍ଥା ହରାଇ ବସିଥିଲେ । କେବଳ ଆଧ୍ୟାତ୍ମିକ କଥା କହୁଥିଲେ । ନିଜ ଲୋକଙ୍କ ସହ ପର ଲୋକଙ୍କୁ ମାରଧର ବି କରୁଥିଲେ । ଗାଁଗଣ୍ଡାରେ ଲୋକଙ୍କ ଘରେ ପଶି ଖାଇଯାଉଥିଲେ । ଦିନକୁ ଦିନ ତାଙ୍କ ପାଗଳାମୀ ବଢିବାରୁ ପରିବାର ଲୋକେ ବାଧ୍ୟ ହୋଇ ତାଙ୍କୁ ଘରେ ଶିକୁଳି ପକାଇ ରଖିଥିଲେ । ଆଉ ପରବର୍ତ୍ତୀ ସମୟରେ ପାଇଖାନା ଘରେ ଚାବି ପକାଇ ରଖିଛନ୍ତି ।

ବିକାଶଙ୍କ ବାପା ବାମନ ଚରଣ ମହାନ୍ତି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଅଫିସରେ ପିଅନ ଥିଲେ । ଦୀର୍ଘ ୧୫ ବର୍ଷ ହେବ ସେ ଅବସର ନେଲେଣି । ବାମନଙ୍କର ବିକାଶ ହେଉଛନ୍ତି ଏକମାତ୍ର ପୁଅ । ବାକି ୪ ଜଣ ଝିଅ ବାହାଘର ହୋଇଯାଇଛି । ପୁଅର ଏ ଅବସ୍ଥା ପାଇଁ ବାପା ଅନେକ ସ୍ଥାନରେ ଦେଖାଇ ସାରିଥିବା ବେଳେ ଭଲ କରିବାକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ବି କରିଛନ୍ତି । ହେଲେ ସବୁ ପ୍ରଚେଷ୍ଟା ପରେ ଯେତେବେଳେ କିଛି ଉନ୍ନତି ହେଲାନି ସେତେବେଳେ ବାଧ୍ୟ ହୋଇ ଏଇ ପାଇଖାନା ଘରେ ପୁଅ ବନ୍ଦୀ କରି ରଖିଛନ୍ତି ।

ବୁଢାବାପା ବାମନଙ୍କ ଦୁଃଖ କହିଲେ ନସରେ । ଗୋଟେ ପଟେ ପୁଅର ଅବସ୍ଥା ଏମିତି ଅନ୍ୟପଟେ ସ୍ତ୍ରୀ ଶଯ୍ୟାଶାୟୀ । ରୋଗରେ ପଡି ସ୍ତ୍ରୀଙ୍କ ଅବସ୍ଥା ଧିରେଧିରେ ବିଗୁଡୁଛି । ଏଇ ବୟସରେ ଏକାଏକା ପୁଅର ସେବା କରିବା ସହ ସ୍ତ୍ରୀର ସେବା କରୁଛନ୍ତି ବୟସ୍କ ବୃଦ୍ଧ । ସହାୟତା ପାଇଁ ଜିଲ୍ଲାପାଳଙ୍କୁ ନେହୁରା ହେଲେବି କିଛି ସୁଫଳ ମିଳୁନଥିବା କହିଛନ୍ତି ବୃଦ୍ଧ । ସତରେ ବୁଢା ବୟସରେ ଜଣେ ବାପାଙ୍କୁ ଏତେ କଷ୍ଟ ସହିବାକୁ ପଡିବା ତାହା ଭାବିଲା ବେଳକୁ ଆଖି ଓଦା ହୋଇଯାଉଛି ।