ପୁଣି ଅନ୍ତର୍ଜାତୀୟ ଉଡ଼ାଣ ଉପରେ ରୋକ, ଅଗଷ୍ଟ ୩୧ ଯାଏଁ ପ୍ରତିବନ୍ଧକ ଲଗାଇଲା ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ

253

କନକ ବ୍ୟୁରୋ : ଦେଶରେ କରୋନାର ତୃତୀୟ ଲହରକୁ ନଜରରେ ରଖି ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ପୁଣି ପ୍ରତିବନ୍ଧକ ଲଗାଯାଇଛି  । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ର ସୂଚନା ମୁତାବକ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବନ୍ଦ ରହିବ । ହେଲେ ଏହି ପ୍ରତିବନ୍ଧକ ଅନ୍ତରାଷ୍ଟ୍ରୀୟ କାର୍ଗୋ ବିମାନ ଚଳାଚଳ ପାଇଁ ଲାଗୁ ହେବ ନାହିଁ । ଏହାସହ ମନୋନୀତ ଦେଶଗୁଡିକ ସହ ଦ୍ୱିପାକ୍ଷିକ ଏୟାର ବବଲ୍ଲ ଚୁକ୍ତିନାମା ମୁତାବକ ଚାଲୁଥିବା ବିମାନ ଚଳାଚଳ ଜାରି ରହିବ । କହିରଖୁକି କରୋନା ମହାମାରୀ ଆରମ୍ଭରୁ ଅନ୍ତର୍ଜାତୀୟ ବିମାନ ବାଣିଜ୍ୟିକ ଯାତ୍ରୀ ବିମାନ ଚଳାଚଳ ସ୍ଥଗିତ ରଖା ଯାଇଛି ।

ଅନ୍ୟପଟେ ବିଦେଶରେ ଫସିରହିଥିବା ପ୍ରବାସୀ ଭାରତୀୟ ମାନଙ୍କୁ ଦେଶକୁ ଫେରାଇ ଆଣିବାକୁ ୨୦୨୦ ମେ ଠାରୁ ସରକାର ଆରମ୍ଭ କରିଥିବା ‘ବନ୍ଦେ ଭାରତ ମିଶନ’ ଅଧିନରେ ସ୍ୱତନ୍ତ୍ର ଅନ୍ତର୍ଜାତୀୟ ବିମାନ ଉଡାଣ ଜାରି ରହିଛି । ଏନେଇ ଭାରତ ସରକାର ବିଭିନ୍ନ ଦେଶ ସହ ଏୟାର ବବଲ୍ଲ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି ।

ସେହିପରି ଡିଜିସିଏ ପକ୍ଷରୁ କୁହାଯାଇଛି କି ସମସ୍ତ ବିମାନବନ୍ଦର ଅପରେଟରଙ୍କୁ ନିର୍ଦ୍ଦେଶ ଦିଆଯାଇଛି କି, ବିମାନରେ ଯାତ୍ରା କରୁଥିବା ଯାତ୍ରୀ ଓ ଏୟାରପୋର୍ଟ ମଧ୍ୟକୁ ପ୍ରବେଶ କରୁଥିବା ବ୍ୟକ୍ତିମାନେ କୋଭିଡ କଟକଣା ପାଳନ କରୁଛନ୍ତି କି ନାହିଁ ତାହା ଉପରେ କଡା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।