ସାବଧାନ ହୋଇଯାଆନ୍ତୁ ପୁରୋହିତ, ମଣ୍ଡପ ମାଲିକ ଏବଂ ବ୍ୟାଣ୍ଡ ବାଜା ମାଲିକ । ବେଆଇନ୍ ବାଲ୍ୟବିବାହରେ ମନ୍ତ୍ରପଢିଲେ କି ହାତଗଣ୍ଠି ପକାଇଲେ ବନ୍ଧା ହୋଇପାରନ୍ତି ପୁରୋହିତ । ସମାନ ନିୟମ ମଣ୍ଡର ମାଲିକ ଏବଂ ବ୍ୟାଣ୍ଡ ବାଜା ମାଲିକଙ୍କ ଉପରେ ବି ଲାଗୁ ରହିବ ।
ବାଲ୍ୟବିବାହ ବେଆଇନ୍ । ୧୮ବର୍ଷରୁ କମ୍ ଝିଅକୁ କିମ୍ବା ୨୧ବର୍ଷରୁ କମ ପୁଅ ମୁଣ୍ଡରେ ସଂସାର ବୋଝ ଲଦିବା ହେଉଛି ଦଣ୍ଡନୀୟ ଅପରାଧ। ୨୦୦୬ମସିହାରୁ ଏମିତି ଆଇନ ଅଛି। ତେବେ ଆଇନକୁ କଡ଼ାକଡ଼ି ପାଳନ କରିବା ପାଇଁ ଅନୁଗୁଳ ଜିଲ୍ଲାପାଳ ସୋମବାର ଜିଲ୍ଲାର ସବୁ ସରପଞ୍ଚମାନଙ୍କୁ ଚିଠି ଲେଖିଛନ୍ତି। ଦର୍ଶାଇଛନ୍ତି, ନାବାଳିକା ବାହାଘର ପାଇଁ ତାଙ୍କ ବାପା, ମା ଯେତିକି ମାତ୍ରାରେ ଦାୟୀ, ନାବାଳିକାଙ୍କ ହାତଗଣ୍ଠି ପକାଇଥିବା ପୁରୋହିତ ମଧ୍ୟ ଅନୁରୂପ ପରିମାଣରେ ଦୋଷୀ। ତେଣୁ, ବାହାଘର କରିବା ପୂର୍ବରୁ ପୁରୋହିତମାନେ ବର-କନ୍ୟାଙ୍କ ବୟସ ତନଖନ୍ତୁ। ବେଦିରେ ବସିଲା ବେଳକୁ ବର-କନ୍ୟାଙ୍କର ବୟସ କେତେ ତାହା ଜାଣିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।
ପୁରୋହିତମାନଙ୍କୁ ନୁହେଁ, ବାହାଘର ପାଇଁ କଲ୍ୟାଣ ମଣ୍ଡପ ଅନୁମତି ଦେଉଥିବା ମାଲିକମାନଙ୍କୁ ବି ଜିଲ୍ଲାପାଳ ସତର୍କ କରାଇ ଦେଇଛନ୍ତି। ବାହାଘରରେ ସାମିଲ୍ ଗାଡ଼ିର ମାଲିକ, ବ୍ୟାଣ୍ଡ୍ ପାର୍ଟିକୁ ବି ଜିଲ୍ଲାପାଳ ଏ ଚିଠିରେ ସଚେତନ କରାଇ, ପରୋକ୍ଷରେ ଅନୁଗୁଳ ଜିଲ୍ଲା କେମିତି ବାଲ୍ୟ ବିବାହ ମୁକ୍ତ ହେବ ତାହାର ଉତ୍ତର ଦାୟିତ୍ବ ମୁଣ୍ଡାଇଛନ୍ତି।
ବାଲ୍ୟ ବିବାହ ବିରୋଧ ଆଇନ୍-୨୦୦୬ କହୁଛି, ଝିଅକୁ ୧୮ବର୍ଷ ବୟସ ନ ହେଲେ ତାଙ୍କୁ ବିବାହ ବନ୍ଧନରେ ବାନ୍ଧି ହେବ ନାହିଁ। ବର ପାଇଁ ମଧ୍ୟ ଅନୁରୂପ ବୟସ ଧାର୍ୟ୍ୟ ହୋଇଛି। ପୁଅକୁ ୨୧ବର୍ଷ ବୟସରୁ କମ୍ ହେଲେ ସେ ମଧ୍ୟ ବିବାହ ପାଇଁ ଅନୁଯୁକ୍ତ। ୧୫ବର୍ଷ ତଳୁ ସରକାର ଏ ପ୍ରକାର ଆଇନକୁ ଯଦିଓ ଲାଗୁ କରିଛନ୍ତି, ତଥାପି ଗାଁ ଗଣ୍ଡାରେ ତା’ର ଅନୁପାଳନ ହେଉନାହିଁ। ଗତ ଲକ୍ଡାଉନ୍ ସମୟରେ ଅନୁଗୁଳ ଜିଲ୍ଲାର ଗାଁ ଗଣ୍ଡାରେ ଚାଲିଥିବା ସିରିଜ୍ ନାବାଳିକା ବିବାହର ଆୟୋଜନ, ବାଲ୍ୟବିବାହକୁ ନେଇ ସଚେତନତାର ଅଭାବକୁ ପଦାକୁ ଆଣିଥିଲା। ଗତ ଦୁଇ ମାସ ମଧ୍ୟରେ ୧୩ଟି ବାଲ୍ୟ ବିବାହ କଥା ପ୍ରଶାସନ ସାମ୍ନାକୁ ଆସିଥିଲା।
ଅଙ୍ଗନବାଡ଼ି କର୍ମୀ, ପୁଲିସର ସମନ୍ବୟରେ ଯଦିଓ ଏହି ବାଲ୍ୟ ବିବାହକୁ ବନ୍ଦ କରାଯାଇଛି, ତଥାପି ଲୁଚାଛପାରେ ଅନେକ ନାବାଳିକଙ୍କର ହାତଗଣ୍ଠି ପଡ଼ିଛି। ଯେଉଁ ବିବାହରେ କୌଣସି ବିରୋଧାଭାଷ ନ ହେଲା, ସେହି ବାହାଘର ସବୁ ଧୁମ୍ଧାମ୍ରେ ବର କନ୍ୟାଙ୍କୁ ବେଦିରେ ହାତଗଣ୍ଠି ପକାଇ କରାଯାଇଛି ।
ଯେଉଁଥିପାଇଁ ଜିଲ୍ଲାପାଳ ଚିଠି ଲେଖି, ଟେଣ୍ଟ୍ ହାଉସ୍ ମାଲିକ, ଗାଡ଼ି ଓ କ୍ୟାଟେରିଂ ମାଲିକଙ୍କ ଉଦ୍ଦେଶ୍ୟରେ ଏ ସତର୍କପୂର୍ଣ୍ଣ ଚିଠି ଲେଖି ସରପଞ୍ଚଙ୍କ ନିକଟକୁ ପଠାଇଛନ୍ତି । ନିଜ ଅଞ୍ଚଳର ଏହି ସବୁ ମାଲିକମାନଙ୍କୁ ବାଲ୍ୟବିବାହ ଆଇନ୍ ସମ୍ପର୍କରେ ସଚେତନ କରାଇବା ପାଇଁ ଚିଠିରେ ସ୍ପଷ୍ଟ କରାଯାଇଛି ।
କେବଳ ଅନୁଗୁଲ ଜିଲ୍ଲା ନୁହେଁ ରାଜ୍ୟରେ ଏମିତି ଅନେକ ସ୍ଥାନ ଅଛି, ଯେଉଁଠି ଲୁଚାଛପାରେ ବାଲ୍ୟବିବାହ କରାଯାଉଛି । ତେଣୁ ଏହା ଉପରେ ଯଦି ସ୍ଥନୀୟ ପ୍ରଶାସନ ନଜର ରଖନ୍ତା ତେବେ ଅନେକ କୁନି ପିଲାଙ୍କ ଜୀବନ ବରବାଦ ହେବାରୁ ରୋକି ହୁଅନ୍ତା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/26-7.jpg)