କରୋନା ପାଇଁ ସତର୍କତା: ପୁରୀ ଜଗନ୍ନାଥ ମନ୍ଦିର ପରେ କାକଟପୁର ମଙ୍ଗଳା ମନ୍ଦିରରେ କଟକଣା; ମନ୍ଦିରକୁ ଭିତରକୁ ଯିବାକୁ ଭକ୍ତଙ୍କୁ ବାରଣ, ସମଲେଶ୍ୱରୀ ମନ୍ଦିରରେ ବି ଦର୍ଶନ ଉପରେ କଟକଣା

440

କନକ ବ୍ୟୁରୋ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟର ପ୍ରମୁଖ ମନ୍ଦିର ଗୁଡିକରେ ଜାରି ହୋଇଛି କଟକଣା । ପୁରୀ ଶ୍ରୀମନ୍ଦିରରେ ଭକ୍ତମାନେ ଘୋଷଣା ପତ୍ର ଦେଇ ଭିତରକୁ ଯାଇଥିବାବେଳେ ସମ୍ବଲପୁରର ସମଲେଶ୍ୱରୀ ମନ୍ଦିରରେ ଭକ୍ତ ଓ ସେବାୟତଙ୍କ ପାଇଁ କିଛି ନିୟମ ପ୍ରଣୟନ ହୋଇଛି । ଠିକ ସେହିପରି କପିଳାସ ମନ୍ଦିରରେ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ଉପରେ ଜିଲ୍ଲା ପ୍ରଶାସନ ନଜର ରଖିବାକୁ ଦାବି କରିଛନ୍ତି ସେବାୟତ ।

କରୋନା ନେଇ ସମ୍ବଲପୁରରେ ପ୍ରସିଦ୍ଧ ସମଲେଶ୍ୱରୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଲାଗିଲା କଟକଣା । ମନ୍ଦିର ପ୍ରଶାସନ ପକ୍ଷରୁ ଏହି କଟକଣା ଲାଗୁ କରାଯାଇଛି । ଆଜି ଗମ୍ଭୀରା ଭିତରୁ ଦର୍ଶନ ବନ୍ଦ କରାଯାଇଛି । କାନ୍ଥବାଡ, ରେଲିଂ ଦ୍ୱାର ନଛୁଇଁବା, ପାଶ୍ୱଦେବାଦେବୀଙ୍କୁ ନଛୁଇଁବା ପାଇଁ ପରାମର୍ଶ ଦେବା ସହ କଟକଣା ଲାଗିଛି । ଡିଜିଟାଲ ନନ ଟଚ ଥର୍ମୋମିଟରରେ ଟେଷ୍ଟ ହେବେ ଶ୍ରଦ୍ଧାଳୁ । ଧାଡି ଦର୍ଶନରେ ୧ ମିଟର ଦୂରତା ରହିବ ଶ୍ରଦ୍ଧାଳୁଙ୍କ ମଧ୍ୟରେ । ବେଶୀ ଲୋକ ଏକା ସାଂଗରେ ନଯିବା ସହ ୨ଟି ସ୍ଥାନରେ ର୍ଥମାଲ ସ୍କ୍ରିନିଂ କରାଯିବ । ସେପଟେ ମାର୍ଚ୍ଚ ୩୧ ଯାଏଁ ପର୍ଯ୍ୟନ୍ତ ପରବର୍ତୀ ନିର୍ଦ୍ଦେଶ ଯାଏ ସମ୍ବଲପୁରରେ ବନ୍ଦ ରହିବ ମଲ ସୁପର ମାର୍କେଟ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯିବା ସହ ନୋଟିଫିକେସନ ଜାରି ହୋଇଛି । ସମସ୍ତ ସ୍କୁଲ କଲେଜ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ସହ ଧାର୍ମିକ ସ୍ଥଳୀରେ କିଭଳି ସଚେତନ ହେବେ ସେ ନେଇ ସଚେତନାମୂଳକ ପଦକ୍ଷେପ ନେବା ପାଇଁ ପରାମର୍ଶ ଦିଆଯାଇଛି । ଏହା ସହ ଭିଡ ନଜମାଇବାକୁ ପରାମର୍ଶ ଦେଇଛି ଜିଲ୍ଳା ପ୍ରଶାସନ । ତେବେ ମଲର ଗୋଦାମରୁ ଜିନିଷ ନେଇ ଲୋକଙ୍କୁ ଘରେ ହୋମ ଡେଲିଭରି ଚାହିଁଲେ ଜିନିଷ ଦେଇପାରିବେ ମଲ କର୍ମଚାରୀ ।

ସେହିପରି କାକଟପୁର ମା ମଙ୍ଗଳା ମନ୍ଦିରରେ ଲାଗିଲା ନୋଟିସ । କୌଣସି ଭକ୍ତଙ୍କୁ ମନ୍ଦିର ଭିତରକୁ ନନେବାକୁ ସେବାୟତଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅତି ଆବଶ୍ୟକ ନପଡିଲେ ଏକାଧିକ ଭକ୍ତଙ୍କୁ ବାହାରେ ଏକତ୍ରିତ ନହେବାକୁ କୁହାଯାଇଛି । କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ପୁରୀ ଜିଲ୍ଲାପ୍ରଶାସନ ପକ୍ଷରୁ ଏହି ନୋଟିସ ଜାରି କରାଯାଇଛି ।

ପୁରୀରେ ବି କରୋନା ବାଡ । ଆଜିଠାରୁ ଭକ୍ତଙ୍କ ଦର୍ଶନ କ୍ଷେତ୍ରରେ ଆସୁଥିବା ଭକ୍ତମାନେ ଘୋଷଣାପତ୍ର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ । ଯେଉଁମାନେ ଘୋଷଣାପତ୍ର ଦେବେନି ସେମାନେ ଦର୍ଶନରୁ ବଂଚିତ ହେବେ । ଏହି ଭକ୍ତମାନେ ଶ୍ରୀମନ୍ଦିର ଯିବେ କିନ୍ତୁ ଅରୁଣ ସ୍ତମ୍ଭ ଓ ଗରୁଡ ସ୍ତମ୍ଭକୁ ଛୁଇଁପାରିବେ ନାହିଁ । ଯେଉଁ ଭକ୍ତମାନେ ଶ୍ରୀମନ୍ଦିରକୁ ଯିବେ , ସେମାନେ ଧାଡିରେ ଦର୍ଶନ ପାଇଁ ଯିବେ ଓ ଧାଡିରେ ଦର୍ଶନ ସାରି ଫେରିବେ । ଏହି ଅବସରରେ ଅତି ଆବଶ୍ୟକ ନଥିଲେ ଶ୍ରୀମନ୍ଦିର ନ ଆସିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭକ୍ତଙ୍କୁ ନିବେଦନ କରିଛନ୍ତି । ସେପଟେ କରୋନା ମୁକାବିଲା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଅଂଟା ଭିଡିଛି । ସେପଟେ ପୁରୀରେ ଲୋକଙ୍କୁ ସଚେତନ କରିବାକୁ ଆଗେଇ ଆସିଛନ୍ତି କିନ୍ନରମାନେ । ହାତରେ କରୋନା ସମ୍ପର୍କିତ ପ୍ଲାକାର୍ଡ ଧରି ଲୋକଙ୍କୁ ଭେଟି ସଚେତନ କରାଉଛନ୍ତି । ଜଣ ଜଣ କରି ପର୍ଯ୍ୟଟକଙ୍କୁ ମଧ୍ୟ ସଚେତନ କରୁଛନ୍ତି କିନ୍ନରମାନେ ।