ବଢୁଛି ସଂକ୍ରମଣ, ଫେରୁଛି କଟକଣା । ପୁଣି ହେବନି ତ ଲକଡାଉନ୍ ?

597

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ପୁଣି ଫେରିଲା କରୋନା କଟକଣା । ପଶ୍ଚିମବଙ୍ଗ ସରକାର ସ୍କୁଲ କଲେଜ, ସେଲୁନ ଓ ସ୍ପାକୁ ଆସନ୍ତାକାଲି ଠାରୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସମସ୍ତ କାର୍ଯ୍ୟାଳୟରେ ୫୦ ପ୍ରତିଶତ କର୍ମଚାରୀରେ କାମ କରିବାକୁ ଗାଇଡଲାଇନ୍ ଜାରି କରିଛନ୍ତି । ମୁଖ୍ୟ ସଚିବ ଏକ ପ୍ରେସମିଟ୍ କରି କହିଛନ୍ତି, ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କେବଳ ଅତ୍ୟାବଶ୍ୟକ ସେବାକୁ ଅନୁମତି ମିଳିବ । ସପିଂ ମଲ ରାତି ୧୦ଟା ଯାଏଁ ଖୋଲା ରହିବ କିନ୍ତୁ ୫୦ ପ୍ରତିଶତ କ୍ଷମତାରେ ଚାଲିବ । ଲୋକାଲ ଟ୍ରେନ୍, ସିନେମା ହଲ, ଥିଏଟର୍ ମଧ୍ୟ ୫୦ ପ୍ରତିଶତ କ୍ଷମତାରେ କାମ କରିବ ।

ପଶ୍ଚିମବଙ୍ଗରୁ ମୁମ୍ବାଇ ଓ ନୂଆଦିଲ୍ଲୀ ଯାଉଥିବା ବିମାନ ଯାତ୍ରା ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ସପ୍ତାହକୁ ମାତ୍ର ୨ ଦିନ ଦିଲ୍ଲୀ ଓ ମୁମ୍ବାଇକୁ ବିମାନ ଚଳାଚଳ କରିପାରିବ । ଗତକାଲି ପଶ୍ଚିମବଙ୍ଗରେ ୪ ହଜାର ୫୦୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏପଟେ ଓଡିଶାରେ ଗତ ସପ୍ତାହ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ୪୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ନଜର ପକାନ୍ତୁ ଓଡ଼ିଶାର କରୋନା ମିଟର ଉପରେ

ସାତ ଦିନ ଭିତରେ ପାଖାପାଖି ସାଢ଼େ ୩ ଗୁଣ ବଢ଼ିଯାଇଛି ଦୈନିକ ସଂକ୍ରମଣ । ଡିସେମ୍ବର ୨୭ ତାରିଖରେ ମାତ୍ର ୧୨୩ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜାନୁଆରୀ ୨ ତାରିଖରେ ୪୨୪ ନୂଆ ମାମଲା ଚିହ୍ନଟ ହୋଇଛନ୍ତି । ୨୯ ଡିସେମ୍ବରରେ ନୂଆ ଆକ୍ରାନ୍ତ ୨ ଶହ ପାର କରିଥିବା ବେଳେ ଏହା କ୍ରମଶଃ ବଢ଼ିବାରେ ଲାଗିଛି ।

ଓଡ଼ିଶା କରୋନା ମିଟର

୨୭ ଡିସେମ୍ବର – ୧୨୩

୨୮ ଡିସେମ୍ବର – ୧୫୬

୨୯ ଡିସେମ୍ବର – ୨୨୧

୩୦ ଡିସେମ୍ବର – ୨୨୫

୩୧ ଡିସେମ୍ବର – ୨୨୮

୦୧ ଜାନୁଆରୀ – ୨୯୮

୦୨ ଜାନୁଆରୀ – ୪୨୪

ସେପଟେ ଦେଶରେ ମଧ୍ୟ ଦ୍ରୁତ ଗତିରେ ବଢ଼ିଚାଲିଛି ସଂକ୍ରମଣ । ମାତ୍ର ୫ ଦିନରେ ତିନି ଗୁଣ ବଢ଼ିଯାଇଛି ସଂକ୍ରମଣ । ଡିସେମ୍ବର ୨୯ ତାରିଖରେ ଦୈନିକ ସଂକ୍ରମଣ ମାତ୍ର ୯୧୯୫ ଥିଲା । ଗତ ୨୪ ଘଣ୍ଟା ଭିତରେ ୨୭ ହଜାର ୫୫୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଭାରତ କରୋନା ମିଟର

୨୯ ଡିସେମ୍ବର – ୯,୧୯୫

୩୦ ଡିସେମ୍ବର – ୧୩,୧୫୪

୩୧ ଡିସେମ୍ବର – ୧୬,୭୬୪

୦୧ ଜାନୁଆରୀ – ୨୨,୭୭୫

୦୨ ଜାନୁଆରୀ  – ୨୭,୫୫୩ 

ଦେଶରେ ଦୈନିକ ସଂକ୍ରମଣ ହାର ୨.୫୫%କୁ ବୃଦ୍ଧି । ବିଭିନ୍ନ ରାଜ୍ୟରେ ବଢ଼ିଲା କଟକଣା । ପଶ୍ଚିମବଙ୍ଗରେ ସ୍କୁଲ, କଲେଜ ବନ୍ଦ, ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ଅଫିସ । ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସୋମବାର ଠାରୁ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ପଶ୍ଚିମବଙ୍ଗ ସରକାର । ସେହିପରି ଅଧା କର୍ମଚାରୀଙ୍କୁ ନେଇ ଅଫିସ ଚାଲିବ ବୋଲି କୁହାଯାଇଛି । ରାତି ୧୦ରୁ ସକାଳ ୫ ଯାଏଁ ନାଇଟ୍ କର୍ଫ୍ୟୁ ରହିଥିବା ବେଳେ ଲୋକାଲ୍ ଟ୍ରେନ୍ ମଧ୍ୟ ୫୦ ପ୍ରତିଶତ କ୍ଷମତାରେ ସନ୍ଧ୍ୟା ୭ଟା ଯାଏଁ ଚାଲିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ପଶ୍ଚିମବଙ୍ଗ ସରକାର ।