ଆଜିଠାରୁ ପୁରୀରେ ପର୍ଯ୍ୟଟକଙ୍କ ଉପରେ ଲାଗିବ କଟକଣା । କୋଣାର୍କ, ଚନ୍ଦ୍ରଭାଗା, ଚିଲିକା ବୁଲିପାରିବେନି ପର୍ଯ୍ୟଟକ

କରୋନା ମୁକାବିଲା ପାଇଁ ନିଆଗଲା ପଦକ୍ଷେପ

215

କନକ ବ୍ୟୁରୋ: ଆଜିଠାରୁ ପୁରୀରେ ପର୍ଯ୍ୟଟକଙ୍କ ଉପରେ ଲାଗିବ କଟକଣା । ଏଣିକି ପର୍ଯ୍ୟଟକମାନେ ପୁରୀରୁ ସିଧାସଳଖ ଚିଲିକା, ସାତପଡା, କୋଣାର୍କ ଏବଂ ଚନ୍ଦ୍ରଭାଗାକୁ ଟୁର ପ୍ୟାକେଜରେ ଯାଇପାରିବେ ନାହିଁ । ଉଭୟ ବିଦେଶୀ ଓ ବିଭିନ୍ନ ରାଜ୍ୟର ପର୍ଯ୍ୟଟକଙ୍କ ଉପରେ ଏଭଳି କଟକଣା ଲାଗୁ ହୋଇଛି । ଏନେଇ ଅପରେଟରଙ୍କ ସହିତ ଜିଲ୍ଲା ପ୍ରଶାସନ ଜରୁରୀ ବୈଠକ କରିଛି । କରୋନା ମୁକାବିଲା ପାଇଁ ପଦକ୍ଷେପ ନିଆଯାଇଥିବା କହିଛନ୍ତି ପର୍ଯ୍ୟଟନ ଅଧିକାରୀ । ପର୍ଯ୍ୟଟକମାନେ ଟୁର୍ ପ୍ୟାକେଜରେ ବସରେ ଏକାଠି ଏସବୁ ସ୍ଥାନକୁ ବୁଲିବାକୁ ଯାଇପାରିବେ ନାହିଁ । ତେବେ ପର୍ଯ୍ୟଟକ ଚାହିଁଲେ ପରିବାର ସହ କାର ବୁକିଂ କରି ଯାଇପାରିବେ ।

ଅନ୍ୟପଟେ, କରୋନା ପାଇଁ ବନ୍ଦ ହେଲା ନନ୍ଦନକାନନ ଚିଡିଆଖାନା । ଚିଡିଆଖାନାକୁ ବହୁ ସଂଖ୍ୟକ ଲୋକ ପ୍ରତିଦିନ ବୁଲିବାକୁ ଆସୁଥିବାରୁ ନନ୍ଦନକାନନକୁ ବନ୍ଦ କରିଦିଆଯାଇଛି । କରୋନା ମୁକାବିଲା ନେଇ ରାଜ୍ୟ ବିପର୍ଯ୍ୟୟ ଘୋଷଣା ହେବା ପରେ ସୁଇମିଂ ପୁଲ, ଜିମ, ଶିକ୍ଷାନୁଷ୍ଠାନ, ସିନେମା ହଲ, ବିଭିନ୍ନ ସଭାସମିତି, ବିବାହ ଉତ୍ସବ ବନ୍ଦ କରିବାକୁ କହିଥିଲେ । ଏହା ପରେ ଚିଡିଆଖାନା ବନ୍ଦ କରିଦିଆଇଛି । ପ୍ରତିଦିନ ଶହ ଶହ ଲୋକ ଆସୁଥିବାରୁ ସଂକ୍ରମଣରୁ ଦୂରେଇ ରହିବାକୁ ଏହି ପଦକ୍ଷେପ ନିଆଯାଇଛି । ସେହିପରି ଭୁବନେଶ୍ୱର ଓ ବୁର୍ଲାରେ ଥିବା ପ୍ଲାନେଟାରିଅମର ସୋ ଗୁଡିକୁ ବନ୍ଦ କରିଦିଆଯାଇଛି ।