କୋଭିଡ୍ କଟକଣାରେ ହେବ ପଞ୍ଚାୟତ ନିର୍ବାଚନ : କେମିତି ପ୍ରାର୍ଥୀ କରିବେ ପ୍ରଚାର ? ଟିକା ଓ ନେଗେଟିଭ ରିପୋର୍ଟ ଥିଲେ ଭୋଟଦାନ କେନ୍ଦ୍ରକୁ ପ୍ରବେଶ ଅନୁମତି

215

କନକ ବ୍ୟୁରୋ : ବାଜିଲା ପଞ୍ଚାୟତ ନିର୍ବାଚନ ବିଗୁଲ । ଘୋଷଣା ହେଲା ନିର୍ବାଚନ ତାରିଖ । ୫ଟି ପର୍ଯ୍ୟାୟରେ ହେବ ପଞ୍ଚାୟତ ନିର୍ବାଚନ । କୋଭିଡ୍ କଟକଣାରେ ହେବ ପଞ୍ଚାୟତ ନିର୍ବାଚନ ।ଏଥର ପଞ୍ଚାୟତ ନିର୍ବାଚନରେ ୫ଟି ନୂଆ ପଦ କ୍ଷେପ ଗ୍ରହଣ କରାଯାଇଛି । ବ୍ଲକ୍ ସଦର ମହକୁମାରେ ଭୋଟ ଗଣତି- ପଞ୍ଚାୟତ ଆଇନର ସଂଶୋଧନ ଯୋଗୁଁ ରାଜ୍ୟର ସମସ୍ତ ପର୍ଯ୍ୟାୟ ନିର୍ବାଚନ ସରିବା ପରେ, ବ୍ଲକ ସଦର ମହକୁମାରେ ଏକା ସହିତ ତିନି ଦିନରେ ୱାର୍ଡ ମେମ୍ବର, ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ଭୋଟ ଗଣତି ହେବ ।

ଜିଲ୍ଲା ପରିଷଦ ସଭ୍ୟ ନିର୍ବାଚନ ପାଇଁ ପ୍ରାର୍ଥୀମାନେ ଦେଇଥିବା ସତ୍ୟପାଠ ଜିଲ୍ଲା ୱେବସାଇଟରେ ନାମାଙ୍କନ ପତ୍ର ସହିତ ପ୍ରକାଶନ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ପଞ୍ଚାୟତ ନିର୍ବାଚନ, ୨୦୨୨ ପାଇଁ କମିଶନ ଭୋଟ ଦାନ ସମୟ ସକାଳ ୭ଘଟିକାରୁ ଅପରାହ୍ଣ ଗୋଟାଏ ଘଟିକା ପର୍ଯ୍ୟନ୍ତ ସ୍ଥିର କରାଯାଇଛି । ଟୋଲ ଫ୍ରି ନମ୍ବର – କମିଶନରଙ୍କ କଲ୍ ସେଣ୍ଟର ସକାଳ ୯ଘଟିକାରୁ ଅପରାହ୍ଣ ୬ଘଟିକା ପର୍ଯ୍ୟନ୍ତ କାର୍ଯ୍ୟ କରିବ ଏବଂ ଏହାର ନମ୍ବର ୧୮୦୦-୩୪୫-୭୭୮୭ । କମିଶନଙ୍କ ନିୟନ୍ତ୍ରଣ କକ୍ଷର ଟେଲିଫୋନ୍ ନମ୍ବର -୦୬୭୪-୨୫୭୩୪୯୪ । ସମୟ ସକାଳ ୮ଘଟିକାଠାରୁ ୯ଘଟିକା ପର୍ଯ୍ୟନ୍ତ ରହିଛି ।

କୋଭିଡ୍ ୧୯ର ମାର୍ଗଦର୍ଶିକା : –
– ପଥପାନ୍ତ ପ୍ରଦର୍ଶନ, ପଦ ଯାତ୍ରା/ମୋଟରସାଇକେଲ/ ଯାନ ପଟୁଆର ପାଇଁ ଅନୁମତି ନାହିଁ ।
– ରାଜନୈତିକ ଦଳ କିମ୍ବା ସମ୍ଭାବ୍ୟ ପ୍ରାର୍ଥୀ ବା ନିର୍ବାଚନରେ ସମ୍ପୃକ୍ତ କୌଣସି ଗୋଷ୍ଠୀଙ୍କର ସମାବେଶ ନିଷିଦ୍ଧ ।
– କୋଭିଡ୍ ସୁରକ୍ଷା ଦୃଷ୍ଟିରୁ ରାଜନୈତିକ ଦଳ ଓ ପ୍ରାର୍ଥୀମାନଙ୍କୁ ଡିଜିଟାଲ ବା ଭର୍ଚୁଆଲ ମାଧ୍ୟମରେ ପ୍ରଚାର କରିବା ପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।
– ସର୍ବାଧିକ ୫ଜଣ ଲୋକଙ୍କ ସହିତ ପ୍ରାର୍ଥୀମାନେ ଘରକୁ ଘର ବୁଲି ପ୍ରଚାର କରି ପାରିବେ ।
– ଯଦି କୌଣସି ପ୍ରାର୍ଥୀ କିମ୍ବା ରାଜନୈତିକ ଦଳ କୋଭିଡ୍-୧୯ର ମାର୍ଗଦର୍ଶିକା ଖିଲାପ କରନ୍ତି ତାହାହେଲେ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ର ଧାରା ୫୧୦୬୦ ଅନୁଯାୟୀ ଦଣ୍ଡିତ ହେବେ ।
– ସମ୍ପୂର୍ଣ୍ଣ କୋଭିଡ୍ ଟିକା ନେଇଥିବା ଏବଂ ନେଗେଟିଭ୍ ଆରଟିପିସିଆର କିମ୍ବା ଅଣ୍ଟିଜେନ୍ ଟେଷ୍ଟ ରିପୋର୍ଟ ଥିବା ବ୍ୟକ୍ତି ଭୋଟ ଗଣତି କେନ୍ଦ୍ରକୁ ପ୍ରବେଶ କରିପାରିବେ
– ସାଂପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି କଟକଣା କୋହଳ କିମ୍ବା କଠୋର କରାଯାଇପାରେ ।

ଆସନ୍ତା ଫେବ୍ରୁଆରୀ ୧୬, ୧୮, ୨୦, ୨୨, ୨୪ ତାରିଖରେ ନିର୍ବାଚନ ହେବ । ସେହିଭଳି ଫେବ୍ରୁଆରୀ ୨୬, ୨୭ ଓ ୨୮ ତାରିଖରେ ୩ଟି ପର୍ଯ୍ୟାୟରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ । ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା ଜାନୁଆରୀ ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିଭଳି ୧୭ ଜାନୁଆରୀରୁ ୨୧ ଜାନୁଆରୀ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ କରିପାରିବେ ପ୍ରାର୍ଥୀ ।୨୨ ଜାନୁଆରୀରେ ନାମାଙ୍କନପତ୍ର ଯାଞ୍ଚ କରାଯିବ, ୨୫ ଜାନୁଆରୀ ସୁଦ୍ଧା ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ସେହି ୨୫ ଜାନୁଆରୀ ଚୁଡାନ୍ତ ତାଲିକା ପ୍ରକାଶ ପାଇବ । ସବୁ ପର୍ଯ୍ୟାୟର ନିର୍ବାଚନ ଶେଷ ହେବା ପରେ ବ୍ଲକସ୍ତରରେ ଭୋଟ ଗଣତି ହେବ ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀ ।