ପହିଲାରୁ ବିଧାନସଭା ଆରମ୍ଭ, ରାସ୍ତାରେ ଲାଗିବ ମାସେ କଟକଣା । ଜାଣନ୍ତୁ କେଉଁବାଟେ କେମିତି ଯିବେ?

153

କନକ ବ୍ୟୁରୋ : ବିଧାନସଭାର ଶୀତକାଳୀନ ଅଧିବେଶନ ଡିସେମ୍ବର ପହିଲାରୁ ଆରମ୍ଭ ହେବାକୁ ଯାଉଛି । ଆଉ ଏହାପୂର୍ବରୁ ବିଧାନସଭା ସଂଲଗ୍ନ ରାସ୍ତା ଗୁଡିକରେ ଯାତାୟତ ଉପରେ କଟକଣା ଲଗାଇଛି କମିଶନରେଟ ପୋଲିସ । ନିରପତ୍ତାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଆସନ୍ତା ମାସେ ଅଥାର୍ତ ଡିସେମ୍ବର ୧ ତାରିଖରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବିଧାନସଭା ସଂଲଗ୍ନ ରାସ୍ତା ଉପରେ କଟକଣା ଜାରି ରହିବ ।

ତେବେ ବିଧାନସଭା ଚାଲୁଥିବା ସମୟରେ କେଉଁ ଗାଡି କେଉଁ ପଟେ ଯିବ ସେନେଇ ସୂଚନା ଦେଇଛି କମିଶନରେଟ ପୋଲିସ । ଘରୁ ବାହାରିବା ପୂର୍ବରୁ ଥରେ ଏହି ସୂଚନା ଉପରେ ନଜର ପକାଇ ନିଅନ୍ତୁ । କାରଣ ଏହି କଟକଣା ମାସେ ପର୍ଯ୍ୟନ୍ତ ଜାରି ରହିବ ।
– ହାଉସିଂ ବୋର୍ଡ ଛକ ପଟୁ ଆସୁଥିବା ସମସ୍ତ ଗାଡି କେଶରୀ ଟକିଜ ଠାରୁ ଆଗକୁ ନଯାଇ ବାମ ପଟ ରାସ୍ତା ଦେଇ ଗନ୍ତବ୍ୟ ସ୍ଥଳକୁ ଯିବେ ।
– ଏଜି ଛକ ପଟୁ ପିଏମଜି ଛକ ଆଡକୁ ଆସୁଥିବା ସମସ୍ତ ଗାଡି ଜୟଦେବ ଭବନ ପାଖରେ ଅଟକି ଡାହାଣ ପଟରେ ଥିବା ଇନ୍ଦିରା ଗାନ୍ଧୀ ପାର୍କ ରାସ୍ତା ଦେଇ ନିଜ ଗନ୍ତବ୍ୟ ସ୍ଥଳକୁ ଯିବେ ।
– ମାଷ୍ଟର କ୍ୟାଣ୍ଟିନ ପଟୁ ଅପର ପିଏମଜି ଆଡକୁ ଆସୁଥିବା ଗାଡି ଗୁଡିକ ଲୋୟର ପିଏମଜି ଛକ ଠାରୁ ବାମ କିମ୍ବା ଡାହାଣ ପାଖ ରାସ୍ତା ଦେଇ ଯାଇପାରିବେ କିନ୍ତୁ ସେମାନଙ୍କୁ ମହାତ୍ମାଗାନ୍ଧୀ ମାଗରେ ଯିବା ପାଇଁ ଅନୁମତି ଦିଆଯିବ ନାହିଁ ।
– ୧୨୦ ବାଟାଲିୟନ ଛକ ପଟୁ ପିଏମଜି ଛକ ଆଡକୁ ଆସୁଥିବା ସମସ୍ତ ଗାଡି ଗୁଡିକ ପାୱାର ହାଉସ ଛକ ଆଡକୁ ଯାଇ ଗନ୍ତବ୍ୟ ସ୍ଥଳକୁ ଯିବେ ।
– ରାଜଭବନ ଛକ ପଟୁ ଏମଏଲଏ କଲୋନୀ ଓ ରବୀନ୍ଦ୍ର ମଣ୍ଡପକୁ ଯାଉଥିବା ସମସ୍ତ ଗାଡି ଗୁଡିକ ଶାସ୍ତ୍ରୀ ନଗର ଆଡକୁ ଯିବେ ।

ତେବେ ବିଧାନସଭା, ରାଜ୍ୟ ସଚିବାଳୟ ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟକୁ ଯାଉଥିବା ଅଧିକୃତ ଗାଡି ପାଇଁ ଏହି କଟକଣା ଲାଗୁ ହେବ ନାହିଁ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି ।