କନକ ବ୍ୟୁରୋ: ପଦ୍ମପୁରକୁ ନୂଆ ଜିଲ୍ଲା ମାନ୍ୟତାକୁ ଲାଗିଛି ଝଟ୍କା । ହାଇକୋର୍ଟଙ୍କ ବିନା ଅନୁମତିରେ ରାଜ୍ୟ ସରକାର ନୂଆ ଜିଲ୍ଲା ଗଠନ ପାଇଁ ନିର୍ଦ୍ଦେଶନାମା ଜାରି କରିପାରିବେ ନାହିଁ । ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ହୋଇଥିବା ଆବେଦନର ଶୁଣାଣି କରି ହାଇକୋର୍ଟ ଏଭଳି ରାୟ ଦେଇଛନ୍ତି । ଅର୍ଥନୈତିକ ସ୍ଥିତି, ଜନସଂଖ୍ୟା ଅଂଚଳର ଅଂଚଳର ପରିସୀମା, ପଛୁଆ ପ୍ରସଙ୍ଗକୁ ବିଚାରକୁ ନନେଇ ରାଜନୈତିକ ଉର୍ଦ୍ଦେଶ୍ୟ ପ୍ରଣୋଦିତ ଭାବେ ଜିଲ୍ଲା ଗଠନ ନିଷ୍ପତି ଅଭିଯୋଗ ଦାୟର ମାମଲାକୁ ହାଇକୋର୍ଟ ଗ୍ରହଣ କରି ଏହି ଅଙ୍କୁଶ ଲଗାଇଛନ୍ତି । ହାଇକୋର୍ଟଙ୍କ ନିଷ୍ପତି ସାମ୍ନାକୁ ଆସିବା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି । ଜବାବ ରଖିଛି ବିଜେଡି ।

Advertisment

ଡେଡଲାଇନ୍ ବା’ ସମୟ ସୀମା ପୁରିବାକୁ ହାତରେ ମାତ୍ର ୮ ଦିନ ବାକି ଥିଲା । ଚର୍ଚ୍ଚା ହେଉଥିଲା ୩୦ ତାରିଖରେ ପଦ୍ମପୁର ସମ୍ପର୍କରେ ଏକ ବଡ଼ ଘୋଷଣା କରିପାରନ୍ତି ରାଜ୍ୟ ସରକାର । ହେଲେ ତା’ ପୂର୍ବରୁ ପଦ୍ମପୁରର ସ୍ୱପ୍ନରେ ଲାଗିଛି ଝଟକା ।

ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ହୋଇଥିବା ଆବେଦନର ଶୁଣାଣି କରି ହାଇକୋର୍ଟ ଯେଉଁ ରାୟ ଦେଇଛନ୍ତି, ତା’ର ତୁରନ୍ତ ପ୍ରଭାବ ପଦ୍ମପୁର ଜିଲ୍ଳା ଗଠନ ଉପରେ ପଡ଼ିବାକୁ ଯାଉଛି । ହାଇକୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି-

ହାଇକୋର୍ଟଙ୍କ ବିନା ଅନୁମତିରେ ରାଜ୍ୟ ସରକାର ନୂଆ ଜିଲ୍ଲା ଗଠନ ପାଇଁ ନିର୍ଦ୍ଦେଶନାମା ଜାରି କରିପାରିବେ ନାହିଁ । ଜିଲ୍ଲା ପୁନର୍ଗଠନ ପ୍ରକ୍ରିୟା ପ୍ରସଙ୍ଗରେ ସରକାର ପଦକ୍ଷେପ ନେଇ ପାରିବେ । କିନ୍ତୁ ଅଦାଲତଙ୍କ ବିନା ଅନୁମତିରେ ଏହି ପ୍ରସଙ୍ଗରେ କୌଣସି ଚୂଡ଼ନ୍ତ ଆଦେଶ ପ୍ରଦାନ କରାଯାଇ ପାରିବନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ଅର୍ଥନୈତିକ ସ୍ଥିତି, ଜନସଂଖ୍ୟା, ଅଂଚଳର ପରିସୀମା, ପଛୁଆ ପ୍ରସଙ୍ଗକୁ ବିଚାରକୁ ନନେଇ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଜିଲ୍ଲା ଗଠନ ନିଷ୍ପତି ଅଭିଯୋଗରେ ଦାୟର ମାମଲାକୁ ହାଇକୋର୍ଟ ଗ୍ରହଣ କରି ଅଙ୍କୁଶ ଜାରି କରିଛନ୍ତି । ଏଥିସହ ଏହି ମାମଲାରେ ବିଭିନ୍ନ ପକ୍ଷଙ୍କୁ ଜବାବ ତଲବ କରିଛନ୍ତି ।

ନୂଆ ଜିଲ୍ଲା ଗଠନ ସମ୍ପର୍କରେ ହାଇକୋର୍ଟଙ୍କ ଏହି ନିଷ୍ପତି ସାମ୍ନାକୁ ଆସିବା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି । ନରସିଂହ ମିଶ୍ର ଅଭିଯୋଗ ଆଣି କହିଛନ୍ତି- ସରକାର ରାଜନୈତିକ ଚାଲ ଖେଳିଛନ୍ତି । ଏଠୁ ସ୍ପଷ୍ଟ ସରକାର ପଦ୍ମପୁର ଜିଲ୍ଲା ଗଠନ ପାଇଁ ଚାହୁଁନାହଁନ୍ତି । ସମାନ ଢଙ୍ଗରେ ବିଜେପି ନେତା ପ୍ରଦୀପ ପୁରୋହିତ ଅଭିଯୋଗ ଆଣି କହିଛନ୍ତି- ପ୍ରତିଶ୍ରୁତିରୁ ମୁକୁଳିବା ପାଇଁ ସରକାର ଏଭଳି ବାଟ ବାଛିଛନ୍ତି । ତେବେ ଉଭୟ ବିଜେପି ଓ କଂଗ୍ରେସର ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି ।

ତେବେ ବଡ଼ କଥା ହେଉଛି, କେବଳ ପଦ୍ମପୁର ଜିଲ୍ଲା ଗଠନ ଉପରେ ଏହାର ପ୍ରଭାବ ପଡ଼ିବ ତାହା ନୁହେଁ, ଓଡ଼ିଶାର ବିଭିନ୍ନ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦେବା ପାଇଁ ଉଠୁଥିବା ଦାବିକୁ ହାଇକୋର୍ଟଙ୍କ ଏହି ନିଷ୍ପତି ପ୍ରଭାବିତ କରିବ । ତେବେ ଡିସେମ୍ବର ୩୧ ସୁଦ୍ଧା ପଦ୍ମପୁରକୁ ଜିଲ୍ଳା ମାନ୍ୟତା ଦେବା ପାଇଁ ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତିର କ’ଣ ହେବ? ହାଇକୋର୍ଟଙ୍କ ଶୀତ ଅବକାଶ ଜାନୁୟାରୀ ୨ ତାରିକ ଯାଏଁ ଥିବାରୁ ତା ପୂର୍ବରୁ ଶୁଣାଣି ମଧ୍ୟ ହୋଇପାରିବ ନାହିଁ ।