ବଢ଼ୁଛି କରୋନା, ବଢ଼ିଲା କଟକଣା । ଗୁଡଫ୍ରାଇଡେ, ପଣାସଂକ୍ରାନ୍ତି, ରାମନବମୀ ସାମୂହିକ ଉତ୍ସବ ପାଳନ ମନା । କଟକଣା ଭିତରେ କରାଯିବ ରୀତିନୀତି ।

461

କନକ ବ୍ୟୁରୋ: ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି କରୋନା ଆକ୍ରାନ୍ତ । ଏହା ପୂର୍ବରୁ ସତର୍କ ହୋଇଛନ୍ତି ରାଜ୍ୟ ସରକାର । କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ପର୍ବପର୍ବାଣି ପାଳନ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଜାଣନ୍ତୁ, କ’ଣ ରହିଛି ମାର୍ଗଦର୍ଶିକାରେ ।

ପର୍ବପର୍ବାଣୀ ଉପରେ କଟକଣା
ମନ୍ଦିର, ଗୀର୍ଜା ଆଦି ଧାର୍ମିକ ସ୍ଥଳରେ ଗହଳି କରିବା ମନା
ସର୍ବସାଧାରଣ ସ୍ଥାନରେ ପର୍ବପର୍ବାଣୀ ପାଳନକୁ ବାରଣ
ଗୁଡ୍ ଫ୍ରାଇଡେ, ଇଷ୍ଟର, ପଣାସଂକ୍ରାନ୍ତି, ଦଣ୍ଡଯାତ୍ରା, ଝାମୁ ଯାତ୍ରା ଓ ରାମ ନବମୀ ସାମୂହିକ ପାଳନ ଉପରେ କଟକଣା
ସାମୂହିକ ଉକ୍ରଳ ଦିବସ ପାଳନ ମନା
ମନୋରଂଜନ କାର୍ଯ୍ୟକ୍ରମ ଉପରେ କଟକଣା
୨୦୦ ଲୋକଙ୍କୁ ନେଇ ହୋଇପାରିବ ବୈଠକ
ପରିସ୍ଥିତିକୁ ଦେଖି ଅନ୍ୟ କଟକଣା ଲଗାଇପାରିବେ ସ୍ଥାନୀୟ ପ୍ରଶାସନ
ଦେବନୀତି ନେଇ କୌଣସି ପ୍ରତିବନ୍ଧକ ନାହିଁ
ଧାର୍ମିକ ସ୍ଥଳରେ କୋଭିଡ୍ ନିୟମ କଡ଼ାକଡ଼ି କରାଯିବ
ଅମାନିଆଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ

ହୋଲିରୁ ଇଦ୍ ପର୍ଯ୍ୟନ୍ତ ଅର୍ଥାତ୍ ମେ’ ମାସ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ପର୍ବପର୍ବାଣୀ ପାଳନ ବେଳେ ଗହଳି କରାଇ ନଦେବାକୁ ରାଜ୍ୟ ସରକାରଙ୍କୁ କହିଥିଲେ କେନ୍ଦ୍ର ସରକାର । ଦେଶର ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବାରୁ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଏପଟେ ଟ୍ୱିନ୍ ସିଟିର ବାସିନ୍ଦାଙ୍କୁ ନିଜ ନିଜ ଘର ଭିତରେ ହୋଲି ଖେଳିବାକୁ ପରାମର୍ଶ ଦେଇଛନ୍ତି ପୋଲିସ କମିସନର । ନିୟମ ନମାଦିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦେଇଛନ୍ତି ।

ଗତ ୨୪ ଘଂଟାରେ ରାଜ୍ୟରେ ୨୩୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆପଡ଼ାରୁ ସର୍ବାଧିକ ୩୩ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କଟକରୁ ମଧ୍ୟ ୨୯ ପଜିଟିଭ୍ ମାମଲା ସାମନାକୁ ଆସିଛି । କଟକ, ଭୁବନେଶ୍ୱର ଭଳି ପଶ୍ଚିମ ଓଡ଼ିଶାରେ ବି ସଂକ୍ରମଣ ବଢ଼ିଚାଲିଛି । ଗୋଟିଏ ଦିନରେ ବରଗଡ଼ରୁ ୨୪ଜଣ, କଳାହାଣ୍ଡିରୁ ୧୭ଜଣ, ସୁନ୍ଦରଗଡ଼, ବଲାଙ୍ଗୀରରୁ ୧୫ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଓଡ଼ିଶା କରୋନା ମିଟର

୨୪ ଘଂଟାରେ ୨୩୪ ପଜିଟିଭ୍
ନୂଆପଡ଼ା – ୩୩
ଖୋର୍ଦ୍ଧା – ୩୨
କଟକ – ୨୯
ବରଗଡ଼ – ୨୪
କଳାହାଣ୍ଡି – ୧୭
ସୁନ୍ଦରଗଡ଼ – ୧୫
ବଲାଙ୍ଗୀର – ୧୫

ସେପଟେ ୨୪ ଘଂଟାରେ ଦେଶରେ ୫୯,୧୧୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛି । ଦିନକରେ ୨୫୭ ଜଣଙ୍କ ମୃତ୍ୟୁ ହୋଇଛି । କେବଳ ମହାରାଷ୍ଟ୍ରରେ ୩୫,୯୫୨ ନୂଆ ମାମଲା । ପଂଜାବରେ ୨,୬୬୧ ମାମଲା, କର୍ଣ୍ଣାଟକରେ ଦିନକରେ ୨୫୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।