ପାର୍ବଣ ନାଁରେ କଟକଣା କଡାକଡି । ଅଟକି ଯାଉଛି ଅର୍ଥନୈତିକ କାରବାର, ବିରୋଧୀ କହିଲେ ସରକାରଙ୍କୁ ଘାରିଛି ରେକର୍ଡ ନିଶା ।

121

କନକ ବ୍ୟୁରୋ : ପୂଜାରେ ଅତ୍ୟଧିକ କୋଭିଡ କଟକଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । ସେମାନେ ଅଭିଯୋଗ କରିଛନ୍ତି, ରେକର୍ଡ ନିଶାରେ ସରକାର ଅତ୍ୟଧିକ କୋଭିଡ କଟକଣା ଲଗାଉଛନ୍ତି । ବିଜେପି ନେତା ଅଭିଯୋଗ କରିଛନ୍ତି, ରାଜ୍ୟର ଅର୍ଥନୈତିକ ଦିଗକୁ ଦୃଷ୍ଟି ନଦେଇ, କୋଭିଡ ନିୟନ୍ତ୍ରଣରେ ନମ୍ବର ୱାନ୍ ହେବାକୁ ସରକାର ରେସ ଲଗାଇଛନ୍ତି ।ଗତ ପ୍ରାୟ ୬ ମାସ ହେବ କରୋନାର କୌଣସି ନୂଆ ପ୍ରଜାତି ସୃଷ୍ଟି ହୋଇନାହିଁ । ଏମିତି ଏକ ଆଶ୍ୱସ୍ତି କଲା ଭଳି ସୂଚନା ଦେଇଛନ୍ତି ନ୍ୟାସନାଲ ଟାକ୍ସ ଫୋର୍ସର ସଦସ୍ୟ ତଥା ବରିଷ୍ଠ ଚିକିତ୍ସକ ଡାକ୍ତର ଏନକେ ଆରୋରା । ଯାହାଫଳରେ କମ୍ ହୋଇଛି ତୃତୀୟ ଲହର ଆଶଙ୍କା ।

କରୋନା ଭୂତାଣୁ ରୂପ ବଦଳାଇଲେ ଏବଂ ନୂଆ ପ୍ରଜାତି ଆସିଲେ ତୃତୀୟ ଲହର ଆସିବାର ଅଧିକ ସମ୍ଭାବନା ଥିବା ପୂର୍ବରୁ କହି ଆସୁଥିଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ । କାରଣ ଟିକାକରଣ ଦ୍ରୁତ ଗତିରେ ଚାଲିଥିବାରୁ ନୂଆ ପ୍ରଜାତି ସୃଷ୍ଟି ହେଲେ ହୁଏତ ଏହା ରୋଗ ପ୍ରତିରୋଧକ ଶକ୍ତିକୁ ଭେଦ କରିଯିବାର ଆଶଙ୍କା ରହିଥିଲା । କିନ୍ତୁ କରୋନାର ନୂଆ ପ୍ରଜାତି ସୃଷ୍ଟି ହୋଇନଥିବାରୁ ଓ ଜନସଂଖ୍ୟାର ଏକ ବଡ ଭାଗ ଟିକା ନେଇଥିବାରୁ ତୃତୀୟ ଲହର ଆଶଙ୍କା କମ୍ ହୋଇଛି ।

ଦେଶରେ ଦିଆଯାଉଥିବା ଟିକା ବର୍ତମାନର କୋଭିଡ୍ ଭୂତାଣୁ ସଂକ୍ରମଣକୁ ରୋକିବାରେ ବେଶ୍ ସଫଳ । ତେଣୁ ସମସ୍ତେ ଟିକା ନେବାକୁ ଅପିଲ କରିଛନ୍ତି ଡାକ୍ତର ଆରୋରା । ଏଥିସହ କୋଭିଡ୍ କଟକଣାକୁ ମାନିବାକୁ ପରାମର୍ଶ ଦେଇଛନ୍ତି ।

ପାର୍ବଣ ନାଁରେ କଟକଣା କଡାକଡି । ଅଟକି ଯାଉଛି ଅର୍ଥନୈତିକ କାରବାର । କରୋନାର କୌଣସି ନୂଆ ପ୍ରଜାତି ଚିହ୍ନଟ ହୋଇନଥିଲେ ବି ଓଡିଶା ସରକାର କରୋନା କଟକଣାକୁ ପୂର୍ବଭଳି କଡାକଡି କରୁଛନ୍ତି । ପାର୍ବଣ ସମୟରେ ସଂକ୍ରମଣ ବଢ଼ିବା ଆଶଙ୍କା କରି ଟ୍ରାକକୁ ଫେରୁଥିବା ଅର୍ଥନୀତି ବାଟରେ ପାଚେରୀ ହୋଇ ଛିଡା ହୋଇଛି କଟକଣା । ସରକାରଙ୍କ ଏଭଳି କାର୍ଯ୍ୟକୁ ସମାଲୋଚନା କରିଛନ୍ତି ବିରୋଧୀ । କହିଛନ୍ତି ରେକର୍ଡ ନିଶାରେ ଏମିତି ନିଷ୍ପତ୍ତି ନେଉଛନ୍ତି ସରକାର । ଶାସକ ଦଳ କହିଛି କରୋନା କମିନାହିଁ । ଯାହା ନିଷ୍ପତି ନିଆଯାଇଛି ଠିକ୍ ।

ଯଦି କରୋନାର ନୂଆ ଭ୍ୟାରିଆଣ୍ଟ ଆସି ନାହିଁ, ଆଉ ଟିକାକରଣ ଜୋରସୋରରେ ଚାଲିଛି, ତେବେ ପାର୍ବଣରେ ସଂକ୍ରମଣ ବଢ଼ିବା ଆଶଙ୍କାରେ ଅର୍ଥନୀତିକୁ ପ୍ରଭାବିତ କଲା ଭଳି କଟକଣା ଲଗାଇବା କେତେଦୂର ଠିକ୍ ? ସେନେଇ ରାଜ୍ୟ ସରକାର ପୁଣି ବିଚାର କରିବାର ଆବଶ୍ୟକତା ରହିଛି ।