ସହଜ ହେଉନି ଜଗା ଦର୍ଶନ । ସିଂହଦ୍ୱାରରେ ପହଞ୍ଚିବା ପାଇଁ ଚାଲିବାକୁ ପଡୁଛି ଦୁଇ କିଲୋମିଟର ବାଟ । ଲମ୍ବା ବ୍ୟାରିକେଡକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ।

356

କନକ ବ୍ୟୁରୋ : ଗୁରୁବାର ଠାରୁ ବିନା କୋଭିଡ୍ ରିପୋର୍ଟରେ ଶ୍ରୀମନ୍ଦିର ପ୍ରବେଶ ପାଇଁ ଅନୁମତି, ଭକ୍ତଙ୍କ ମହଲରେ ଖୁସି ଆଣିଥିଲା, କିନ୍ତୁ ବଡଦାଣ୍ଡରେ ପହଞ୍ଚିବା ପରେ, ସମସ୍ତଙ୍କ ଚିନ୍ତା ବଢିଯାଇଥିଲା । କାରଣ, ସିଂହଦ୍ୱାରକୁ ପହଞ୍ଚିବା ପାଇଁ ଆପଣଙ୍କୁ ୨ କିଲୋମିଟର ବାଟ ଚାଲିବାକୁ ପଡିବ । ଦର୍ଶନ ପ୍ରକ୍ରିୟାକୁ ବ୍ୟବସ୍ଥିତ କରିବା ପାଇଁ ପ୍ରଶାସନ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି । କିନ୍ତୁ ଏହି ବ୍ୟବସ୍ଥା ଏତେ ବଡ ଅସୁବିଧା ହୋଇଯିବ ବୋଲି, କେହି ହୁଏତ ଭାବି ନଥିବେ । କାରଣ, ଅନେକ ବୟସ୍କ ଲୋକ ଠାକୁର ଦର୍ଶନ ପାଇଁ ଆସୁଛନ୍ତି । ଜଣେ ବୃଦ୍ଧାଙ୍କୁ ତାଙ୍କ ପରିବାର ଲୋକ ଟେକି ଟେକି ନେଉଥିବାର ଦୃଶ୍ୟ ଆମ କ୍ୟାମେରାରେ କଏଦ ହୋଇଥିଲା ।

ପ୍ରାୟ ୯ ମାସ ପରେ ଶ୍ରୀମନ୍ଦିର ଖୋଲିଲା, ଆଉ ଏବେ ବିନା କୋଭିଡ ରିପୋର୍ଟରେ ବି ଯାଇ ଆପଣ ଠାକୁରଙ୍କୁ ଦର୍ଶନ କରିପାରିବେ । ଏହି ଖବର ଯେତିକି ଖୁସି ଆଣିଥିଲା, ବଡଦାଣ୍ଡରେ ପହଞ୍ଚିବା ପରେ ସେତିକି ଚିନ୍ତାରେ ପକାଇଦେଲା ।

ଶ୍ରୀମନ୍ଦିର ଭିତରକୁ ପ୍ରବେଶ ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ଏବଂ କରୋନାକୁ ଆଖି ଆଗରେ ରଖି ଆବଶ୍ୟକ ବ୍ୟବସ୍ଥା କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାରିକେଡ୍ କରାଯାଇଛି । କିନ୍ତୁ ଏହି ବ୍ୟାରିକେଡ୍ ଏମିତି ହୋଇଛି, ଯାହା ଭକ୍ତ ଓ ତାଙ୍କ ପରିବାରବର୍ଗଙ୍କୁ ଡରାଇଦେଇଛି । କାରଣ ସିଂହଦ୍ୱାରରେ ପହଞ୍ଚିବା ପାଇଁ ତାଙ୍କୁ ଅତିକମରେ ଦୁଇ କିଲୋମିଟର ଚାଲିବାକୁ ପଡିବ ।

ଜଗନ୍ନାଥଧାମ ପୁରୀକୁ ବହୁ ସଂଖ୍ୟାରେ ବୃଦ୍ଧ ଓ ବୃଦ୍ଧା ଠାକୁରଙ୍କୁ ଦର୍ଶନ କରିବାକୁ ଆସନ୍ତି । ପ୍ରତି ଓଡିଆଙ୍କ ଭିତରେ ବିଶ୍ୱାସ ବି ଥାଏ, ମୃତ୍ୟୁ ପୂର୍ବର୍ରୁ ଥରୁଟିଏ ହେଲେ ବି ଜଗା ଦର୍ଶନ କରିବେ । କିନ୍ତୁ ଜଗା ଯାଏଁ ପହଞ୍ଚିବା ପାଇଁ ଆଗ ଆପଣଙ୍କୁ ପ୍ରଶାସନର ପୁଳାଏ କଟକଣା ଦେଇ ଆଗେଇବାକୁ ପଡିବ ।