କରୋନା ପାଇଁ ସ୍ୱାସ୍ଥ୍ୟ ବିଭାଗର କଟକଣା । ସନ୍ଦିଗ୍ଧଙ୍କ ଉପରେ ରହିବ ସ୍ୱତନ୍ତ୍ର ନଜର, କଟକଣା ନିର୍ଦ୍ଦେଶ ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ ।

343

କନକ ବ୍ୟୁରୋ : କରୋନାକୁ ରୋକିବା ଲାଗି ନିର୍ଦ୍ଦେଶାବଳୀ ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । ନିର୍ଦ୍ଦେଶାବଳୀରେ କୁହାଯାଇଛି ସବୁ ସରକାରୀ, ଘରୋଇ ହସ୍ପିଟାଲରେ ସନ୍ଦିଗ୍ଧଙ୍କ ପାଇଁ ବ୍ୟବସ୍ଥା ରହିବ । ସମସ୍ତ ସନ୍ଦିଗ୍ଧଙ୍କ ସବୁ ପ୍ରକାର ତଥ୍ୟ ହସ୍ପିଟାଲ ରଖିବ । କୌଣସି ଘରୋଇ ଲ୍ୟାବରେ ପରୀକ୍ଷାକୁ ଅନୁମତି ଦିଆଯିବ ନାହିଁ । ସନ୍ଦିଗ୍ଧଙ୍କୁ ଏକୁଟିଆ ରଖିବା ଠାରୁ ଆରମ୍ଭ କରି ପ୍ରଭାବିତ ଅଂଚଳକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲଗାଇପାରିବେ ଅଧିକୃତ ଅଧିକାରୀ । ନିର୍ଦ୍ଦେଶ ନମାନିଲେ ଆଇପିସି ଧାରା ୧୮୮ରେ ଦଣ୍ଡିତ ହେବେ ।

କରୋନା ଭାଇରସ ଡିଜିଜ- ୨୦୧୯ ଅର୍ଥାତ କୋଭିଡ-୧୯କୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରି ମହାମାରୀ ରୋଗ ଆଇନ୍ ୧୮୯୭ର ଧାରା ୨, ୩ ଓ ୪ ବଳରେ କେତେକ ନିୟମାବଳୀ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର ।

– ସ୍ୱାସ୍ଥ୍ୟ ଓ ଜନସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ, ଡିଏମଇଟି, ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ କରୋନା ଭୂତାଣୁର ସଂକ୍ରମଣ ରୋକିବା ପାଇଁ ଅଧିକୃତ କରାଯାଇଛି
– କରୋନା ସନ୍ଦିଗ୍ଧଙ୍କ ଚିହ୍ନଟ ପାଇଁ ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲରେ ସ୍କ୍ରିନିଂ ପାଇଁ ସ୍ୱତନ୍ତ୍ର ସ୍ଥାନ ରହିବ
– ସନ୍ଦିଗ୍ଧଙ୍କ ସ୍କ୍ରିନିଂ ସମୟରେ ସେମାନେ କୋଭିଡ-୧୯ ପ୍ରଭାବିତ ଦେଶକୁ ବୁଲିବାକୁ ଯାଇଥିଲେ ନା ନାହିଁ ତାର ରେକର୍ଡ ରଖିବେ ହସ୍ପିଟାଲ
– ଏପରିକି କରୋନା ରୋଗୀ କିମ୍ବା ସନ୍ଦିଗ୍ଧ କାହା ସଂସ୍ପର୍ଶର୍ରେ ଆସିଛନ୍ତି ସେମାନଙ୍କ ବାବଦରେ ମଧ୍ୟ ତଥ୍ୟ ରଖାଯିବ
– ଗତ ୧୪ ଦିନ ଭିତରେ ପ୍ରଭାବିତ ଦେଶକୁ ଗସ୍ତ କରିଥିଲେ ସଂପୃକ୍ତ ବ୍ୟକ୍ତିଙ୍କୁ ୧୪ ଦିନ ପାଇଁ ସ୍ୱତନ୍ତ୍ର ନୀରିକ୍ଷଣରେ ଅଲଗା ଭାବେ ରଖାଯିବ
– ସନ୍ଦିଗ୍ଧ ବ୍ୟକ୍ତିଙ୍କଠାରେ କୋଭିଡ-୧୯ର କୌଣସି ଲକ୍ଷଣ ଦେଖାଗଲେ ତାଙ୍କୁ ହସ୍ପିଟାଲରେ ସ୍ୱତନ୍ତ୍ର ନିରୀକ୍ଷଣରେ ରଖାଯିବ
– ଏଭଳି ଘଟଣାର ସୂଚନା ତୁରନ୍ତ ସମନ୍ୱିତ ରୋଗ ନିରୀକ୍ଷଣ କେନ୍ଦ୍ର, ଜିଲ୍ଲାପାଳ କିମ୍ବା ମ୍ୟୁନିସିପାଲ କମିଶନରଙ୍କୁ ଦିଆଯିବ

କରୋନା ବାବଦରେ ଗୁଜବକୁ ରୋକିବା ପାଇଁ କଠୋର ହୋଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିୟମାବଳୀ । କୋଭିଡ-୧୯ ବାବଦରେ ଛାପା, ବୈଦୁତିକ କିମ୍ବା ସାମାଜିକ ଗଣମାଧ୍ୟମରେ ମିଥ୍ୟା ପ୍ରଚାର ଉପରେ କଟକଣା ଲଗାଯାଇଛି ।

କରୋନା ମୁକାବିଲାକୁ ସରକାରୀ ନିୟନ୍ତ୍ରଣରେ ରଖିବା ପାଇଁ ଆଉ କେତେକ କଟକଣା ଲଗାଯାଇଛି ।

– ଘରୋଇ ଲାବୋରେଟୋରୀ ଗୁଡିକ କୋଭିଡ-୧୯ର ପରୀକ୍ଷା କରିପାରିବେ ନାହିଁ
– କେବଳ ସରକାରୀ ଆଇଡିଏସପି ୟୁନିଟ୍ ଜରିଆରେ ନମୁନା ପରୀକ୍ଷା ପାଇଁ ପଠାଇବେ
– ଗତ ୧୪ ଦିନ ଭିତରେ କରୋନା ପ୍ରଭାବିତ ଅଂଚଳକୁ ଗସ୍ତ କରିଥିଲେ ସ୍ୱେଚ୍ଛାକୃତ ଭାବେ ଜଣାଇବେ
– ରାଜ୍ୟ କଂଟ୍ରୋଲ ରୁମ୍ ନମ୍ବର ୦୬୭୪- ୨୩୯୦୪୬୬ରେ ଫୋନ କରି ଜଣାଇ ପାରିବେ
– କୌଣସି ବ୍ୟକ୍ତିଙ୍କଠାରେ କରୋନା ଲକ୍ଷଣ ଦେଖାଗଲେ ତାଙ୍କୁ ସ୍ୱତନ୍ତ୍ର ଭାବେ ଏକୁଟିଆ ରଖାଇ ପାରିବେ ଅଧିକୃତ ଅଧିକାରୀ
– ନିର୍ଦ୍ଦିଷ୍ଟ ଅଂଚଳରେ ସନ୍ଦିଗ୍ଧ ଚିହ୍ନଟ ହେଲେ ସେଠାକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲଗାଇ ପାରିବେ
– ସ୍କୁଲ, ଅଫିସ, ସିନେମା ହଲ, ସୁଇମିଂ ପୁଲ ଓ ଜିମକୁ ବନ୍ଦ କରି ପାରିବେ କିମ୍ବା ଭିଡ ଉପରେ କଟକଣା ଲଗାଇ ପାରିବେ
– ସନ୍ଦିଗ୍ଧ ରୋଗୀ ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚାହିଁଲେ ସ୍ୱତନ୍ତ୍ର ଭାବେ ଏକୁଟିଆ ରଖାଇ ପାରିବେ
– କୌଣସି ସରକାରୀ କୋଠାକୁ କରୋନା ସନ୍ଦିଗ୍ଧଙ୍କ ସ୍ୱତନ୍ତ୍ର ନିରୀକ୍ଷଣ କେନ୍ଦ୍ର ଘୋଷଣା କରିପାରିବେ

ସବୁଠାରୁ ବଡକଥା ହେଉଛି ଏସବୁ ନିୟମାବଳୀ ନମାନିଲେ ଦଣ୍ଡନୀୟ ଅପରାଧ ବୋଲି ବିଚାର କରାଯିବ । ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୮୮ ଅନୁସାରେ ଉଲ୍ଲଂଘନକାରୀଙ୍କ ଉପରେ ଜରିମାନା କରିପାରିବେ ଅଧିକୃତ ଅଧିକାରୀ ।