କନକ ବ୍ୟୁରୋ : ଆଜି ବାରବାଟୀରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ଉଭୟ ଦଳ ଏହି ମ୍ୟାଚରେ ବିଜୟୀ ହେବାକୁ ପରସ୍ପରକୁ ଦେବେ ଟକ୍କର । ଅପରାହ୍ନ ୩ଟାରୁ ଷ୍ଟାଡିୟମ ଭିତରକୁ ଦର୍ଶକଙ୍କୁ ପ୍ରବେଶ ଅନୁମତି ମିଳିବ । ତେବେ ବାରବାଟୀକୁ ମ୍ୟାଚ୍ ଦେଖିବାକୁ ଆସୁଥିବା ଦର୍ଶକମାନେ ସାଙ୍ଗରେ କିଛି ସାମଗ୍ରୀ ଆଣିବାକୁ ବାରଣ କରାଯାଇଛି । ସୁରକ୍ଷା ଜନିତ କାରଣରୁ ବ୍ୟାଗ, ବ୍ରିଫକେସ, ପେଜର, ରେଡିଓ, ଡିଜିଟାଲ ଡାଏରି, ଲ୍ୟାପଟପ, ଟେପ ରେକର୍ଡର, ବାଇନା କୁଲର, ରିମୋଟ କଂଟ୍ରୋଲ ଡିଭାଇସ୍, ମ୍ୟୁଜିକାଲ ଇନଷ୍ଟ୍ରୁମେଂଟ, ଭିଡିଓ କ୍ୟାମେରା, ହେଲମେଟ, ଡିଜିଟାଲ କ୍ୟାମେରା, ଫୋଟକା ବାଣ, ଥର୍ମୋଫ୍ଲାକ୍ସ, ଜଗ, ଛତା, ବିଡ଼ି, ସିଗାରେଟ, ଦିଆସିଲି, ଲାଇଟର, ମିରର, ସିଜର, କାଚ ବସ୍ତୁ, ଛୁରି, ମାରଣାସ୍ତ୍ର, ତରଳ ଖାଦ୍ୟ, ଫଳ, ପାଣି ବୋତଲ, ପାଣି ପାଉଚ, ପଲିଥିନ୍ ଆଣିବାକୁ ଓସିଏ ଓ ପୁଲିସ୍ ପକ୍ଷରୁ ମନା କରାଯାଇଛି । ଦର୍ଶକମାନଙ୍କୁ ଗ୍ୟାଲେରିରେ ପାନୀୟ ଜଳ ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି ।
କାରଣ ୨୦୧୫ରେ ଦକ୍ଷିଣ ଆଫ୍ରିକା ବାରବାଟୀକୁ ଖେଳିବାକୁ ଆସିଥିଲା ବେଳେ ପଡ଼ିଆକୁ ବୋତଲ ମାଡ଼ ଘଟଣା ଚର୍ଚ୍ଚିତ ହୋଇଥିଲା । ଏହି ଦିନଟି ବାରବାଟୀ ଇତିହାସରେ ଏକ କଳାଦିନ ହୋଇ ରହିଯାଇଛି । ତେଣୁ ଚଳିତ ବର୍ଷର ମ୍ୟାଚ୍ ଯେପରି ଶାନ୍ତିଶୃଙ୍ଖଳାର ସହ ଶେଷ ହେବ ସେଥିପାଇଁ ଓସିଏ ସହିତ ପୁଲିସ୍ ପ୍ରଶାସନ ତତ୍ପର ହୋଇଛି । ଡିସିପିଙ୍କ ନେତୃତ୍ୱରେ ଦୁଇଟି ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ଖୋଲାଯାଇ ଦର୍ଶକଙ୍କ ବ୍ୟବହାର ଓ ଗତିବିଧି ଉପରେ ନଜର ରଖାଯିବ । ତେଣୁ ଷ୍ଟାଡିୟମ ଭିତରେ ଓ ବାହାରେ ପର୍ଯ୍ୟାପ୍ତ ସିସି କ୍ୟାମେରା ଲଗାଯାଇଛି ।

Advertisment

ଷ୍ଟାଡିୟମରେ ବିଶୃଙ୍ଖଳା କରୁଥିବା କିମ୍ବା ବିନା ଟିକେଟରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କ ବିରୋଧରେ ପୁଲିସ୍ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି । ଅନଧିକାର ପ୍ରବେଶକୁ ରୋକିବା ପାଇଁ ଷ୍ଟାଡିୟମର ସମସ୍ତ ଗେଟ୍ ଗୁଡ଼ିକରେ ବାରକୋର୍ଡ ଯାଂଚ ମେସିନ୍ ମାଧ୍ୟମରେ ଟିକେଟ ଯାଞ୍ଚ କରାଯିବ । ଥରେ ସିଟରେ ବସିବା ପରେ ସେଠାରୁ ଉଠି ଗ୍ୟାଲେରି ବାହାରକୁ ବାହାରିଲେ, ଦ୍ୱିତୀୟ ଥର ଭିତରକୁ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି ଓସିଏ ପକ୍ଷରୁ ସ୍ପଷ୍ଟ କରାଯାଇଛି ।