ତାପଙ୍ଗ ବନ୍ଦ ପଛରେ କାହାର ହାତ? ଘୋଷଣା ହେଲା, ଜିଲ୍ଲା ପ୍ରଶାସନ ଜାଣିପାରିଲାନି । ଅଫୁଟା ଡିନାମାଇଟକୁ ନେଇ ଲୋକଙ୍କୁ ଡରାଇବାକୁ କିଏ ଦେଇଥିଲା ନିର୍ଦ୍ଦେଶ? ପ୍ରଶାସନର ଅଜାଣତରେ ପଥର ମାଫିଆଙ୍କୁ ଦିଆଯାଉଛି କି ସୁରକ୍ଷା? 

190

କନକ ବ୍ୟୁରୋ : ଲକଡାଉନରେ ସୋସିଆଲ ମିଡ଼ିଆରୁ ଆବିଷ୍କାର ହୋଇଥିବା ନିଜିଗଡ ତାପଙ୍ଗକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ଯେତେବେଳେ ତାପଙ୍ଗକୁ ଯିବା ଉପରେ କଟକଣା ଲାଗିବାର ୨୪ ଘଣ୍ଟା ମଧ୍ୟରେ ଉପଜିଲ୍ଲାପାଳ ମୁହଁ ଖୋଲିଛନ୍ତି । କଟକଣା ଲାଗିଲା କିନ୍ତୁ ଜିଲ୍ଲା ପ୍ରଶାସନ ଜାଣିପାରିଲାନି । ଆଉ ଗଣମାଧ୍ୟମରେ ଏହି ଖବର ସାମ୍ନାକୁ ଆସିବା ପରେ କଟକଣା ଉପରେ ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉପ-ଜିଲ୍ଲାପାଳ ।

ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ଜିଲ୍ଲା-ପ୍ରଶାସନ ବାରଣ କରିନି ତେବେ ଏତେ ବଡ ନିଷ୍ପତ୍ତି ନେଲା କିଏ?  ଜିଲ୍ଲା-ପ୍ରଶାସନ ନାଁରେ ପୋଲିସ ଉପସ୍ଥିତିରେ କଟକଣା ଲଗାଇଲା କିଏ? କଟକଣା ନିଷ୍ପତ୍ତି ନେଇଥିବା ବାବୁ ଓ  ଜିଲ୍ଲା-ପ୍ରଶାସନ ମଧ୍ୟରେ ରହିଛି କି ତାଳମେଳର ଅଭାବ? ଯଦି ଜିଲ୍ଲା ପ୍ରଶାସନ କଟକଣା ଲଗାଇନି ତେବେ ଏହା ପଛରେ ରହିଛି କି ପଥର ମାଫିଆଙ୍କ ହାତ? କାରଣ ତାପଙ୍ଗରେ ଦୀର୍ଘ ଦିନ ହେବ ଚାଲିଥିଲା ପାହାଡ ଚିରା । ଆଉ  ବଡ ବଡ ପାହାଡକୁ ଚିରି ଟନ୍ ଟନ୍ ପଥର ଚାଲାଣ କରୁଥିଲେ ପଥର ମାଫିଆ । ଆଉ ଏଭଳି ସ୍ଥିତିରେ ଏବେ ତାପଙ୍ଗକୁ ଲୋକଙ୍କ ଯାଆସ ପଥର ମାଫିଆଙ୍କ କାର୍ଯ୍ୟରେ ବାଧା ଦେଉନି ତ?

ଲକଡାଉନରେ ପାହାଡ ଖୋଳା କିଛି ଦିନ ବନ୍ଦ ରହିଥିବା ବେଳେ ଖାଲୁଆ ସ୍ଥାନରେ ପାଣି ଜମି ଯାଇଥିଲା । ଯାହାର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ସହ ତାପଙ୍ଗକୁ ଛୁଟିଥିଲା ଲୋକଙ୍କ ଭିଡ଼ । ଚାରିପଟେ ଖଣ୍ଡ ବିଖଣ୍ଡିତ ପାହାଡ ଓ ମଝିରେ ସବୁଜ ରଙ୍ଗର ଚକଚକ କରୁଥିବା ପାଣି ତାପଙ୍ଗର ସୌନ୍ଦର୍ଯ୍ୟକୁ ବଢାଇ ଦେଇଥିଲା । ଏପରିକି ଏହାକୁ ଓଡ଼ିଶାର ଲଦାଖ ବୋଲି ଟ୍ୟାଗ୍ ଦେଇଥିଲେ ସୋସିଆଲ ମିଡ଼ିଆ ୟୁଜର୍ସ । ଆଉ ଏଭଳି ଡେଷ୍ଟିନେସନରେ ଫଟୋ ଉଠାଇବା ପାଇଁ ଲୋକଙ୍କ ଭିଡ଼ ଜମୁଥିବା ବେଳେ ଗତକାଲି ଜିଲ୍ଲା ପ୍ରଶାସନ ତାପଙ୍ଗଙ୍କୁ ବିପଦପୂର୍ଣ୍ଣ ଦର୍ଶାଇବା ସହ ଡିନାମାଇଟ ଫୁଟିବାର ଭୟ ଦେଖାଇ ଏଠାକୁ ଲୋକଙ୍କ ଆସିବା ଉପରେ ବାରଣ ଲଗାଇବାକୁ ମାଇକରେ ଘୋଷଣା କରିଥିଲା ।

ଦୁଇ ଦିନ ବିତିଗଲାଣି  । କିନ୍ତୁ ତାପଙ୍ଗ ଆସିବା ଉପରେ କଟକଣା କିଏ ଲଗାଇଛି ତାହା ଏଯାଏଁ ସ୍ପଷ୍ଟ ହୋଇପାରୁନି । ଜିଲ୍ଲା-ପ୍ରଶାସନ ଅନୁଧ୍ୟାନର ନାରା ଦେଇ ଚୁପ୍ ବସିଛି । କିନ୍ତୁ ଏହି କଟକଣା ଘୋଷଣା ପଛରେ କାହାର ହାତ ଅଛି ଓ ଜିଲ୍ଲା ପ୍ରଶାସନର ଅଜାଣତରେ ଏଭଳି ନିଷ୍ପତି ନେବା ପଛରେ କଣ ଉଦ୍ଦେଶ୍ୟ ରହିଛି, ପଥରମାଫିଆଙ୍କୁ ସୁରକ୍ଷା ଦେବାକୁ ଯାଇ କେହି ସରକାରୀ ବାବୁ ଏଭଳି ଘୋଷଣା କରାଇନାହାନ୍ତି ତ? କାହାକୁ ସୁରକ୍ଷା ଦେବାକୁ ଯାଇ ତାପଙ୍ଗକୁ ଲୋକଙ୍କ ନଜରରୁ ଲୁଚାଇବାକୁ ଚେଷ୍ଟା ଚାଲିଛି । ତାପଙ୍ଗ କଟକଣା ଘୋଷଣାକୁ ନେଇ ଏଭଳି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।