କନକ ବ୍ୟୁରୋ: ଏପରି ଅନେକ ସ୍ଥାନ ରହିଛି ଯେଉଁଠି କୌଣସି ବିଭେଦତା ବିନା ସମସ୍ତଙ୍କୁ ସମାନ ଭାବେ ବ୍ୟବହାର କରାଯାଏ । ସେଥିରୁ ଗୋଟିଏ ସ୍ଥାନ ହେଉଛି ରେଷ୍ଟୁରାଣ୍ଟ । ହେଲେ ଏପରି ସ୍ଥାନରେ ଯଦି ଗ୍ରାହକଙ୍କୁ କଡା କଟକଣାର ସାମନା କରିବାକୁ ପଡେ ତେବେ କଥା ସରିଲା । ଅଷ୍ଟ୍ରେଲିଆରେ ଏପରି ଏକ ରେଷ୍ଟୁରାଣ୍ଟ ରହିଛି ଯେଉଁଠି ଗ୍ରାହକଙ୍କ ପାଇଁ ରହିଛି କିଛି କଟକଣା । ସେ କଟକଣା ପୁଣି ଏପରି ଯେ ଯାହାକୁ ନିର୍ଦ୍ଦିଷ୍ଟ ବର୍ଗର ଗ୍ରାହକ ସହଜରେ ଗ୍ରହଣ କରିବା କଷ୍ଟକର ।
ଏହି ରେଷ୍ଟୁରାଣ୍ଟର ନିୟମ ଅନୁସାରେଏଠାକୁ ଆସୁଥିବା ଲୋକେ ମହଙ୍ଗା ପୋଷାକ ବା ଭାରି ଗହଣା ପିନ୍ଧିପାରିବେ ନାହିଁ । ସହରର ବଡବଡ ସେଲିବ୍ରିଟି ଓ ରାଜନେତାମାନେ ଅନେକ ସମୟରେ ଏହି ରେଷ୍ଟୁରାଣ୍ଟକୁ ଆସିଥାନ୍ତି । ଅନେକ ନିୟମ ଥିଲେ ବି ପୂର୍ବରୁ ଏଠାକୁ ଆସୁଥିବା ଲୋକେ ନିୟମକୁ ପାଳନ କରୁନଥିଲେ । କିନ୍ତୁ ଏବେ ଏହାକୁ କଡାକଡି କରିଛନ୍ତି ରେଷ୍ଟୁରାଣ୍ଟ ମାଲିକ । ଏହା ପଛର କାରଣ ଏପରି ଯାହା ବଡବଡିଆଙ୍କୁ ଖରାପ ଲାଗିପାରେ କିନ୍ତୁ ଜଣେ ସାଧାରଣ ଲୋକଙ୍କୁ ଖୁସି କରିବ ନିଶ୍ଚୟ । ଏପରି କଡା ନିୟମ ପଛରେ ରହିଛି ରେଷ୍ଟରାଣ୍ଟ ମାଲିକଙ୍କର ସରଳ ଚିନ୍ତାଧାରା ।
ତାଙ୍କ କହିବା ମୁତାବକ, ଏହି ରେଷ୍ଟୁରାଣ୍ଟକୁ ସବୁ ବର୍ଗ –ମଧ୍ୟବିତ୍ତ ବର୍ଗଠାରୁ ଆରମ୍ଭ କରି ଧନୀକ ବର୍ଗର ଲୋକେ ଖାଇବାକୁ ଆସନ୍ତି । ହେଲେ ଯେତେବେଳେ ଧନୀକ ଲୋକେ ଦାମୀ ପୋଷାକ, କିମ୍ବା ଦାମୀ ଗହଣା ପିନ୍ଧି ଆସନ୍ତି ଏଠାରେ ଖାଉଥିବା ସାମାନ୍ୟ ଲୋକଙ୍କୁ ହୁଏତ ଖରାପ ଲାଗିପାରେ । ସେମାନଙ୍କ ମନ ମଧ୍ୟରେ ହୁଏତ ନିଜ ପାଇଁ ହିନମନ୍ୟତା ସୃଷ୍ଟି ହୋଇପାରେ । ତେଣୁ ଏପରି ଏକ ସାର୍ବଜନୀନ ସ୍ଥାନରେ ଏକ ସୌହାର୍ଦ୍ଦ୍ୟମୟ ପରିବେଶ ସୃଷ୍ଟି ହେବା ଆବଶ୍ୟକ । ଏଠାରେ କେହି ଛୋଟବଡ ନୁହଁନ୍ତି । ସମସ୍ତଙ୍କୁ ସମାନ ଆତିଥ୍ୟ ଦିଆଯିବ । ଏଠାକୁ ଆସୁଥିବା ସବୁ ବର୍ଗର ଲୋକେ ନିଜକୁ ସହଜ ଅନୁଭବ କରନ୍ତୁ । ଧନୀ ଓ ପ୍ରଭାବଶାଳୀ ଲୋକଙ୍କୁ ଦେଖି ସାଧାରଣ ବର୍ଗ ଗ୍ରାହକ ଯେପରି ସଙ୍କୋଚ ଅନୁଭବ ନକରନ୍ତୁ ଏଥିପାଇଁ ରେଷ୍ଟୁରାଷ୍ଟ ମାଲିକ ଲାଗୁ କରିଛନ୍ତି ଏପରି କଡା ନିୟମ । କେବଳ ଏତିକି ନୁହେଁ ଏହି ରେଷ୍ଟୁରାଣ୍ଟରେ ଖାଇବାକୁ ହେଲେ ଏକ ଡ୍ରେସକୋଡ୍ ଲାଗୁ ହୋଇଛି ।
ଅନ୍ୟପଟେ ଉକ୍ତ ଅଞ୍ଚଳର କାଉନସିଲର ମ୍ୟାରୀ-ଉ-ଜାରଭିସ୍ କହିଛନ୍ତି, ବ୍ୟବସାୟୀଙ୍କର ନିଜସ୍ୱ ନିୟମ ଚୟନ କରିବାର ଅଧିକାର ରହିଛି । ଯାହାଙ୍କର ଏହି ନିୟମ ପସନ୍ଦ ନୁହେଁ, ସେମାନେ ଅନ୍ୟତ୍ର ଯାଇପାରିବେ ବୋଲି ରେଷ୍ଟୁରାଣ୍ଟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
Follow Us