ଅନ୍ୟର ଜୀବନ ବଂଚାଇବାକୁ ଛାତିକୁ ପଥର କରି ଦେଇଥିଲେ ଏନଡିଆରଏଫ ଯବାନ । କନକ ନ୍ୟୁଜ କ୍ୟାମେରାରେ ବୟାନ କଲେ ସେ ସମୟର କରୁଣ କାହାଣୀ

583

କନକ ବ୍ୟୁରୋ : ବାହାନଗା ଟ୍ରେନ୍ ଦୁର୍ଘଟଣା ସ୍ଥଳରୁ ଯେଉଁ ସବୁ ଚିତ୍ର ସାମ୍ନାକୁ ଆସିଛି,ତାହା ଦେଖିଲା ବେଳକୁ ଦେହ ଶୀତେଇ ଯାଉଛି । ଯେଉଁ ଘଟଣାର ଚିତ୍ର ଆମେ ଟିଭି କିମ୍ବା ମୋବାଇଲରେ ଦେଖିବା ବି ସମ୍ଭବ ହେଉନାହିଁ, ସେହିଭଳି ସ୍ଥାନରେ ଅନ୍ୟର ଜୀବନ ବଂଚାଇବା ପାଇଁ ଛାତିକୁ ପଥର କରି ଠିଆ ହୋଇଥିବା ସାହସୀ ମଣିଷମାନେ ହେଉଛନ୍ତି ଏନଡିଆରଏଫ୍ ଯବାନ ।

କୁଢ଼ କୁଢ଼ ଶବ । କେଉଁ ଶରୀରରେ ହାତ ନାହିଁ । କେଉଁ ଗଣ୍ଡିରେ ମୁଣ୍ଡ ନାହିଁ । ସେହିଭଳି ପରିସ୍ଥିତିରେ ଉଦ୍ଧାରକାର୍ଯ୍ୟ କରିଥିଲେ ଏନଡିଆରଏଫ୍ ଟିମର ସାହସୀ ଯବାନମାନେ । ଦାୟିତ୍ୱର ଆହ୍ୱାନକୁ ଆଦରି ନେଇ ଭାରତର ଅନ୍ୟତମ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ହୋଇଥିଲେ ଏହି ଯବାନମାନେ ।

ଅସ୍ୱାଭାବିକ ପରିବେଶରେ ସାହସିକତାର ସହ ମୁକାବିଲା କରିଥିବା ଏହି ଏନଡିଆରଏଫ୍ ଯବାନଙ୍କ ମନୋବଳ ବଢ଼ାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଉ କୁଢ଼ କୁଢ଼ ଶବକୁ ନିଜ ଆଖିରେ ଦେଖିଥିବା ଯବାନଙ୍କ ମାନସିକ ସ୍ଥିତିର ଯାଂଚ କରିଛନ୍ତି କଟକ ଏସସିବିର ଏକ ମନୋବୈଜ୍ଞାନିକ ଟିମ୍ ।

ବାହାନଗା ରେଳ ଦୁର୍ଘଟଣାରେ ଉଦ୍ଧାରକାର୍ଯ୍ୟର ଗୁରୁ ଦାୟିତ୍ୱ ନେଇଥିଲେ, ଏନଡିଆରଏଫ୍ ଓ ଏସଡିଆରଏଫ୍ ଟିମ୍ । ୫୦ ଘଂଟା ଧରି ଉଦ୍ଧାରକାର୍ଯ୍ୟ ହୋଇଥିଲା । ମୃତାହତଙ୍କୁ ଉଦ୍ଧାର କରିବା ପାଇଁ ଲଗାତାର ଭାବେ ନିୟୋଜିତ ହୋଇଥିଲେ ଏନ୍ଡିଆରଏଫ୍ ଯବାନ ।