ଆଇପିଏସ୍ ସତିଶ ଗଜଭିୟେଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି । ମାସକ ଭିତରେ ପଦୋନ୍ନତି ଓ ଆନୁସଙ୍ଗିକ ସୁବିଧା ପ୍ରଦାନ ପାଇଁ ନିର୍ଦ୍ଦେଶ ।

584

କନକ ବ୍ୟୁରୋ : ଆଇପିଏସ୍‌ ସତୀଶ କୁମାର ଈଶ୍ବରଦାସ ଗଜଭିୟେଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି ମିଳିଛି । ମାଲକାନଗିରି ଏସପି ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ବିରୋଧରେ ଥିବା ଅଭିଯୋଗ ଆଧାରରେ ଆରମ୍ଭ କରାଯାଇଥିବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନକୁ ଚାଲେଞ୍ଜ କରି ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ହାଇକୋର୍ଟ ଶ୍ରୀ ଗଜଭିୟେଙ୍କ ଆବେଦନକୁ ଗ୍ରହଣ କରିବା ସହିତ ନ୍ୟାୟ ସଂଗତ କାର୍ଯ୍ୟାନୁଷ୍ଠାନର ମାନଦଣ୍ଡକୁ ଉପେକ୍ଷା କରି ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା ବୋଲି କହିଛନ୍ତି । ଆଇନର ମୌଳିକ ନିୟମ ଅନୁସାରେ ପକ୍ଷ ରଖିବାକୁ ସୁଯୋଗ ନ ଦେଇ କାହାର ଅଧିକାର ପ୍ରଭାବିତ ହେବା ଭଳି କୌଣସି ନିଷ୍ପତ୍ତି ନିଆଯିବା ଉଚିତ ନୁହେଁ । କିନ୍ତୁ ଏହି ମାମଲାରେ ଏହି ନିୟମ ପାଳନ କରାଯାଇ ନଥିଲା ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି ।

ଏଥି ସହ ସତୀଶ ଗଜଭିୟେଙ୍କୁ ସମସ୍ତ ପ‌ଦୋନ୍ନତି ଓ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ଏକ ମାସ ଭିତରେ ପ୍ରଦାନ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି ।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୦୨ର ବ୍ୟାଚ୍‌ର ଆଇପିଏସ୍ ଶ୍ରୀ ଗଜଭିୟେ ମାଲକାନଗିରି ଏସପି ଭାବେ କାର୍ଯ୍ୟ କରୁଥିବା ବେଳେ ୨୦୦୭, ଜୁଲାଇ ୨୫ରେ ଜଣେ ହାର୍ଡକୋର୍ ମାଓବାଦୀ ଗିରଫ ହୋଇଥିଲା । ଏହି ଗିରଫଦାରୀ ଘଟଣାରେ ୬ଜଣ ପୁଲିସ ଅଧିକାରୀଙ୍କୁ ୧ ଲକ୍ଷ ୫୫ ହଜାର ଟଙ୍କା ପୁରସ୍କାର ଦେବା ନିଷ୍ପତ୍ତି ହୋଇଥିଲା । କିନ୍ତୁ ଏହି ପୁଲିସ ଅଧିକାରୀଙ୍କୁ ପୁରସ୍କାର ମିଳି ନଥିବା ଅଭିଯୋଗ ହୋଇଥିଲା । ଏନେଇ ଗୁଇନ୍ଦା ନିର୍ଦ୍ଦେଶକ ତତ୍କାଳୀନ ଡିଆଇଜି(ଗୁଇନ୍ଦା)ଙ୍କୁ ଅଭିଯୋଗର ତଦନ୍ତ କରି ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ । ୨୦୧୨ରେ ଏ ସଂପର୍କିତ ପ୍ରାଥମିକ ତଦନ୍ତ ରିପୋର୍ଟ ଡିଆଇଜି ଦାଖଲ କରିଥିଲେ । ଏହାପରେ ୨୦୧୫ରେ ଶ୍ରୀ ଗଜଭିୟେଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା ।

ଏହି ପ୍ରକ୍ରିୟାକୁ ଚାଲେଞ୍ଜ କରି ସତୀଶ ଗଜଭିୟେ ପ୍ରଥମେ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବୁନାଲର କଟକ ଖଣ୍ଡପୀଠରେ ମାମଲା ରୁଜୁ କରିଥିଲେ । ପରବର୍ତ୍ତୀ ସମୟରେ ଏହି ମାମଲା କ୍ୟାଟ୍‌ର ଦିଲ୍ଲୀସ୍ଥିତ ପ୍ରମୁଖ ଖଣ୍ଡପୀଠକୁ ସ୍ଥାନାନ୍ତର ହୋଇଥିଲା । କ୍ୟାଟ୍ ମାମଲାର ଶୁଣାଣି କରି ୨୦୧୮, ଅଗଷ୍ଟ ୧୦ରେ ଗଜଭିୟେଙ୍କ ଆବେଦନକୁ ଖାରଜ କରିଥିଲେ । କ୍ୟାଟଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ କରି ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।