ଲୋକଙ୍କ ଜୀବନ ରକ୍ଷାରେ ବାଧକ ହେବନି ସମ୍ବଳ । କରୋନା ଲଢେଇରେ ସାମିଲ ଥିବା ଆଗଧାଡିର ଯୋଦ୍ଧାଙ୍କୁ କୃତଜ୍ଞତା ଜଣାଇଲେ ନବୀନ

175

କନକ ବ୍ୟୁରୋ : ଲୋକଙ୍କ ଜୀବନ ରକ୍ଷା ହେଉଛି ରାଜ୍ୟର ପ୍ରାଥମିକତା । ତେଣୁ ଲୋକଙ୍କ ଜୀବନ ରକ୍ଷାରେ ସମ୍ବଳ କେବେ ବି ବାଧକ ହେବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ୍ ୧୯ ସମ୍ପର୍କରେ ବିଧାୟକ ମାନଙ୍କ ଏକ ସଚେତନତା କର୍ମଶାଳାକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, କୋଭିଡ୍ ଯୋଦ୍ଧା ଭାବରେ କାମ କରୁଥିବା ଓଡିଆ ଭାଇଭଉଣୀ ମାନେ ଦରମା ପାଇଁ ନୁହେଁ ବରଂ ଏହି ଲଢେଇକୁ ଏକ ମିଶନ ଭାବରେ ଗ୍ରହଣ କରି ଲୋକଙ୍କ ଜୀବନ ରକ୍ଷା ପାଇଁ ଦିନରାତି ସେବା ଯୋଗାଇ ଚାଲିଛନ୍ତି । ସେମାନଙ୍କ ତ୍ୟାଗ  ଓ ନିଷ୍ଠା ସାରା ଓଡିଶା ପାଇଁ ପ୍ରେରଣା ।

ଏହି ଲଢେଇରେ ସାମିଲ ହୋଇ ଆଗ ଧାଡିରେ ରହି ଅଦୃଶ୍ୟ ଶତ୍ରୁ ବିରୋଧରେ ଯୁଦ୍ଧ ଜାରି ରଖିଥିବା କୋଭିଡ ଯୋଦ୍ଧାଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ବିଧାୟକ ମାନେ ବ୍ୟକ୍ତିଗତ ଭାବେ ନିଜର ଯତ୍ନ ନେବା ସହ ନିଜ ଅଂଚଳରେ ଏହି ପରିସ୍ଥିତିରେ ପ୍ରେରଣା ଦାୟୀ ନେତୃତ୍ୱ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।  ସେପଟେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର କରୋନା ମୁକାବିଲା ପାଇଁ ଏକ ଗୃହ କମିଟି ଗଠନ କରିବାକୁ ଦାବି କରିଛନ୍ତି । ଏହି କମିଟି ତୃଣମୂଳ ସ୍ତରରେ ଚାଲିଥିବା ପରିସ୍ଥିତିକୁ ନେଇ ଅଧିକାରୀଙ୍କୁ ଅବଗତ କରେଇବ ବୋଲି ସେ କହିଛନ୍ତି ।

ଏହା ସହ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ମିଳିମିଶି ସଂକଟର ମୁକାବିଲା କରି ପାଇଁ ବିଜେପି ସହଯୋଗ କରୁଛି ବୋଲି କହିଛନ୍ତି  । ପ୍ରାଥମିକ ସ୍ତରରେ ରାଜ୍ୟ ସରକାର ଉଚ୍ଚମାନର ମୁକାବିଲା କରିଥିବା ବେଳେ ପରବର୍ତୀ ସମୟରେ ଏଥିରେ ବିଚ୍ୟୁତି ଦେଖାଗଲା ବୋଲି ସେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ପଶ୍ଚିମ ଓଡିଶାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସରକାର ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବି କରିଥିଲେ ପ୍ରଦୀପ୍ତ ନାୟକ ।