ମମିତା ମାମଲାରେ ଭୁବନେଶ୍ୱରରୁ ଦିଲ୍ଲୀ ଯାଏଁ ବିଜେପିର ବିକ୍ଷୋଭ ପ୍ରଦର୍ଶନ । ଦିଲ୍ଲୀ ପଟେଲ ଚୌକରେ ପ୍ରତିବାଦ ସଭାକରି ସିବିଆଇ ତଦନ୍ତ ଦାବି କଲା ଦଳ ।

99

କନକ ବ୍ୟୁରୋ : ମମିତା ମୃତ୍ୟୁ ମାମଲାର ପ୍ରତିବାଦ ରାଜଧାନୀଠୁ ଦେଶର ରାଜଧାନୀ ଯାଏଁ ଦେଖିବାକୁ ମିଳିଛି । ଦିଲ୍ଲୀ ପଟେଲ ଚୌକରେ ବିଜେପି କର୍ମୀ ପ୍ରତିବାଦ କରି ମନ୍ତ୍ରୀଙ୍କ ବହିଷ୍କାର ସହ ସିବିଆଇ ତଦନ୍ତ ଦାବି କରିଛନ୍ତି । ଏପଟେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଗିରଫ ଦାବିରେ କ୍ୟାପିଟାଲ ଥାନା ଘେରାଉ କରିଛି ଦଳ । ଅନ୍ୟପଟେ କଂଗ୍ରେସ ମମିତାଙ୍କୁ ନ୍ୟାୟ ଦାବିରେ ଦିଲ୍ଲୀର ଜନ୍ତରମନ୍ତରରେ ବିକ୍ଷୋଭ କରିବ ବୋଲି କହିଛି ।

ମମିତା ହତ୍ୟା ମାମଲା: ଦିଲ୍ଲୀରେ ଆନ୍ଦୋଳନ । ସିବିଆଇ ତଦନ୍ତ ଦାବିରେ ବିଜେପିର ବିକ୍ଷୋଭ । ମମିତା ମୃତ୍ୟୁ ମାମଲାକୁ ନେଇ ପଲ୍ଲୀରୁ ଦିଲ୍ଲୀ ଯାଏଁ ଆନ୍ଦୋଳନକୁ ଓହ୍ଲାଇଛି ବିଜେପି । ଦିଲ୍ଲୀର ପଟେଲ ଚୌକଠାରେ ବିଜେପି କର୍ମୀ ମମିତାଙ୍କ ପରିବାରକୁ ନ୍ୟାୟ ଓ ସିବିଆଇ ତଦନ୍ତ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ହାତରେ ପ୍ଲାକାର୍ଡ ଧରି ମନ୍ତ୍ରୀଙ୍କ ବିରୋଧରେ ନାରାବାଜି କରିବା ସହ ମନ୍ତ୍ରୀଙ୍କୁ ବହିଷ୍କାର କରିବାକୁ ଦାବି କରିଛନ୍ତି ବିଜେପି ନେତା ଓ କର୍ମୀ ।

ମନ୍ତ୍ରୀଙ୍କ ଗିରଫ ଓ ବହିଷ୍କାର ଦାବିରେ ବିକ୍ଷୋଭ । ଦିବ୍ୟଶଙ୍କରଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା । ମମିତା ହତ୍ୟାକାଣ୍ଡ ମାମଲାରେ ପ୍ରତିବାଦ ଜାରି ରଖିଛି ବିଜେପି । ପୁରା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଭୂମିକା ସନ୍ଦେହପୂର୍ଣ୍ଣ ରହିଥିବା ଅଭିଯୋଗ କରି ତାଙ୍କ ବହିଷ୍କାର ଓ ଗିରଫ ଦାବିରେ ଆନ୍ଦୋଳନକୁ ଜୋରଦାର କରିଛି ଦଳ । କ୍ୟାପିଟାଲ ଥାନା ଘେରାଉ କରାଯିବା ସହ ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ, ମନ୍ତ୍ରୀଙ୍କ ବିରୋଧରେ କ୍ୟାପିଟାଲ ଥାନରେ ଏତଲା ଦିଆଯାଇଛି ।

ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଦିଲ୍ଲୀରେ ଆନ୍ଦୋଳନ କରିବ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ । ନଭେମ୍ବର ୬ ଓ ୭ରେ ଭୁବନେଶ୍ୱର ରାଜଭବନ ସମ୍ମୁଖରେ ଅହୋରାତ୍ର ଧାରଣା ଦେବ । ୮ ତାରିଖରେ ରାଜ୍ୟପାଳଙ୍କୁ ଦାବି ପତ୍ର ପ୍ରଦାନ କରିବ । ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ୯ ଓ ୧୦ ତାରିଖରେ ଦିଲ୍ଲୀ ସ୍ଥିତ ଆବାସିକ କମିଶନରଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରାଯିବ ବୋଲି ଚେତାବନୀ ଦେଇଛି ଯୁବ କଂଗ୍ରେସ । ଏପରିିକି ୧୧ ତାରିଖରେ ଜନ୍ତରମନ୍ତରରେ ଧାରଣା ଦେବକୁ ଘୋଷଣା କରିଛି ଯୁବ କଂଗ୍ରେସ ।

ବିଜେପି ଓ କଂଗ୍ରେସ ପ୍ରତିନିଧି ଦଳର ଘନଘନ ଗସ୍ତ ପରେ ପ୍ରଥମଥର ପାଇଁ ମମିତାଙ୍କ ପରିବାରକୁ ଭେଟିଛନ୍ତି ବିଜେଡି ନେତା । ଶନିବାର ସକାଳେ ସ୍ଥାନୀୟ ବିଜେଡି ନେତା ଅଜୟ ଦାସ ତାଙ୍କ ସମର୍ଥକଙ୍କ ସହିତ ଝରନି ଗାଁରେ ପହଞ୍ଚି ମମିତାଙ୍କ ଭାଇ ବଣ୍ଟି ମେହେରଙ୍କ ସହ ଆଲୋଚନା କରିଛନ୍ତି । ମମିତା ମେହେରଙ୍କ ହତ୍ୟାକାଣ୍ଡକୁ ନେଇ ଦୀର୍ଘ ୧୦ ଦିନ ହେଲା ସାରା ରାଜ୍ୟ ଉଠୁଥିବା ପଡୁଥିବାବେଳେ ଆନ୍ଦୋଳନ ଏବେ ଦିଲ୍ଲୀ ଦରବାରେ ପହଞ୍ଚିଛି । ତେବେ ପ୍ରମାଣ ନଥାଇ ବିରୋଧୀ ଦଳ ରାଜନୈତିକ ତାମସା କରୁଥିବା ଅଭିଯୋଗ କରିଛି ବିଜେଡି ।