ବିଧାନସଭାରେ ସଂକଳ୍ପ ପାରିତ : ୫୦% ଉପରେ ରହୁ ସଂରକ୍ଷଣ ।

138

କନକ ବ୍ୟୁରୋ : ଆଲୋଚନା, ହୋ-ହାଲ୍ଲା, ପାଟିତୁଣ୍ଡ ଓ ବିଲ୍ ପାରିତ ଭିତରେ ଆଜି ଶେଷ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ । ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିବା ସହ ମୌସୁମୀ ଅଧିବେଶନ ଶେଷ ହୋଇଛି । ତେବେ ମୌସୁମୀ ଅଧିବେଶନର ଶେଷ ଦିନରେ ହୋ-ହାଲ୍ଲା ଭିତରେ ଜାତିଭିତିକ ଜନଗଣନା ଓ ସଂରକ୍ଷଣ ସୀମା ୫୦ ପ୍ରତିଶତ ବଢ଼ାଇବା ଦାବିରେ ବିଧାନସଭାରେ ସଂକଳ୍ପ ପ୍ରସ୍ତାବ ଆଗତ ହୋଇଥିଲା । ମନ୍ତ୍ରୀ ଜଗନ୍ନାଥ ସାରକା ଏହି ସଂକଳ୍ପ ପ୍ରସ୍ତାବ ଗୃହରେ ଆଗତ ହୋଇଥିଲା । ଆଉ ବିରୋଧୀଙ୍କ ହୋ-ହାଲ୍ଲା ଭିତରେ ବିଧାନସଭାରେ ସଂକଳ୍ପ ପାରିତ ହୋଇଛି । ଏହି ସଂକଳ୍ପକୁ ରାଜ୍ୟ ଓବିସି କମିଶନଙ୍କ ନିକଟକୁ ବିଧାନସଭା ପକ୍ଷରୁ ପଠାଯିବ । ଆଉ କମିଶନ ଏହି ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କୁ ପଠାଇବେ । ତେବେ ଏହି ପ୍ରସ୍ତାବକୁ ନେଇ ଆଲୋଚନା ବେଳେ ବିରୋଧୀ କଂଗ୍ରେସ ଓ ବିଜେପି ଅନୁପସ୍ଥିତ ଥିଲେ। ପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟ ସଂରକ୍ଷଣ ସୀମାକୁ ୫୦ ପ୍ରତିଶତ ଭିତରେ ସୀମିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ତେଣୁ ସଂରକ୍ଷଣ ସୀମା ବଢାଇବାକୁ କେନ୍ଦ୍ର ସରକାରଙ୍କ ଉପରେ ଏହି ସଂକଳ୍ପ ମାଧ୍ୟମରେ ଚାପ ପକାଇବ ବିଜେଡି ।

ପୂର୍ବରୁ ଲୋକସଭାରେ ଓବିସି ବିଲ୍ ପାସ୍ ହେବା ବେଳେ ଏହାକୁ କୌଣସି ଦଳ ବିରୋଧ କରିନଥିଲେ । ଓବିସି ବର୍ଗ ଦେଶର ମୋଟ ଜନସଂଖ୍ୟାର ଅର୍ଦ୍ଧାଧିକ ଥିବାରୁ ଭୋଟ ହାତେଇବା ଲାଗି ସବୁ ଦଳ ଏହାକୁ ସମର୍ଥନ କରିଥିବା ଏକ ସ୍ୱାଭାବିକ ଅନୁମାନ । ତେବେ ବିଧେୟକ ପାସ ହେବା ପରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଅନ୍ୟ ପଛୁଆ ବର୍ଗ, ଓବିସି ତାଲିକା ପ୍ରସ୍ତୁତ କରିପାରିବେ । ଦେଶର ୬୭୧ ଜାତି ଏଥିରୁ ଲାଭବାନ ହୋଇପାରନ୍ତି, ବିଭିନ୍ନ ସମୁଦାୟକୁ ସାମାଜିକ ଓ ଅର୍ଥନୈତିକ ନ୍ୟାୟ ମିଳିବ ବୋଲି ଯୁକ୍ତି ବାଢୁଛନ୍ତି ଅଧିକାଂଶ ରାଜନୈତିକ ଦଳ ।

ଚଳିତ ବିଧାନସଭାର ମୌସୁମୀ ଅଧିବେଶନ ସେପ୍ଟେମ୍ବର ୧ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆଜି ଶେଷ ହୋଇଛି । ଚଳିତ ଅଧିବେଶନରେ ମୋଟ୍ ୮ଟି କାର୍ୟ୍ୟ ଦିବସ ଥିଲା । ଯେଉଁଥିରେ ସରକାରୀ କାର୍ଯ୍ୟଦିବସ ୭ ଟା ଏବଂ ଗୋଟିଏ ବେସରକାରୀ କାର୍ଯ୍ୟ ଦିବସ ରହିଥିଲା । ଏହି ଅଧିବେଶନରେ ତିନୋଟି ମୁଲତବୀ ପ୍ରସ୍ତାଵ ଆସିଥିଲା ବେଳେ ୧୩ ଟି ବିଲ ପାରିତ ହୋଇଛି ।