ବିଧାନ ପରିଷଦ ଗଠନ ପାଇଁ ବାଟ ଫିଟିଲା ! ବିଧାନସଭାରେ ସଂକଳ୍ପ ପ୍ରସ୍ତାବ ପାରିତ, ବିଧାନ ପରିଷଦ ଗଠନ ସପକ୍ଷରେ ଭୋଟ ଦେଲେ ୧୦୪ ବିଧାୟକ

71

କନକ ବ୍ୟୁରୋ : ବିଧାନ ପରିଷଦ ପାଇଁ ଫିଟିଲା ବାଟ । ରାଜ୍ୟରେ ବିଧାନ ପରିଷଦ ଗଠନ ନେଇ ଆଜି ବିଧାନସଭାରେ ଆଗତ ସଂକଳ୍ପ ପାରିତ ହୋଇଛି । ବିଧାନ ପରିଷଦ ଗଠନ ପାଇଁ ଗୃହରେ ପାରିତ ହୋଇଥିବା ସଂକଳ୍ପ ପ୍ରସ୍ତାବ ସପକ୍ଷରେ ୧୦୪ ବିଧାୟକ ଭୋଟ ଦେଇଛନ୍ତି । ଗୃହରେ ଉପସ୍ଥିତ ଥିବା ସମସ୍ତ ବିଜେଡି ବିଧାୟକ ଏହି ସଂକଳ୍ପ ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିଲେ । ତେବେ କଂଗ୍ରେସ ଓ ବିଜେପି ସଭ୍ୟ ମାନେ ସଂକଳ୍ପ ପ୍ରସ୍ତାବକୁ ବିରୋଧ କରି ଭୋଟିଂ ପୂର୍ବରୁ ଗୃହତ୍ୟାଗ କରିଥିଲେ । ବିଧାନସଭାରେ ଶାସକ ଦଳର ସଂଖ୍ୟା ଗରିଷ୍ଠତା ଥିବାରୁ ଏହା ବେଶ ସହଜରେ ପାରିତ ହୋଇଛି । ସଂକଳ୍ପ ପାରିତ ହେବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ପାଇଁ ବିଧାନ ପରିଷଦ ଆବଶ୍ୟକତା ରହିଥିଲା । ଏହା ରାଜ୍ୟବାସୀଙ୍କ ଆଶା ପୂରଣ କରିବ ।

ଗତ ମାସରେ ରାଜ୍ୟ କ୍ୟାବିନେଟ୍ ଏହି ପ୍ରସ୍ତାବ ଉପରେ ମୋହର ମାରିଥିଲେ । ତେବେ ବିଧାନ ପରିଷଦ ଗଠନ ନେଇ ପୂର୍ବରୁ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ବିରୋଧୀ ଦଳ ନେତା କହିଛନ୍ତି ଯେତେବେଳେ ଗୋଟିଏ ସଦନ ଠିକ୍ ଢ଼ଙ୍ଗରେ ଚାଲିପାରୁନି, ସେତେବେଳେ ଆଉ ଏକ ସଦନର ଆବଶ୍ୟକତା କଣ? । ସେପଟେ ବିଜେପି କହିଛନ୍ତି ଏହା ବିଜୁ ଜନତା ଦଳର ଅସନ୍ତୁଷ୍ଟଙ୍କୁ ଥଇଥାନ କରିବା ପାଇଁ ଏକ ଯୋଜନା । ତେବେ ଏସବୁ ଭିତରେ ତେଲେଙ୍ଗାନା ଢ଼ାଂଚାରେ ଗଠନ ହେବ ବିଧାନ ପରିଷଦ । ଏଥିପାଇଁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି ।