କନକ ବ୍ୟୁରୋ: ସହରାଞ୍ଚଳର ବସ୍ତିରେ ରହୁଥିବା ଗରିବ ପରିବାରଙ୍କୁ ବଡ ଅଧିକାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସହରାଞ୍ଚଳର ବସ୍ତିରେ ରହୁଥିବା ଗରିବ ପରିବାରଙ୍କୁ ବାଣ୍ଟିଛନ୍ତି ଭୂମି ଅଧିକାର ପ୍ରମାଣପତ୍ର । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ୧୦୧୦ ବିଜୁ ଆଦର୍ଶ କଲୋନୀର ଲୋକାର୍ପଣ କରିବା ସହ ସହରାଞ୍ଚଳ ବସ୍ତିରେ ରହୁଥିବା ୬୫ ହଜାର ପରିବାରଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ପ୍ରଦାନ କରିଛନ୍ତି ନବୀନ । ଏହି ଅବସରରେ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ବସ୍ତିରେ ରହୁଥିବା ଗରିବଙ୍କ ପ୍ରଶଂସା କରିଛନ୍ତି । ଏଥିସହ, ଆଗକୁ ଘର ନିର୍ମାଣ ସହାୟତା, ବିଜୁଳି, ପାଣି ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ନବୀନ ।

Advertisment

ପ୍ରଥମ ପର୍ଯ୍ୟାୟରେ ୫ ମହାନଗର ନିଗମ, ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁରରେ ଥିବା ୮୭୫ ବସ୍ତିର ୬୫ହଜାର ପରିବାରକୁ ଭୂମି ଅଧିକାର ପ୍ରମାଣପତ୍ର ବଣ୍ଟାଯାଇଛି । ଅକ୍ଟୋବର ମାସରେ ଦ୍ୱିତୀୟ ପର୍ଯ୍ୟାୟ ବଣ୍ଟନ ହେବ ବୋଲି ରାଜ୍ୟ ସରକାରଙ୍କୁ ପକ୍ଷରୁ ସୂଚନା ଦିଆଯାଇଛି । ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ମିଳିବା ଦ୍ୱାରା, ଗରିବ ଲୋକଙ୍କ ମୁହଁରେ ହସ ଫୁଟିଛି ବୋଲି କହିଛନ୍ତି, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ।

ଗୋଟିଏ ପଟେ ନବୀନ ଭୂମି ପ୍ରମାଣ ପତ୍ର ବାଣ୍ଟୁଥିବାବେଳେ ଆଉ ଗୋଟିଏ ପଟେ, ଜାଗା ମିଶନ ନାଁରେ ସରକାର ବସ୍ତି ବାସିନ୍ଦାଙ୍କୁ ପ୍ରତାରଣ କରୁଥିବା ଅଭିଯୋଗ ଆଣି ଗର୍ଜିଥିଲା ବିଜେପି । ଶତାଧିକ ବିଜେପି କର୍ମୀ ପ୍ଲାକାର୍ଡ, ବ୍ୟାନର ଧରି ଏକ ଶୋଭାଯାତ୍ରାରେ ଆସି ବିଏମସି କାର୍ଯ୍ୟାଳୟରେ ବିକ୍ଷୋଭ କରିଛନ୍ତି । ବିଜେପି ଅଭିଯୋଗ ଆଣିଛି ମୁଖ୍ୟମନ୍ତ୍ରୀ ବସ୍ତି ବାସିନ୍ଦାଙ୍କୁ ମିଛି ପଟ୍ଟା ବାଣ୍ଟି ପ୍ରତାରଣା କରୁଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀଙ୍କ ଜମି ପଟ୍ଟା ବଣ୍ଟନକୁ ରାଜନୈତିକ ନାଟକ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ତେବେ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଛି ଶାସକ ଦଳ ।

୨୦୧୮ରେ ଜାଗା ମିଶନ ଆରମ୍ଭ କରିଥିେ ରାଜ୍ୟ ସରକାର । ଏହି ଯୋଜନାରେ ସହରାଞ୍ଚଳର ବସ୍ତିରେ ରହୁଥିବା ଗରିବଙ୍କୁ ଜାଗା ଯୋଗାଇ ଦିଆଯାଉଛି । ବର୍ତମାନ ସୁଦ୍ଧା ରାଜ୍ୟର ୨ଲକ୍ଷ ୪୦ ହଜାର ପରିବାରକୁ ଭୂମି ଅଧିକାର ମିଳିଛି । ତେବେ ଗରିବଙ୍କୁ ଜମିର ପଟ୍ଟା ନଦେଇ ରାଜ୍ୟ ସରକାର କାହିଁକି ଭୂମି ଅଧିକାର ପ୍ରମାଣପତ୍ର ଦେଉଛନ୍ତି ତାହା ଚର୍ଚ୍ଚାର ବିଷୟ ହୋଇଛି ।