ଆସନ୍ତା ସପ୍ତାହରେ ମୋଦି କ୍ୟାବିନେଟର ସଂପ୍ରସାରଣ ସମ୍ଭାବନା । ମନ୍ତ୍ରୀମଣ୍ଡଳରେ ନୂଆ ମୁହଁକୁ ମିଳିପାରେ ସ୍ଥାନ, ଓଡ଼ିଶା ନେତାଙ୍କ ନାଁକୁ ନେଇ ଚର୍ଚ୍ଚା ।

128

କନକ ବ୍ୟୁରୋ :  ଆସନ୍ତା ସପ୍ତାହରେ ମୋଦିଙ୍କ କ୍ୟାବିନେଟର ସଂପ୍ରସାରଣ ହେବା ସମ୍ଭାବନା ରହିଛି । ମନ୍ତ୍ରୀମଣ୍ଡଳରେ କେତେକ ନୂଆ ସାଂସଦଙ୍କୁ ସାମିଲ କରାଯାଇପାରେ ଆଉ କିଛି ମନ୍ତ୍ରୀଙ୍କ ବିଭାଗ ପରିବର୍ତନ ହେବା ସମ୍ଭାବନା ମଧ୍ୟ ରହିଛି । ଆସନ୍ତା ବର୍ଷ ୫ଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନକୁ ଆଖିରେ ରଖି ନୂଆ ଚେହେରାକୁ ମୋଦି ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇପାରେ । ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ଦୁଇଟି ପର୍ଯ୍ୟାୟରେ କ୍ୟାବିନେଟ ସଂପ୍ରସାରଣ ହେବ । ଜୁଲାଇ ୭ତାରିଖ ପୂର୍ବରୁ କ୍ୟାବିନେଟର ପ୍ରଥମ ସଂପ୍ରସାରଣ ଓ ସଂସଦର ମୌସୁମୀ ଅଧିବେଶନ ପରେ ଦ୍ୱିତୀୟ ସଂପ୍ରସାରଣ ହେବା ସମ୍ଭାବନା ରହିଛି ।

ମଧ୍ୟପ୍ରଦେଶ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ, ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ, ଓଡିଶା ସାଂସଦ ଅଶ୍ୱିନୀ ବୈଷ୍ଣବ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ ମନ୍ତ୍ରୀ ପଦ ମିଳିପାରେ । ବୈଜୟନ୍ତ ପଣ୍ଡାଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ କରାଯିବା ନେଇ ଚର୍ଚ୍ଚା ଚାଲିଛି । ସେହିପରି ମହାରାଷ୍ଟ୍ରର ଡକ୍ଟର ପ୍ରିତମ ଗୋପୀନାଥ ରାଓ ମୁଣ୍ଡେ, ନାରାୟଣ ରାଣେ ଏବଂ ରାଜ୍ୟସଭା ସାଂସଦ ଭୁପେନ୍ଦ୍ର ଯାଦବଙ୍କ ନାମ ମନ୍ତ୍ରୀ ଦୌଡରେ ଥିବା ଶୁଣାଯାଉଛି ।

ସେହିପରି ଦିଲ୍ଲୀ ବିଜେପିରୁ ମିନାକ୍ଷୀ ଲେଖି, ପରବେଶ ବର୍ମା, ପିଲଭିତ ସାଂସଦ ବରୁଣ ଗାନ୍ଧୀଙ୍କୁ ମଧ୍ୟ ମନ୍ତ୍ରୀ ପଦ ମିଳିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚା ହେଉଛି । ଏହାଛଡା ରାମ ବିଳାସ ପାଶୱାନଙ୍କ ଦେହାନ୍ତ ପରେ ଏଲଜେପିକୁ ପୁଣି ମନ୍ତ୍ରୀ ପଦ ମିଳିପାରେ । କ୍ୟାବିନେଟ ସଂପ୍ରସାରଣରେ ଜେଡିୟୁକୁ ସ୍ଥାନ ମିଳିବା ସମ୍ଭାବନା ରହିଥିବା ବେଳେ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସକୁ କଡା ଟକ୍କର ଦେଇଥିବା ନେତାଙ୍କୁ ମଧ୍ୟ ସୁଯୋଗ ମିଳିବ ବୋଲି ଚର୍ଚ୍ଚା ହେଉଛି ।

 ଜାତୀୟ ଗଣମାଧ୍ୟମର ଖବର ଅନୁସାରେ କେନ୍ଦ୍ରରେ ୮୧ ମନ୍ତ୍ରୀ କରାଯାଇପାରେ । କାରଣ ଏବେ ମନ୍ତ୍ରୀଙ୍କ ସଂଖ୍ୟା ୫୩ ରହିଥିବା ବେଳେ ଏକ ଡଜନରୁ ଅଧିକ ମନ୍ତ୍ରୀଙ୍କ ପାଖରେ ଏକାଧିକ ମନ୍ତ୍ରାଳୟର ଦାୟିତ୍ୱ ରହିଛି । ତେଣୁ ମନ୍ତ୍ରୀଙ୍କ ଦାୟିତ୍ୱ ହାଲୁକା କରିବା ସହ ରାଜନୈତିକ ଦୃଷ୍ଟିକୋଣକୁ ଆଖିରେ ରଖି ନିଷ୍ପତି ନେଇପାରନ୍ତି ପ୍ରଧାନମନ୍ତ୍ରୀ । ଏଥିପାଇଁ କିଛି ଦିନ ହେଲା ପ୍ରସ୍ତୁତି ଚାଲିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ନିଜେ ପ୍ରଧାନମନ୍ତ୍ରୀ ବିଭିନ୍ନ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ସମୀକ୍ଷା କରୁଛନ୍ତି ଏବଂ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଛନ୍ତି ।