ଓଡ଼ିଶାରେ ଖୁବ୍ ଶୀଘ୍ର ଦଳ ବଦଳ ପର୍ବ ! କଂଗ୍ରେସ ପରେ ଏବେ ବିଜେପିର ଦୁଇ ନେତା ବିଜେଡ଼ିରେ ଯୋଗଦେବା ନେଇ ଚର୍ଚ୍ଚା ।
କେତେବେଳେ ବିଜେପି ତ କେତେବେଳେ କଂଗ୍ରେସ ଆଉ କେତେବେଳେ ବିଜେଡ଼ି ଦଳରେ ଘଟ ପରିବର୍ତ୍ତନ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କିଏ କେତେବେେଳେ ନିଜ ଦଳ ଛାଡ଼ି ଅନ୍ୟ ଦଳକୁ ଡେଇଁ ପଡ଼ିବ ତାହା କାହାକୁ ଜଣା ନାହିଁ ।
କନକ ବୁରୋ: ରାଜ୍ୟ ରାଜନୀତିରେ ଏବେ ବହୁଛି ଦଳ ବଦଳ ହାୱା । ଯାହାର ଶିରୋନାମା ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା କଂଗ୍ରେସ ବିଧାୟକ ନବ ଦାସ ପାଲଟିଛନ୍ତି । ଆସନ୍ତା ୨୪ ତାରିଖରେ ନବ ଦାସ ବିଜେଡ଼ିରେ ଯୋଗଦେବେ ବୋଲି ଏକ ପ୍ରକାର ସ୍ପଷ୍ଟ ସଙ୍କେତ ଦେଇଛନ୍ତି ଖୋଦ୍ ନବ ଦାସ । ସେପଟେ ନବ ଦାସଙ୍କ ସହ ଆଉ ଦୁଇ କଂଗ୍ରେସ ବିଧାୟକ ମଧ୍ୟ କଂଗ୍ରେସ ଛାଡ଼ି ଶଙ୍ଖ ଧରିବେ ବୋଲି ଚର୍ଚ୍ଚା ହେଉଛି । ଆଗକୁ ଲୋକସଭା ନିର୍ବାଚନ ନିକଟତର ହେଉଥିବାବେଳେ ଏଭଳି ଦଳ ବଦଳ ଏକ ସ୍ୱାଭାବିକ ପ୍ର୍ରକ୍ରିୟା ବୋଲି ରାଜନୀତି ବିଷାରଦମାନେ ମତ ପ୍ରକାଶ କରିଛନ୍ତି । ସେପଟେ ଏହି ଦଳ ବଦଳ କେବଳ ପଶ୍ଚିମ ଓଡ଼ିଶା କଂଗ୍ରେସ ଗଡ଼ ନୁହେଁ ବରଂ ପଶ୍ଚିମ ଓଡ଼ିଶା ବିଜେପି ଗଡ଼ ମଧ୍ୟ ଭୁଶୁଡ଼ି ପାରେ ବୋଲି ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଚା’ ଖଟିର ହଟ୍ ଟପିକ୍ କେବଳ କଂଗ୍ରେସ ପାଖରେ ନୁହେଁ ବରଂ ପଶ୍ଚିମ ଓଡ଼ିଶାର ଦୁଇ ହେବିୱେଟ୍ ବିଜେପି ନେତା ତଥା ଦେବଗଡ଼ ବିଧାୟକ ନୀତିଶ ଗଙ୍ଗଦେବ ଓ ବ୍ରଜନଗର ବିଜେପି ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଉଭୟ ଖୁବ୍ ଶୀଘ୍ର ଗେରୁଆ ରଙ୍ଗକୁ ବାଏ ବାଏ କହି ଶଙ୍ଖ ଧରିପାରନ୍ତି ବୋଲି ଶୁଣିବାକୁ ମିଳୁଛି । ତେବେ ପୂର୍ବରୁ ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ଏବଂ କେନ୍ଦ୍ରାପଡ଼ା ପାଟକୁରା ବିଧାୟକ ବିଜୟ ମହାପାତ୍ର ଦଳକୁ ବାଏ ବାଏ କରିଦେଇଛନ୍ତି । ଅନ୍ୟପଟେ ପଶ୍ଚିମ ଓଡ଼ିଶା ଉପରେ ବିଜେଡ଼ିର ଫୋକସ ନା ବିଜେଡ଼ି ମୋହରେ ଏବେ ଉଭୟ କଂଗ୍ରେସ ଓ ବିଜେପିର ଟାଣୁଆ ନେତାମାନେ ପଡ଼ିଲେଣି ତାହା ଏବେ ରାଜ୍ୟ ରାଜନୀତିର ଗସିପ୍ ଟପିକ୍ ପାଲଟିଛି ।
ଗୋଟିଏ ପଟେ ୨୦୧୯ ଲୋକସଭା ନିର୍ବାଚନ ପାଇଁ ଦଳ ବଦଳ କରିବାକୁ ନେତାଙ୍କ ବୟାନ ବାଜି ଦଳ ପାଇଁ ଅଡୁଆ ସୃଷ୍ଟି କରୁଛି । କେତେବେଳେ ବିଜେପି ତ କେତେବେଳେ କଂଗ୍ରେସ ଆଉ କେତେବେଳେ ବିଜେଡ଼ି ଦଳରେ ଘଟ ପରିବର୍ତ୍ତନ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କିଏ କେତେବେେଳେ ନିଜ ଦଳ ଛାଡ଼ି ଅନ୍ୟ ଦଳକୁ ଡେଇଁ ପଡ଼ିବ ତାହା କାହାକୁ ଜଣା ନାହିଁ । କିନ୍ତୁ ଦଳ ଛାଡ଼ିବା ଆଉ ଦଳ ଭିତରେ ରହିବା ଉଭୟ କଂଗ୍ରେସ ଓ ବିଜେପି ଦଳ ମଧ୍ୟରେ କମ୍ପନ ସୃଷ୍ଟି କରିଛି । କାରଣ ଗତ କିଛି ମାସ ପୂର୍ବେ ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ ବିଜେପିର ଏହି ନେତାମାନେ ବିଜେଡ଼ିରେ ମିଶିବେ ବୋଲି ପରୋକ୍ଷରେ ଭବିଷ୍ୟବାଣୀ କରିଥିଲେ । ଯାହାପରେ ଏବେ ଦଳ ବଦଳ ପ୍ରକ୍ରିୟା ଆରମ୍ଭ ହେବ ବୋଲି ରାଜନୀତି ଗନ୍ଧରୁ ବାରି ହୋଇ ପଡୁଛି ।
ଅବଶ୍ୟ ଏକଥା ସତ ରାଜନୀତିରେ ସବୁ ସମ୍ଭବ । ବିଜେପିର ବିଜେପିର ମିଶନ୍ ୧୨୦କୁ କାଉଣ୍ଟର କରିବା ଲାଗି ବିଜେଡ଼ି କାଳେ ଏପରି ରାଜନୈତିକ ଏଜେଣ୍ଡା କରିଛି ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି । ଆଉ ଖୋଦ୍ ରାଜନେତାଙ୍କ ବୟାନ ବାଜି ଏହି ଚର୍ଚ୍ଚାକୁ ଅଧିକ କ୍ରୀୟାଶୀଳ କରିବା ପାଇଁ ଖୋରାକ ଯୋଗାଉଛି । ହେଲେ କଥାରେ ଅଛି ନିଆଁ ନଥିଲେ ଧୁଆଁ ଆସେ ନାହିଁ । ତେବେ କୌଣସି ମତେ ଏହି ନେତାମାନେ ବିଜେଡ଼ିରେ ସାମିଲ ହେବା ନେଇ ଗଣମାଧ୍ୟମ ଆଗରେ ତାହା ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏହି ନେତାମାନେ କେବେ ଦଳ ଅଦଳ ବଦଳ କରୁଛନ୍ତି ତାହାକୁ ସମସ୍ତଙ୍କ ଅପେକ୍ଷା ।