କନକ ବ୍ୟୁରୋ : ବର୍ଷା କାରଣରୁ ସୁପର-୪ ପର୍ଯ୍ୟାୟର ଭାରତ-ପାକିସ୍ତାନ ମ୍ୟାଚ୍ ରିଜର୍ଭ ଡେ’କୁ ଘୁଞ୍ଚିଛି । ଗତକାଲି ପୂର୍ବ ନିର୍ଦ୍ଧାରିତ ସମୟରେ ଭାରତ-ପାକିସ୍ତାନ ମ୍ୟାଚ୍ ଆରମ୍ଭ ହୋଇଥିଲା । ଟସ୍ ଜିତି ପାକିସ୍ତାନ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ଭାରତ ଦମଦାର ଆରମ୍ଭ କରିଥିଲା । ତେବେ ମ୍ୟାଚର ୨୪.୧ ଓଭରରେ ବର୍ଷା ଆରମ୍ଭ ହୋଇଥିଲା । ଯାହା ଦୀର୍ଘ ସମୟ ପର୍ଯ୍ୟନ୍ତ ଛାଡିନଥିଲା । ଏତେ ଜୋରରେ ବର୍ଷା ହୋଇଥିଲା ଯେ, ମ୍ୟାଚ୍ ଆଉ ସମ୍ଭବପର ହୋଇପାରିନଥିଲା । ଯେଉଁଥିପାଇଁ ରିଜର୍ଭ ଡେ’କୁ ଘୁଞ୍ଚିଥିଲା ମ୍ୟାଚ୍ ।

Advertisment

ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଆଜି ଅପରାହ୍ନ ୩ଟା ବେଳେ ପୁଣିଥରେ ମ୍ୟାଚ୍ ଆରମ୍ଭ ହେବ । ଭାରତ ନିଜର ଅଧା ପାଳିରୁ ପୁଣି ମ୍ୟାଚ ଖେଳିବ । ବର୍ଷା ପୂର୍ବରୁ ଟିମ୍ ଇଣ୍ଡିଆ ରୋହିତ ଓ ଗିଲଙ୍କ ୱିକେଟ ହରାଇଥିବା ବେଳେ ଏବେ କୋହଲି ଓ ରାହୁଲ ଅପରାଜିତ ରହିଛନ୍ତି । କିନ୍ତୁ ରିଜର୍ଭ ଡେ’ରେ ମଧ୍ୟ ମ୍ୟାଚ୍ ପୂରା ହୋଇପାରିବ କି ନାହିଁ ତାହାକୁ ନେଇ ସନ୍ଦେହ ରହିଛି । କାରଣ ଆଜି ମଧ୍ୟ କଲମ୍ବୋରେ ବର୍ଷା ସମ୍ଭାବନା ଥିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ରିଜର୍ଭ ଡେ’ରେ ମ୍ୟାଚ୍ ଟିମ୍ ଇଣ୍ଡିଆ ପାଇଁ ଏତେ ଶୁଭଙ୍କର ନୁହେଁ । ଏହାପୂର୍ବରୁ ମଧ୍ୟ ଭାରତ ରିଜର୍ଭ ଡେ’ରେ ଖେଳିଥିଲେ ମଧ୍ୟ ଫଳାଫଳ ନିରାଶ କରିଛି । ଭାରତ ଶେଷଥର ୨୦୧୯ ବିଶ୍ୱକପରେ ରିଜର୍ଭ ଡେ’ରେ ମ୍ୟାଚ୍ ଖେଳିଥିଲା । ସେମିଫାଇନାଲ ମୁକାବିଲାରେ ନ୍ୟୁଜିଲାଣ୍ଡ ଟିମ୍ ବ୍ୟାଟିଂ କରୁଥିବା ବେଳେ ମ୍ୟାଚର ୪୭ତମ ଓଭରରେ ବର୍ଷା ହୋଇଥିଲା । ଯାହାଫଳରେ ଉକ୍ତ ଦିନ ମ୍ୟାଚ୍ ସମ୍ଭବପର ହୋଇପାରିନଥିଲା । ମ୍ୟାଚ୍ ରିଜର୍ଭ ଡେ’କୁ ଯାଇଥିଲା । ରିଜର୍ଭ ଡେ’ରେ ନ୍ୟୁଜିଲାଣ୍ଡ ୨୩୯ ରନ୍ କରିବାରେ ସକ୍ଷମ ହୋଇଥିଲା । କିନ୍ତୁ ଭାରତ ଏହି ଟାର୍ଗେଟକୁ ହାସଲ କରିବାରୁ ୧୮ ରନ ପଛରେ ରହି ଯାଇଥିଲା । ଏହାସହ ଭାରତର ବିଶ୍ୱକପ୍ ଫାଇନାଲ ଖେଳିବା ଆଶା ଧୂଳିସାତ ହୋଇଥିଲା । ତେଣୁ ରିଜର୍ଭ ଡେ’ରେ ମ୍ୟାଚ୍ ଭାରତ ପାଇଁ ଏତେ ଶୁଭଙ୍କର ନୁହେଁ ।

ଚଳିତ ଏସିଆ କପର ଗ୍ରୁପ୍ ପର୍ଯ୍ୟାୟରେ ଭାରତ-ପାକିସ୍ତାନ ମ୍ୟାଚ ବର୍ଷା କାରଣରୁ ରଦ୍ଦ ହୋଇଥିଲା । ଏବେ ସୁପର-୪ ପର୍ଯ୍ୟାୟ ମ୍ୟାଚରେ ମଧ୍ୟ ବର୍ଷା ବାଧକ ସାଜିଛି । ରିଜର୍ଭ ଡେ’ରେ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳିବା ପରେ ୨୪ ଘଣ୍ଟା ମଧ୍ୟରେ ପୁଣିଥରେ ପରବର୍ତ୍ତୀ ମ୍ୟାଚ୍ ଶ୍ରୀଲଙ୍କା ବିପକ୍ଷରେ ଖେଳିବ  ଟିମ୍ ଇଣ୍ଡିଆ ।