ଫେରାର ଆତ୍ମଘୋଷିତ ଭଗବାନ ସ୍ୱାମୀ ନିତ୍ୟାନନ୍ଦଙ୍କ ନୂଆ ଘୋଷଣା । ଦୁଷ୍କର୍ମ ଅଭିଯୋଗରେ  ଜଡିତ ଭଣ୍ଡ ବାବାଙ୍କ ନିଜସ୍ୱ ବ୍ୟାଙ୍କ ଖୋଲିବା ନେଇ ଘୋଷଣା, କହିଲେ ବ୍ୟାଙ୍କର ନାଁ ରହିବ ରିଜର୍ଭ ବ୍ୟାଙ୍କ ଅଫ କୈଳାସା

501

କନକ ବ୍ୟୁରୋ : ଆତ୍ମଘୋଷିତ ଭଗବାନ ସ୍ୱାମୀ ନିତ୍ୟାନନ୍ଦଙ୍କ ନୂଆ ବ୍ୟାଙ୍କ । ଦୁଷ୍କର୍ମ ଓ ଅପହରଣ ଭଳି ଅପରାଧରେ ଜଡିତ ଏହି ଭଣ୍ଡ ବାବା ଭାରତ ଛାଡି ଫେରାର ହେବା ପରେ ନିଜର ସ୍ୱତନ୍ତ୍ର ଦେଶ ଗଢିଥିବା ଦାବି କରିଥିଲେ । ଏବେ ବ୍ୟାଙ୍କ ଖୋଲିବା ନେଇ ଘୋଷଣା କରିଛନ୍ତି । ନିଜସ୍ୱ କେନ୍ଦ୍ରୀୟ ବ୍ୟାଙ୍କର ନାଁ ରହିବ ରିଜର୍ଭ ବ୍ୟାଙ୍କ ଅଫ କୈଳାସା । ଭଣ୍ଡବାବାଙ୍କ ଏହି ବୟାନ ନେଇ ଲାଗି ରହିଛି ଚର୍ଚ୍ଚା ।

ପୁଣି ଚର୍ଚ୍ଚାରେ ଆତ୍ମଘୋଷିତ ଭଗବାନ ସ୍ୱାମୀ ନିତ୍ୟାନନ୍ଦ । ଦୁଷ୍କର୍ମ ଅଭିଯୋଗ ପରେ ଦେଶ ଛାଡି ଫେରାର ହୋଇଥିବା ସ୍ୱାମୀ ନିତ୍ୟାନନ୍ଦ ଏଥର ବ୍ୟାଙ୍କ ଖୋଲିବା ନେଇ ଘୋଷଣା କରି ଚର୍ଚ୍ଚାରେ ରହିଛନ୍ତି । ନିତ୍ୟାନନ୍ଦ ନିଜସ୍ୱ କେନ୍ଦ୍ରୀୟ ବ୍ୟାଙ୍କ ଖୋଲିବେ, ଯାହାର ନାଁ ରହିବ ରିଜର୍ଭ ବ୍ୟାଙ୍କ ଅଫ କୈଳାସା । ଇଣ୍ଟରନେଟରେ ନିତ୍ୟାନନ୍ଦଙ୍କ ଏକ ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ ୨୨ ଅଗଷ୍ଟ ଅର୍ଥାତ ଗଣେଷ ଚତୁର୍ଥୀ ଅବସରରେ ରିଜର୍ଭ ବ୍ୟାଙ୍କ ଅଫ କୈଳାସା ନେଇ ଘୋଷଣା କରିବାର କଥା କହୁଛନ୍ତି । ଏହା ପୂର୍ବରୁ ‘କୈଳାସା’ ନାମରେ ନିଜର ଏକ ସ୍ୱତନ୍ତ୍ର ଦେଶ ପ୍ରତିଷ୍ଠା କରିଥିବା ଦାବି କରିଥିଲେ ଏହି ଭଣ୍ଡ ବାବା । ତଦନ୍ତକାରୀ ସଂସ୍ଥା ବାବା ନିତ୍ୟାନନ୍ଦଙ୍କ ତଲାସରେ ଲାଗିଥିବା ବେଳେ କୌଣସି ଏକ ଅଜ୍ଞାତ ସ୍ଥାନରେ ରହି ବଳାତ୍କାରୀ ବାବା ନିତ୍ୟାନନ୍ଦ ନୂଆ ଘୋଷଣା କରୁଛନ୍ତି ।

ମଲୟଲମ ଭାଷାର ଏହି ଭିଡ଼ିଓରେ ନିତ୍ୟାନନ୍ଦ ନିଜସ୍ୱ କେନ୍ଦ୍ରୀୟ ବ୍ୟାଙ୍କ ଖୋଲିବା ନେଇ କହୁଛନ୍ତି । ସେ କହିଛନ୍ତି ଏନେଇ ୩୦୦ ଫର୍ଦ୍ଦର ଦସ୍ତାବିଜ ମଧ୍ୟ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ମୁଦ୍ରାର ଡ଼ିଜାଇନ, ଆର୍ଥିକ ରଣନୀତି ଏବଂ ଅନ୍ୟ ଦେଶରେ ଏହି ମୁଦ୍ରା କିଭଳି ବ୍ୟବହାର ହେବ ସେନେଇ ଉଲ୍ଲେଖ ରହିଛି । ଅନ୍ୟ ଏକ ଦେଶ ଏହି ବ୍ୟାଙ୍କକୁ ସଂଚାଳିତ କରିବା ସହ ଆଇନଗତ ଭାବେ ଏହା କାର୍ଯ୍ୟ କରିବ ବୋଲି ନିତ୍ୟାନନ୍ଦ ଦାବି କରିଛନ୍ତି ।

ଗତବର୍ଷ ନିତ୍ୟାନନ୍ଦଙ୍କ ଏକ ଭିଡ଼ିଓ ଭାଇରାଲ ହୋଇଥିଲା, ଯେଉଁଥିରେ କୈଳାସା ଦେଶ ପ୍ରତିଷ୍ଠା ନେଇ ସେ କହିଥିଲେ । ହେଲେ ଏହି ଦେଶ କେଉଁଠି ଏହା କାହାରିକୁ ଜଣାନାହିଁ । କୈଳାସାର ଏକ ୱେବସାଇଟ ସାମ୍ନାକୁ ଆସିଛି ଯେଉଁଥିରେ ଦାବି କରାଯାଇଛି  ଏହା କୌଣସି ସୀମାହୀନ ଦେଶ ଏବଂ ବିଶ୍ୱର କିଛି ବିସ୍ଥାପିତ ହିନ୍ଦୁଙ୍କ ନେଇ ଗଠିତ ହୋଇଛି ।