ଜୋର ଜବରଦସ୍ତ ଋଣ ଆଦାୟ କରିପାରିବ ନାହିଁ ବ୍ୟାଙ୍କ । ଖିଲାପି ଘୋଷଣା କରିବା ପରେ ଏଜେଣ୍ଟ ସହାୟତା ଅସୁଲ କରିପାରିବ ନାହିଁ ଋଣ

5,530

କନକ ବ୍ୟୁରୋ : ଘର ତିଆରି ହେଉ କିମ୍ବା କାର କିଣା, କିମ୍ବା ପାଠପଢା ବିଭିନ୍ନ କାରଣ ପାଇଁ ଆମେ ବ୍ୟାଙ୍କରୁ ଋଣ ବା ଲୋନ୍ ଆଣିଥାଉ । ବ୍ୟାଙ୍କ କିମ୍ବା ଘରୋଇ ଅର୍ଥଲଗାଣକାରୀ ସଂସ୍ଥା ପାଖରୁ ଆଣିଥିବା ଟଙ୍କାକୁ ଆମେ କିସ୍ତି ହିସାବରେ ସୁଝିଥାଉ । ଅନେକ ସମୟରେ ଏହି କିସ୍ତି ଭରିବାରେ ବିଳମ୍ବ ହେଲେ ବ୍ୟାଙ୍କ କର୍ମଚାରୀ ମାନେ ଆମ ଉପରେ ମନମୁଖୀ କାର୍ଯ୍ୟାନୁଷ୍ଠାନ ନେଇଥାନ୍ତି । ତେବେ ଆପଣଙ୍କ ପାଇଁ ବଡ ଖବର । ଖୁବ୍ ଶୀଘ୍ର ଏସବୁରୁ ଆପଣଙ୍କୁ ମୁକ୍ତି ମିଳିବ । କିସ୍ତି ଆଦାୟ ନାମରେ ବ୍ୟାଙ୍କ ଆଉ ଆପଣଙ୍କ ଉପରେ କରିପାରିବ ନାହିଁ ମନମୁଖୀ କାର୍ଯ୍ୟ । କାରଣ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଋଣ ଆଦାୟ ନିୟମରେ ଆଣିଛି ବଡ ପରିବର୍ତ୍ତନ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଅଣାଯାଇଥିବା ପରିବର୍ତନକୁ ଏବେ ପାଳନ କରିବେ ସମସ୍ତ ବ୍ୟାଙ୍କ । ବ୍ୟାଙ୍କର ଏଜେଂଟ ମାନେ ଋଣ ଆଦାୟ କରିବା ପାଇଁ ଅନେକ ସମୟରେ ଦାଦାଗିରି ମଧ୍ୟ କରିଥାନ୍ତି । ଲୋକଙ୍କୁ ଭୟଭୀତ କରି ଋଣ ଆଦାୟ କରିଥାନ୍ତି । ତେବେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆଣିଛି ବଡ ପରିବର୍ତନ । ଋଣ ନାମରେ ଆଉ ଦାଦାଗିରି କରିପାରିବେ ନାହିଁ ଏଜେଂଟ । ଆଉ ଆପଣଙ୍କୁ ଭୟଭୀତ କରିପାରିବେ ନାହିଁ ଏଜେଣ୍ଟ । ଆପଣ ଜାଣନ୍ତି କି ଆରବିଆଇ ପକ୍ଷରୁ ଋଣ ପରିଶୋଧ ନେଇ ରହିଛି ଏ ସମସ୍ତ ଆଇନଗତ ଅଧିକାର । ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ ।

ଯେତେବେଳେ କୌଣସି ଗ୍ରାହକ ବ୍ୟାଙ୍କରୁ ଲୋନ ନେବା ପରେ , ସମୟରେ କିସ୍ତି ଦେବାକୁ ଅସମର୍ଥ ହୋଇପଡନ୍ତି ବ୍ୟାଙ୍କ ସେହି ବ୍ୟକ୍ତିଙ୍କୁ ଟଙ୍କା ଜମା କରିବା ପାଇଁ ଏକ ନୋଟିସ୍ ପଠାଇଥାଏ । ଏବଂ ଅନେକ ସମୟରେ ଏହି କ୍ଷେତ୍ରରେ ବ୍ୟାଙ୍କର ଏଜେଣ୍ଟ ଗ୍ରାହକଙ୍କ ସହ ଏ ସମ୍ପର୍କରେ ଯୋଗାଯୋଗ ମଧ୍ୟ କରିଥାନ୍ତି । ମାତ୍ର ଏହି ଏଜେଣ୍ଟ ମାନେ ଲୋକଙ୍କୁ ଭୟଭୀତ କରିଥାନ୍ତି । ଯାହାକୁ ନେଇ ଅନେକ ସମୟରେ ଅଭିଯୋଗ ମଧ୍ୟ ଆସିଥାଏ । ଏହାକୁ ନେଇ ଆରବିଆଇ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗ୍ରାହକଙ୍କ ଋଣ ପରିଶୋଧ ନେଇ ଜୁଲମ୍ କରୁଥିବା ବେସରକାରୀ ବ୍ୟାଙ୍କ ସଂସ୍ଥା ଉପରେ ୨.୨୭କୋଟି ଟଙ୍କାର ଜରିମାନା କରିଛି ଆରବିଆଇ ।

ତେବେ ଋଣ ଆଦାୟ କରିବାର ନିୟମ କଣ? ଯେତେବେଳେ କୌଣସି ବ୍ୟକ୍ତି ବ୍ୟାଙ୍କରୁ ଋଣ ଆଣନ୍ତି, ଏବଂ ଯଦି ପ୍ରଥମ ୨ଟି ଇଏମଆଇ ପୈଠ ନକରନ୍ତି ତେବେ ବ୍ୟାଙ୍କ ତରଫରୁ ପ୍ରଥମେ ଏକ ରିମାଇଣ୍ଡର ନୋଟିସ ପଠାଯାଇଥାଏ । କିନ୍ତୁ ଯଦି ଆପଣ ତୃତୀୟ କିସ୍ତି ମଧ୍ୟ ଦେଉନାହାନ୍ତି , ତେବେ ବ୍ୟାଙ୍କ ଆପଣଙ୍କୁ ଏକ ଆଇନଗତ ନୋଟିସ୍ ପଠାଇଥାଏ । ଏବଂ ଆପଣଙ୍କୁ ବ୍ୟାଙ୍କ ତରଫରୁ ଚେତାବନୀ ଦିଆଯିବା ସହ ଡିଫଲ୍ଟର ଘୋଷିତ କରାଯାଇଥାଏ । ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବ୍ୟାଙ୍କ ନିଜ ଏଜେଣ୍ଟଙ୍କ ଜରିଆରେ ଗ୍ରାହକଙ୍କ ଠାରୁ ଋଣ ଆଦାୟ କରିଥାନ୍ତି । ବ୍ୟାଙ୍କର ନୋଟିସ୍ ପରେ ହିଁ ଏଜେଣ୍ଟ ଆପଣଙ୍କ ଠାରୁ ଋଣ ସଂଗ୍ରହ କରିପାରିବେ ।

ଅନେକ ସମୟରେ ଋଣ ଟଙ୍କା ନେବା ପାଇଁ ଆସୁଥିବା ଏଜେଣ୍ଟ ଗ୍ରାହକଙ୍କୁ ଭୟଭୀତ କରିବା ସହ ଧମକ ମଧ୍ୟ ଦେଇଥାନ୍ତି । ତେବେ ଆପଣ ଏଭଳି ପରିସ୍ଥିତିରେ କଣ କରିବା ଉଚିତ୍ । ଆରବିଆଇ ର ନିୟମ ଅନୁଯାୟୀ ବିନା ନୋଟିସ୍ ରେ ଯଦି କୌଣସି ବ୍ୟାକ୍ତି ଏପରି କରୁଥାନ୍ତି ତେବେ ଆପଣ ସିଧାସଳଖ ସେହି ଏଜେଣ୍ଟଙ୍କ ନାଁ ରେ ପୋଲିସ୍ ନିକଟରେ ଅଭିଯୋଗ କରିପାରିବେ । ଡିଫଲ୍ଟର ଘୋଷିତ ହେବା ପରେ ଏଜେଣ୍ଟ ମାନେ ସେହି ବ୍ୟକ୍ତିଙ୍କ ସହ କୌଣସି ଦୁର୍ବବହାର ମଧ୍ୟ କରିପାରିବେ ନାହିଁ । ଏହା ବ୍ୟାଙ୍କିଙ୍ଗ ନିୟମ ବିରୋଧୀ । ଲୋନ ଟଙ୍କା ନେବା ପାଇଁ ବ୍ୟାଙ୍କ ଏଜେଣ୍ଟ କିମ୍ବା ବ୍ୟାଙ୍କ ଅଧିକାରୀ ଡିଫଲ୍ଟରଙ୍କୁ ସକାଳ ୭ରୁ ସନ୍ଧ୍ୟା ୭ ଭିତରେ କଲ୍ କରିପାରିବେ ଏବଂ ଘରକୁ ଯିବାର ସମୟ ମଧ୍ୟ ସମାନ । ଯଦି ବ୍ୟାଙ୍କ ଅଧିକାରୀ କିମ୍ବା ଟଙ୍କା ନେଉଥିବା ଏଜେଣ୍ଟ ଏହି ନିୟମ ଭାଙ୍ଗନ୍ତି ତେବେ ଗ୍ରାହକ ଏନେଇ ପୋଲିସ୍ କିମ୍ବା ଆରବିଆଇ ନିକଟରେ ଅଭିଯୋଗ କରିପାରିବେ ।