କେନ୍ଦ୍ର ସରକାରଙ୍କ ବଡ ଘୋଷଣା , ମେଡିକାଲ କୋର୍ସ ପାଇଁ ଓବିସି ବର୍ଗଙ୍କୁ ୨୭ ପ୍ରତିଶତ ଓ ଇଡବ୍ଲ୍ୟୁଏସ ବର୍ଗ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା

194

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ତରଫରୁ ମେଡିକାଲ ପାଠ ପଢିବାକୁ ଚାହୁଁଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବଡ ଘୋଷଣା କରାଯାଇଛି । ଏଥିରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଓ ଆର୍ଥିକ ଦୁର୍ବଳ ଶ୍ରେଣୀ (ଇଡବ୍ଲ୍ୟୁଏସ) ର ଛାତ୍ର ଛାତ୍ରୀମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ଘୋଷଣା କରାଯାଇଛି । ଏଥିରେ ଅଣ୍ଡର ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ ମେଡିକାଲ/ଡେଣ୍ଟାଲ କୋର୍ସ (ଏମବିବିଏସ୍, ଏମଡି,ଏମଏସ୍,ଡିପ୍ଲୋମା, ବିଡିଏସ, ଏମଡିଏସ) କୋର୍ସ ପାଇଁ ଓବିସି ଶ୍ରେଣୀଭୂକ୍ତ ଛାତ୍ର ଛାତ୍ରୀମାନଙ୍କୁ ୨୭ ପ୍ରତିଶତ ଓ ଆର୍ଥିକ ଦୁର୍ବଳ ଶ୍ରେଣୀ (ଇଡବ୍ଲ୍ୟୁଏସ) ଛାତ୍ର ଛାତ୍ରୀ ମାନଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ମଳିବ । ଏହି ସୁବିଧା ଅଲ ଇଣ୍ଡିଆ କୋଟା ସ୍କିମ(ଏଆଇକ୍ୟୁ) ଆଧାରରେ ମିଳିବ ଓ ଏହା ୨୦୨୧-୨୨ ଶିକ୍ଷାବର୍ଷରୁ ଆରମ୍ଭ ହେବ ।

କେନ୍ଦ୍ର ସରକାରଙ୍କ ସୂଚନା ମୁତାବକ ଏହି ଯୋଜନା ମାଧ୍ୟମରେ ୫,୫୫୦ ଜଣ ଛାତ୍ର ଛାତ୍ରୀ ଉପକୃତ ହେବେ । କେନ୍ଦ୍ର ସରକାର ଆରମ୍ଭରୁ ଓବିସି ଓ ଆର୍ଥିକ ଦୁର୍ବଳ ଶ୍ରେଣୀ (ଇଡବ୍ଲ୍ୟୁଏସ) କୁ ସଂରକ୍ଷଣର ସୁବିଧା ଯୋଗାଇ ଦେବାକୁ ପ୍ରତିବଦ୍ଧତା ଜାହିର କରିଥିଲେ । ଏହାକୁ ଲାଗୁ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ କିଛିଦିନ ପୂର୍ବରୁ ଏକ ରିଭ୍ୟୁ ମିଟିଂ କରିଥିଲେ ।

କହିରଖୁ କି ବୁଧବାର ଦିନ ଏନଡିଏ ସରକାରରେ ସାଂସଦ ଥିବା କିଛି ଓବିସି ବର୍ଗର ପ୍ରତିନିଧିମଣ୍ଡଳ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ । ସେମାନେ ଅଖିଳ ଭାରତୀୟ ଚିକିତ୍ସା ଶିକ୍ଷା କୋଟାରେ ଓବିସି ଓ ଆର୍ଥିକ ଦୁର୍ବଳ ଶ୍ରେଣୀ (ଇଡବ୍ଲ୍ୟୁଏସ) ବର୍ଗର ଆଶାୟୀ ପ୍ରାର୍ଥୀମାନଙ୍କ ପାଇଁ ସଂରକ୍ଷଣ ଲାଗୁ କରିବାକୁ ଦାବି କରିଥିଲେ ।