ଛାତ୍ରଛାତ୍ରୀଙ୍କ ପାଇଁ ଖୁସିଖବର । ସରକାରୀ ସ୍କୁଲରେ ପଢିଲେ ମିଳିବ ସଂରକ୍ଷଣ, ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ନାମଲେଖା ପାଇଁ ପାଇବେ ସୁବିଧା । ରାଜ୍ୟ କ୍ୟାବିନେଟରେ ପାରିତ ହେଲା ପ୍ରସ୍ତାବ । 

412

କନକ ବ୍ୟୁରୋ : ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଆଜି ବସିଥିବା କ୍ୟାବିନେଟ ବୈଠକରେ ୧୨ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ଯେଉଁଥିରେ ସରକାରୀ ହାଇସ୍କୁଲରେ ପଢୁଥିବା ପିଲାଙ୍କ ପାଇଁ ଇଞ୍ଜିନିୟରିଂ ଓ ମେଡିକାଲ କଲେଜରେ ନାମଲେଖାରେ ସଂରକ୍ଷଣ ପ୍ରସ୍ତାବ ମଧ୍ୟ ରହିଛି । ଗ୍ରାମଞ୍ଚଳରେ ଥିବା ମେଧାବୀ ଛାତ୍ରଛାତ୍ରୀଙ୍କ ମନରେ ଆତ୍ମବିଶ୍ୱାସ ସୃଷ୍ଟି କରିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି କୁହାଯାଇଛି ।

ଏହି ନିଷ୍ପତ୍ତି ଅନୁଯାୟୀ, ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଓଡ଼ିଶାର ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ନାମ ଲେଖାରେ ସଂରକ୍ଷଣ ରହିବ । ଆଉ ଏହାକୁ ଆଗାମୀ ଶିକ୍ଷାବର୍ଷ ଠାରୁ ରାଜ୍ୟରେ ଲାଗୁ କରିବାକୁ ସଂକଳ୍ପ ଆଗତ ହୋଇଛି । କ୍ୟାବିନେଟରେ ଏହି ପ୍ରସ୍ତାବ ପାରିତ ହେବା ପରେ ଏହାକୁ ଚୂଡାନ୍ତ ରୂପ ଦେବାକୁ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ଗଠନ କରାଯିବ । ଏହି କମିଟି ଆସନ୍ତା ୩ ମାସ ମଧ୍ୟରେ ଏକ ରିପୋର୍ଟ ପ୍ରଦାନ କରିବେ, ଯାହାଫଳରେ କମିଟିର ସୁପାରିଶକୁ ଆସନ୍ତା ଶିକ୍ଷାବର୍ଷରୁ ଲାଗୁ କରାଯାଇପାରିବ ।

ଏହି ନିଷ୍ପତ୍ତି ପଛର ବଡ କାରଣ ମଧ୍ୟ ରହିଛି ।  ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସର୍ବଭାରତୀୟ ସ୍ତରରେ ନିଟ୍ ଓ ଜେଇଇ ପରୀକ୍ଷା ହେଉଥିବାରୁ ଓଡ଼ିଶାର ସରକାରୀ ସ୍କୁଲର ମେଧାବୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଉପରୋକ୍ତ ପାଠ୍ୟକ୍ରମରେ ହ୍ରାସ ପାଉଛି । ଗ୍ରାମାଞ୍ଚଳରେ ଉପଯୁକ୍ତ କୋଚିଂ ସୁବିଧା ନଥିବାରୁ ଏହି ପ୍ରତିଯୋଗିତାମୂଳକ ପରୀକ୍ଷାରେ ମେଧାବୀ ଛାତ୍ରଛାତ୍ରୀ ଭଲ ପ୍ରଦର୍ଶନ କରି ପାରୁନାହାନ୍ତି । ଏପରିକି ଅତ୍ୟାଧୁନିକ କୋଚିଂ କ୍ଲାସ ଗୁଡିକ ସହରାଞ୍ଚଳରେ ଖୋଲିଥିବାରୁ ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସେତେଟା ସଫଳତା ମିଳୁନାହିଁ । ତେଣୁ ସରକାରୀ ସ୍କୁଲର ମେଧାବୀ ଛାତ୍ରଛାତ୍ରୀଙ୍କ ମନରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ଏହାପୂର୍ବରୁ ବିଜେଡିର ରାଜ୍ୟ ପରିଷଦ ବୈଠକରେ ଏହି ପ୍ରସ୍ତାବ ପାରିତ ହୋଇଥିଲା ।