କନକ ବ୍ୟୁରୋ : ଆଜି ଉତ୍ତରାଖଣ୍ଡ ଚମେଲି ଯୋଶୀମଠରେ ଭଙ୍ଗାଯିବ ଅସୁରକ୍ଷିତ ହୋଟେଲ । ହୋଟେଲ ଭାଙ୍ଗିବାକୁ ବୁଲଡୋଜର ପହଞ୍ଚିଥିବା ବେଳେ ରୁର୍କୀ ଟିମ ପକ୍ଷରୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି । କେବଳ ହୋଟେଲ ନୁହେଁ ଭଙ୍ଗା ହେବା ତାଲିକାରେ ରହିଛି ୧୦୦ରୁ ଅଧିକ ବିପଦ ସଙ୍କୁଳ ଘର । ଭଙ୍ଗା ହେବା ପୂର୍ବରୁ ଲୋକଙ୍କ ସୁରକ୍ଷା ନେଇ ଡାକବାଜି ଯନ୍ତ୍ରରେ ଦୂରତା ରଖିବାକୁ କୁହାଯାଇଥିବା ବେଳେ ୬ ଶହରୁ ଅଧିକ ଘରୁ ପ୍ରାୟ ୪ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଉଛି ।

Advertisment

ସେହିଭଳି ଗତକାଲି ଯୋଶୀମଠରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟ ଏକ ଟିମ୍ ସମେତ ୨ଟି କେନ୍ଦ୍ରୀୟ ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଯୋଶୀ ମଠର ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦାଖଲ କରିବା ପାଇଁ କେନ୍ଦ୍ର ସରକାର ୭ଟି ପୃଥକ ଅନୁଷ୍ଠାନର ବିଶେଷଜ୍ଞଙ୍କୁ ନେଇ ଏକ ଟିମ୍ ଗଠନ କରିଛନ୍ତି । ପ୍ରଭାବିତ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି । ମାଗଣାରେ ରାସନ ସହିତ ପରିବାର ପିଛା ୫ ହଜାର ଟଙ୍କା ଦିଆଯାଇଛି ।

ଭଡା ନେଇ ରହୁଥିବା ଲୋକଙ୍କୁ ମାସିକ ୪ ହଜାର ଟଙ୍କା ଲେଖାଏଁ ୬ ମାସ ପର୍ଯ୍ୟନ୍ତ ଦିଆଯିବ । ପ୍ରଭାବିତ ଲୋକଙ୍କ ପାଇଁ ୧୬ଟି ରିଲିଫ୍ ସେଣ୍ଟର ପ୍ରତିଷ୍ଠା କରାଯାଇଛି । ୧୯ଟି ହୋଟେଲ, ଗେଷ୍ଟ ହାଉସ୍ ଓ ସ୍କୁଲର ବ୍ୟବସ୍ଥା ହୋଇଛି । ସେନା ଓ ଆଇଟିବିପି ପ୍ରତିଷ୍ଠାନର ନିମ୍ନ ଅଂଶରେ ମଧ୍ୟ ଫାଟ ଦେଖିବାକୁ ମିଳିଛି । କେତେ ଘର ପ୍ରଭାବିତ ହୋଇଛି ସେନେଇ ଏନଡିଆରଏଫ୍ ଏବଂ ସ୍ଥାନୀୟ ପ୍ରଶାସନ ଦ୍ୱାରା ସର୍ଭେ କରାଯାଉଛି । ଯୋଶୀମଠର ୩୦ ପ୍ରତିଶତ ପ୍ରଭାବିତ ହୋଇଥିବା କୁହାଯାଉଛି ।