ଉତ୍ତରାଖଣ୍ଡ ତପୋବନରେ ୫୫ ଘଂଟାରୁ ଅଧିକ ସମୟ ଧରି ଜାରି ରହିଛି ଉଦ୍ଧାରକାର୍ଯ୍ୟ । ଏବେ ବି ଫସିଛନ୍ତି ୩୦ରୁ ଅଧିକ ଶ୍ରମିକ, ଶତାଧିକ ନିଖୋଜ ।

71

କନକ ବ୍ୟୁରୋ: ରବିବାର ଉତ୍ତରାଖଣ୍ଡ ହୋଇଥିବା ପ୍ରଳୟ ପରେ ଶତାଧିକ ଲୋକ ଏବେ ସୁଦ୍ଧା ନିଖୋଜ ଅଛନ୍ତି । ୫୫ ଘଂଟାରୁ ଅଧିକ ସମୟ ଧରି ଜାରି ରହିଛି ରେସକ୍ୟୁ ଅପରେସନ । ଦ୍ୱିତୀୟ ଟନେଲରୁ ଅବରୋଧ ହଟାଇ ଶ୍ରମିକମାନଙ୍କ ପାଖରେ ପହଂଚିବା ଏପର୍ଯ୍ୟନ୍ତ ସମ୍ଭବ ହୋଇନାହିଁ । ରବିବାର ଭୟାନକ ହିମସ୍ଖଳନକୁ ୫୫ ଘଂଟାରୁ ବି ଅଧିକ ସମୟ ବିତିଗଲାଣି । ତେଣୁ ମାଟିତଳେ କିମ୍ବା ସୁଡଙ୍ଗ ଭିତରେ ଫସିରହିଥିବା ଶ୍ରମିକ ମାନଙ୍କ ଅବସ୍ଥିତିକୁ ନେଇ ସନ୍ଦେହ ବଢିବାରେ ଲାଗିଛି ।

ଏମାନଙ୍କୁ ଖୋଜିବା ପାଇଁ ଲାଗିପଡିଛି ସେନା । ହେଲିକପ୍ଟର ସାହାଯ୍ୟରେ ଯୋଶୀମଠରୁ ନେଇ ଚମୋଲୀର ବିଭିନ୍ନ ସ୍ଥାନରେ ଲୋକଙ୍କୁ ଖୋଜା ଯାଉଛି । ଏବେ ସୁଦ୍ଧା ୩୩ଜଣଙ୍କ ଶବ ଉଦ୍ଧାର କରାଯାଇଥିବା ବେଳେ ୧୯୫ରୁ ଅଧିକ ଲୋକଙ୍କ ପତ୍ତା ମିଳୁନି । ଆଜି ତପୋବନ ନିକଟରୁ ଆଉ ୩ ଶବ ମିଳିଛି । ଏନେଇ ଉତ୍ତରାଖଣ୍ଡ ପୁଲିସ ଡିଜି ଅଶୋକ କୁମାର ସୂଚନା ଦେଇଛନ୍ତି ।

ଏସଡିଆରଏଫ, ଏନଡିଆରଏଫ, ଆଇଟିବିପି ଜବାନ ଗତ ୩ ଦିନ ହେବ ଏଠାରେ ଉଦ୍ଧାରକାର୍ଯ୍ୟ କରୁଛନ୍ତି । ମୃତ୍ୟୁର ସୁଡଙ୍ଗରେ ଜୀବନ ଆଶା ପାଇଁ  ଉଦ୍ଧାରକାରୀ ଟିମ ନିଜର ପ୍ରୟାସ ଜାରି ରଖିଛନ୍ତି । ଉଦ୍ଧାରକାରୀ ଟିମ ପ୍ରୋକଲିନ ମେସିନ ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ସାହାଯ୍ୟରେ ଟନେଲ ଭିତର ରାସ୍ତା ସଫେଇ କରୁଛନ୍ତି । ଡାକ୍ତରଖାନାରେ ପହଁଚି ଗୁରୁତରଙ୍କୁ ଭେଟିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ । ଆକାଶମାର୍ଗରୁ ଘଟଣାସ୍ଥଳର ସମୀକ୍ଷା ମଧ୍ୟ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଭାରତୀୟ ବାୟୁସେନା ଚମୋଲୀରେ ଉଦ୍ଧାରକାର୍ଯ୍ୟ ଜାରି ରଖିଛି ଓ ସ୍ଥିତି ଉପରେ ନଜର ରଖାଯାଇଛି । ଏମଆଇ ୧୭ ହେଲିକପ୍ଟର ସାହାଯ୍ୟରେ ଡେରାଡୁନର ଯୋଶୀମଠ ପର୍ଯ୍ୟନ୍ତ ଏନଡିଆରଏଫ ଟିମକୁ ଅଣାଯାଉଛି ।