କନକ ବ୍ୟୁରୋ : ଆଜି ନାଟକୀୟ ଢଙ୍ଗରେ ଗିରଫ ହୋଇଥିଲେ ରିପବ୍ଲିକ ଟିଭି ଓ ରିପବ୍ଲିକ ଭାରତର ଏଡିଟର ଇନ୍ ଚିଫ ଅର୍ଣ୍ଣବ ଗୋସ୍ୱାମୀ । ଅର୍ଣ୍ଣବ ପ୍ରତିବାଦ କରୁଥାନ୍ତି କିନ୍ତୁ କ୍ରାଇମବ୍ରାଂଚ ଟିମ୍ ଓ ସିଟି ପୁଲିସ ଟିମର ଅଧିକାରୀଙ୍କ ଠାରେ ଏହାର କୌଣସି ପ୍ରଭାବ ଦେଖିବାକୁ ମିଳୁନଥାଏ । ପୁଲିସ ଅର୍ଣ୍ଣବଙ୍କୁ କହୁଥିଲା ୨୦୧୮ ମସିହାରେ ଅନଭୟ ନାଏକ ଆତ୍ମହତ୍ୟା ମାମଲାରେ ସେମାନେ ଗିରଫ କରିିବାକୁ ଆସିଛନ୍ତି । ଏହାପରେ ଅର୍ଣ୍ଣବଙ୍କ ପ୍ରତିବାଦ ସତ୍ୱେ ତାଙ୍କୁ ଜୋରଜବରଦସ୍ତ ଉଠାଇ ନେଇ ପୁଲିସ ଭ୍ୟାନରେ ଥାନାକୁ ନିଆଯାଇଥିଲା ।

Advertisment

କାହିଁକି ଗିରଫ ହେଲେ ଅର୍ଣ୍ଣବ ଗୋସ୍ୱାମୀ ? କେଉଁ ଅଭିଯୋଗ ଆଧାରରେ ଗିରଫ କଲା ପୁଲିସ ? ୨୦୧୮ ମସିହାରେ ଆଲିବାଗର ୫୩ ବର୍ଷିୟ ଇଂଟେରିୟର ଡିଜାଇନର ଅନଭୟ ନାଏକ ଓ ତାଙ୍କ ମା’ ଆତ୍ମହତ୍ୟା କରିଥିଲେ । ଅନଭୟଙ୍କ ସୁଇସାଇଡ୍ ନୋଟରେ ଲେଖାଥିଲା, ଅର୍ଣ୍ଣବ ଗୋସ୍ୱାମୀଙ୍କ ନ୍ୟୁଜ ଚ୍ୟାନେଲର ଷ୍ଟୁଡିଓ କାମ ଓ ଅନ୍ୟ ଦୁଇ ମିଡିଆ ହାଉସର ଡିଜାଇନିଂ ବାବଦକୁ ପ୍ରାୟ ୫ଲକ୍ଷ ଟଙ୍କା ବକେୟା ପଡିରହିଛି । ଆର୍ଥିକ ସମସ୍ୟା ଯୋଗୁଁ ଅନଭୟ ଆତ୍ମହତ୍ୟା କରିଥିବା ସୁଇସାଇଡ ନୋଟରୁ ସ୍ପଷ୍ଟ ହୋଇଥିଲା । ଏନେଇ ୨୦୧୯ରେ ଆଲିବାଗ ପୁଲିସ ଏକ ମାମଲା ରୁଜୁ କରି, କିଛି ଦିନ ପରେ ଫାଇଲକୁ କ୍ଲୋଜ କରିଦେଇଥିଲା । ତେବେ ଅନଭୟଙ୍କ ଝିଅ, ମାମଲା ସମ୍ପର୍କରେ ମହାରାଷ୍ଟ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ସିଆଇଡି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ଗୃହମନ୍ତ୍ରୀ ।

ରିପବ୍ଲିକ ଟିଭି ସଂପାଦକଙ୍କୁ ଗିରଫ ପରେ ରାଜନେତାଙ୍କ ବାକ ଯୁଦ୍ଧ ଆରମ୍ଭ ହୋଇଯାଇଛି । ବିଜେପି ନେତା ଏହାକୁ ଗଣତନ୍ତ୍ର ପାଇଁ କଳା ଦାଗ କହୁଥିବା ବେଳେ ଉଦ୍ଧବ ସରକାର କହିଛନ୍ତି ଆଇନ ଉପରେ କେହି ନୁହଁନ୍ତି ।

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣାରେ ରିୟା ଚକ୍ରବର୍ତ୍ତୀଙ୍କୁ ଟାର୍ଗେଟ୍ କରି ଅର୍ଣ୍ଣବ ଗୋସ୍ୱାମୀ ବାରମ୍ବାର କହୁଥିଲେ ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବା ପଛରେ ରିୟା ଦାୟୀ । ଏବେ ଅନଭୟ ନାଏକଙ୍କ ଆତ୍ମହତ୍ୟା ଘଟଣାରେ ନିଜେ ଫସିଯାଇଛନ୍ତି ଅର୍ଣ୍ଣବ ।