ଟିଭି ରେଟିଙ୍ଗ୍ ହେରାଫେରି ମାମଲା । ମୁମ୍ବାଇ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ହାଜିର ହେଲେ ରିପବ୍ଲିକ ଟିଭିର ସିଇଓ । ପଚରା ଉଚରା ଜାରି

ହାଜିରା ଦେଲେ ରିପବ୍ଲିକ୍ ଟିଭିର ସିଇଓ

56

କନକ ବ୍ୟୁରୋ : ଟିଭି ରେଟିଙ୍ଗ ହେରାଫେରି ମାମଲାରେ ଆଜି (ରବିବାର) ମୁମ୍ବାଇ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ହାଜିର ହୋଇଛନ୍ତି ରିପବ୍ଲିକ୍ ଟିଭିର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ବିକାଶ ଖାନଚନ୍ଦାନୀ । ସେ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ପହଂଚିବା ପରେ କ୍ରାଇମବ୍ରାଞ୍ଚ ପୋଲିସ ତାଙ୍କୁ ପଚରା ଉଚରା କରିଛି । ଏହା ପୂର୍ବରୁ ମୁମ୍ବାଇ ପୋଲିସ ପଚରା ଉଚରା କରିବାକୁ ରିପବ୍ଲିକ୍ ଟିଭିର ସିଇଓଙ୍କୁ ନୋଟିସ୍ କରିଥିଲା । ଅନ୍ୟପଟେ ରିପବ୍ଲିକ ଟିଭିର ସିଏଫଓ ଶିବ ସୁବ୍ରମଣ୍ୟଙ୍କୁ ନୋଟିସ କରାଯାଇଥିଲେ ବି ସେ ହାଜର ହେବାକୁ ଅଧିକ ସମୟ ମାଗିଥିବା ଜଣାପଡିଛି ।
ରିପବ୍ଲିକ୍ ଟିଭିର ମୁଖ୍ୟ ବିତ୍ତ ଅଧିକାରୀ ବା ସିଏଫଓ ଶିବ ସୁବ୍ରମଣ୍ୟ ଶନିବାର ଦିନ କହିଥିଲେ କି ୧୬ ଅକ୍ଟୋବର ଯାଏ ତାଙ୍କ ଆପଏଣ୍ଟମେଣ୍ଟ ପୂର୍ବରୁ ନିର୍ଦ୍ଧାରିତ ହୋଇସାରିଥିବାରୁ ତାଙ୍କୁ ଅନ୍ୟ କିଛି ତାରିଖ ଦେବାକୁ ସେ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କୁ କହିଥିଲେ । ଏହା ବ୍ୟତିତ ସେ ଏହି ମାମଲାକୁ ନେଇ ସୁପ୍ରିମକୋର୍ଟରେ ପହଂଚି ସାରିଥିବା ଜଣାପଡିଛି । ଏନେଇ ସେ ସୁପ୍ରିମକୋର୍ଟରେ ଅଭିଯୋଗ କରିବା ସହିତ କ୍ରାଇମବ୍ରାଞ୍ଚର ନୋଟିସକୁ ବି ଚ୍ୟାଲେଞ୍ଜ କରିଛନ୍ତି ।

ଗୁରୁବାର ଦିନ ମୁମ୍ବାଇ ପୋଲିସ ଏକ ସାମ୍ବାଦିକ ସମ୍ମିଳନୀ କରି କିଭଳି ଟିଭି ରେଟିଂରେ ହେରାଫେରି ହେଉଛି ତାହାର ଖୋଲାସା କରିଥିଲା । ଏଥିରେ ମୁଖ୍ୟତ ୩ ଟି ଟିଭି ଚ୍ୟାନେଲର ସଂପୃକ୍ତି ଥିବା କଥା କହିଥିଲା ମୁମ୍ବାଇ ପୋଲିସ । ଯେଉଁଥିରେ କି ରିପବ୍ଲିକ ଟିଭିର ନାମ ସାମିଲ ଥିଲା । ମୁମ୍ବାଇ ପୋଲିସ ଅଧିକାରୀ କହିଥିଲେ କି ଏହି ମାମଲାର ଯାଂଚ ବେଳେ କିଛି ରୋଚକ ତଥ୍ୟ ପଦାକୁ ଆସିଛି । ଯେମିତି କି କିଛି ଦର୍ଶକଙ୍କୁ ଏହି ଚ୍ୟାନେଲ ଦେଖିବାକୁ ଟଙ୍କା ଦିଆଯାଉଥିଲା । ଫଳରେ ରେଟିଂ ବଢୁଥିଲା ଓ ବିଜ୍ଞାପନରୁ ଅଧିକ ଆୟ ହେଉଥିଲା । ଏନେଇ ମୁମ୍ବାଇ ପୋଲିସ ଦାବି କରିଥିଲା କି ଏଭଳି ଅପରାଧ ପାଇଁ ପକ୍ସ ମରାଠୀ ଓ ବକ୍ସ ସିନେମା ଚ୍ୟାନେଲର ମାଲିକଙ୍କୁ ଗିରଫ୍ କରାଯାଇଛି ।