ଏଥର ସ୍ୱତନ୍ତ୍ର ଭାବେ ପାଳିତ ହେବ ଗଣତନ୍ତ୍ର ଦିବସ । ଉପସ୍ଥିତ ରହିବେ ନାହିଁ କୌଣସି ମୁଖ୍ୟ ଅତିଥି । ବିଦେଶୀ ଅତିଥିଙ୍କୁ ବି ଦିଆଯିବ ନାହିଁ ନିମନ୍ତ୍ରଣ ।

169

କନକ ବ୍ୟୁରୋ : ଏଥର ଗଣତନ୍ତ୍ର ଦିବସ ପ୍ୟାରେଡରେ କୌଣସି ବିଦେଶୀ ଅତିଥି ଯୋଗ ଦେବେ ନାହିଁ । ସରକାରଙ୍କ ତରଫୁରୁ ଏନେଇ ଅନ୍ୟ କୌଣସି ବିଦେଶୀ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ । ଏହା ପୂର୍ବରୁ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ବ୍ରିଟିସ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କୁ ନିମନ୍ତ୍ରଣ କରାଯାଇଥିଲା । ହେଲେ ଏବେ ବ୍ରିଟେନରେ କରୋନାର ନୂଆ ଷ୍ଟେନ୍ ଦେଖିବାକୁ ମିଳିବା ପରେ ଏହାକୁ ନଜରରେ ରଖି ସେ ଭାରତ ଗସ୍ତ ରଦ୍ଦ କରିଛନ୍ତି ।

ମଙ୍ଗଳବାର ଦିନ ବ୍ରିଟେନ ପ୍ରଶାସନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ଭାରତ ଗସ୍ତ ରଦ୍ଦ ନେଇ ସୂଚନା ଦେଇଛନ୍ତି । ଏହାସହ ବ୍ରିଟେନ ପ୍ରଶାସନ କହିଛି କି ମଙ୍ଗଳବାର ଦିନ ସକାଳେ ବୋରିସ୍ ଜନସନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କରି ସେ ଗଣତନ୍ତ୍ର ଦିବସରେ ଭାରତ ଆସିପାରିବେ ନାହିଁ ବୋଲି ଜଣାଇଛନ୍ତି । ୧୯୮୩ ମସିହାରେ ବ୍ରିଟିସ୍ ପ୍ରଧାନମନ୍ତ୍ରୀ ଜନ୍ ମେଜର ଭାରତର ଗଣତନ୍ତ୍ର ଦିବସ ପ୍ୟାରେଡ୍ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଯଦି ବୋରିସ୍ ଜନସନ ଏଥର ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥା’ନ୍ତେ ତାହେଲେ ଏହି ସମ୍ମାନ ପାଇବାରେ ସେ ଦ୍ୱିତୀୟ ବ୍ରିଟିସ୍ ପ୍ରଧାନମନ୍ତ୍ରୀ ଭାବେ ପରିଚିତ ହୋଇଥା’ନ୍ତେ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥାବାର୍ତ୍ତା ବେଳେ ବୋରିସ୍ ଜନସନ କହିଛନ୍ତି କି ବ୍ରିଟେନରେ ଯେଭଳି ଭାବେ ପୁଣି କରୋନାର ନୁଆ ଷ୍ଟେନ ଦେଖା ଦେଇଛି ଏହି ସମୟରେ ସେ ଦେଶଛାଡି ଯିବା ଅନୁଚିତ ହେବ । ଏବେ ସେ ଦେଶରେ ରହି କରୋନା ସଂକ୍ରମଣକୁ କିଭଳି ଭାବେ ରୋକାଯାଇ ପାରିବ ସେ ନେଇ ଧ୍ୟାନ କେନ୍ଦ୍ରିତ କରିବାର ଆବଶ୍ୟକ ରହିଛି ।

କହିରଖୁ କି ବ୍ରିଟେନରେ କରୋନାର ନୂଆ ଷ୍ଟେନ ଦେଖାଦେବା ପରେ ସଂକ୍ରମଣକୁ ରୋକିବାକୁ ପୁରା ବ୍ରିଟେନରେ ପୁଣିଥରେ ଲକ୍ ଡାଉନ୍ ଆରମ୍ଭ କରାଯାଇଛି । କୁହାଯାଉଛି କି କରୋନାର ଏହି ନୂଆ ଭୂତାଣୁ ପୁରୁଣା ଭୂତାଣୁ ଠାରୁ ଖୁବଶୀଘ୍ର ବ୍ୟାପୁଛି । ଏହାକୁ ନଜରରେ ରଖି ଅନେକ ଦେଶ ଯାତାୟତକୁ ନେଇ ବ୍ରିଟେନ ଉପରେ କଟକଣା ଜାରି କରିଛନ୍ତି । ମାତ୍ର କଟକଣା ପରେ ବି ଏବେ ପାଖା ପାଖି ୩୦ ଟି ଦେଶରେ ବ୍ରିଟେନ ଭାଇରସ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଭାରତରେ ବ୍ରିଟେନ ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୫୮ ରେ ପହଂଚିଲାଣି । ଚିହ୍ନଟ ହୋଇଥିବା ସମସ୍ତ ଲୋକ ବ୍ରିଟେନରୁ ଆସିଛନ୍ତି ଅଥବା ବ୍ରିଟେନରୁ ଆସିଥିବା ଯାତ୍ରୀ ମାନଙ୍କ ସଂଷ୍ପର୍ଶରେ ଆସିଛନ୍ତି । ଏସବୁକୁ ନଜରରେ ରଖି ଗଣତନ୍ତ୍ର ଦିବସ ପ୍ୟାରେଡରେ କୌଣସି ବିଦେଶୀ ଅତିଥି ବା ମୁଖ୍ୟ ଅତିଥିଙ୍କୁ ଦେଖିବାକୁ ମିଳିବ ନାହିଁ ।