କର୍ତ୍ତବ୍ୟପଥରେ ଉଡ଼ିଲା ତ୍ରିରଙ୍ଗା । ଭାରତର ଶୌର୍ଯ୍ୟ ଦେଖିଲା ସାରାବିଶ୍ୱ

60

କନକ ବ୍ୟୁରୋ : ୭୫ ତମ ଗଣତନ୍ତ୍ର ଦିବସ ଅବସରରେ ସାରାଦେଶ ଉତ୍ସବମୁଖର ହୋଇ ଉଠିଥିବା ବେଳେ ଦିଲ୍ଲୀ କର୍ତବ୍ୟପଥରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ରାଜସ୍ତରୀୟ ଉତ୍ସବରେ ଜାତୀୟ ପତାକା ଉତୋଳନ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ପୁରରୁ ପଲ୍ଲୀ ଯାଏଁ ଆଜି ଫରଫର ହୋଇ ଉଡିଛି ତ୍ରିରଙ୍ଗା ।

ରାଷ୍ଟ୍ରୀୟ ପରେଡ ଉତ୍ସବରେ ଦେଶର ପରାକ୍ରମ, ଶକ୍ତି ଓ ଶୌର୍ଯ୍ୟ ଦେଖିଛି ପୂରା ଦୁନିଆ । ଏଥର ଏହି ଉତ୍ସବ ହୋଇଛି ମହିଳା କେନ୍ଦ୍ରିକ । ଚଳିତ ବର୍ଷର ଥିମ୍ ହେଉଛି – ବିକଶିତ ଭାରତ ଓ ଭାରତ-ଲୋକତନ୍ତ୍ରର ଜନନୀ । ଏହି ଉତ୍ସବ ଆରମ୍ଭ ଥିଲା ବେଶ ଚିତାକର୍ଷକ । ଶଙ୍ଖ, ନାଗଡ଼ା ସହ ଭାରତୀୟ ବାଦ୍ୟଯନ୍ତ୍ର ବଜାଇ କର୍ତବ୍ୟପଥରେ ଶହେ ମହିଳା କଳାକାର ଆଗକୁ ବଢିବା ସହ ନାରୀଶକ୍ତିର ଝଲକ ଦେଖିବାକୁ ମିଳିଥିଲା । ଏହା ପରେ ଦେଖିବାକୁ ମିଳିଥିଲା ଜଳ, ସ୍ଥଳ, ଆକାଶରେ ଭାରତର ପରାକ୍ରମ । ମିଳିତ ପରେଡର ଅଭିବାଦନ ଗ୍ରହଣ କରିଥିଲେ ରାଷ୍ଟ୍ରପତି । ସାଧାରଣନ୍ତ୍ର ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାର୍କନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ତିନି ସେନାର ମୁଖ୍ୟ ଓ ମାନ୍ୟଗନ୍ୟ ବ୍ୟକ୍ତି ଉତ୍ସବରେ ସାମିଲ ହୋଇଥିଲେ ।

ଲେଫନାଂଟ ଜୋନରାଲ ଭବନୀଶ କୁମାର ପରେଡର ନେତୃତ୍ୱ ନେଉଥିବା ବେଳେ ଭାରତୀୟ ସେନାର ସର୍ବୋଚ୍ଚ ସମ୍ମାନ ପରମବୀର ଚକ୍ର ଓ ଅଶୋକ ଚକ୍ରରେ ସମ୍ମାନିତ ବୀର ଯବାନମାନେ ପରେଡ୍ରେ ସାମିଲ ହୋଇଥିଲେ । ସ୍ୱଦେଶର ଜ୍ାନକୌଶଳରେ ନିର୍ମିତ ଟ୍ୟାଙ୍କ ଟି-୯୦ ଭୀଷ୍ମ, ନାଗ ମିସାଇଲ୍, ଇନଫାଂଟ୍ରି କମ୍ବାଟ୍ ଭେହିକଲ୍, ପିନାକ, ଭୂପୃଷ୍ଠରୁ ଆକାଶକୁ ପ୍ରକ୍ଷେପଣ କରାଯାଉଥିବା ମିସାଇଲ ସିଷ୍ଟମ, ରାଡାର ସିଷ୍ଟମ ସ୍ୱାତୀ ପ୍ରଦର୍ଶିର୍ତ ହୋଇଥିଲା । ତିନି ସେନାର ବିଭିନ୍ନ ରେଜିମେଂଟ ପରେଡରେ ସାମିଲ ହୋଇଥିଲେ ।

ରାଫେଲ, ସୁଖୋଇ ଓ ଡାକୋଟା ଯେତେବେଳେ ଆକାଶରେ ଉଡ଼ାଣ ପ୍ରଦର୍ଶନ କରୁଥିଲେ, ସେତେବେଳେ କର୍ତବ୍ୟପଥରେ ଥିବା ସମସ୍ତଙ୍କ ଆଖି ଏହା ଉପରେ ଲାଖି ରହିଥିଲା ।

ଘଂଟା ପ୍ରତି ୯ ଶହ କିଲୋମିଟର ବେଗରେ ଘର୍ଘର ନାଦରେ ଉଡିଥିଲା ଯୁଦ୍ଧ ବିମାନ, ଏହା ସହ ବଢ଼ୁଥିଲା ଶତ୍ରୁରାଷ୍ଟ୍ରର ହୃଦକମ୍ପନ । ଆକାଶରେ କଳା କୌଶଳ ପ୍ରଦର୍ଶନ କରିଥିଲେ ଭାରତର ଦୁର୍ଦ୍ଧର୍ଷ ପାଇଲଟ । ରଫେଲର ମରୁତ, ସୁଖୋଇର ତ୍ରିଶୁଳ, ଡାକୋଟାର ତ୍ରିଭୂଜ ଆକାର ଦେଖଣାହାରୀଙ୍କୁ ଚକିତ କରି ଦେଇଥିଲା ।

ଓଡ଼ିଶା ସମେତ ୧୬ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଂଚଳ ଏବଂ ୯ଟି ମନ୍ତ୍ରାଳୟ ଓ ବିଭାଗର ୨୫ଟି ପ୍ରଜ୍ଞାପନ ମେଢ଼, ସମସ୍ତଙ୍କ ମନକୁ ଛୁଇଁ ଯାଇଥିଲା ।

ସଂସ୍କୃତି ମନ୍ତ୍ରାଳୟର ପ୍ରଜ୍ଞାପନ ମେଢ଼ରେ ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କୁ ସମ୍ବିଧାନ ପ୍ରଣେତା ବିଆର ଆମ୍ବେଦକର ଦେଶର ସମ୍ବିଧାନ ହସ୍ତାନ୍ତର କରୁଥିବା ଦୃଶ୍ୟ ପ୍ରଦର୍ଶିତ ହୋଇଥିଲା । ଚନ୍ଦ୍ରଯାନ-୩ ଓ ସୂର୍ଯ୍ୟମିସନ ସଫଳତାକୁ ପ୍ରଜ୍ଞାପନ ମେଢ଼ରେ ଦର୍ଶାଇଥିଲା ଇସ୍ରୋ । ସେହିପରି ଉତରପ୍ରଦେଶର ମେଢ଼ରେ ରହିଥିଲା ଅଧୋଧ୍ୟାର ରାମଲାଲାଙ୍କ ପ୍ରତିକୃତି ।

ପ୍ରଜ୍ଞାପନ ମେଢ଼ରେ ଦେଶର କଳା ସଂସ୍କୃତି, ବିଜ୍ଞାନ କାରିଗରୀ ଓ ସୈନ୍ୟଶକ୍ତି ଦେଖିଥିଲା ସାରା ଦୁନିଆ । ପରେଡ ଉତ୍ସବର ସମାପନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ଜନତାଙ୍କୁ ହାତ ହଲାଇ ଅଭିବାଦନ କରିଥିଲେ । ଭାରତ ମାତା କି ଜୟ ଧ୍ୱନିରେ କମ୍ପି ଉଠିଥିଲା ପରିବେଶ