ରାଜ୍ୟସ୍ତରୀୟ ପରେଡ ପାଇଁ ଉତ୍ସବ ମୁଖର ରାଜଧାନୀର ଗାନ୍ଧିମାର୍ଗ: ପତାକା ଉତ୍ତୋଳନ ସହ ମିଳିତ ପରେଡର ଅଭିବାଦନ ଗ୍ରହଣ କରିବେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ

ସୁରକ୍ଷା ପାଇଁ ୨୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ

117

କନକ ବ୍ୟୁରୋ: ଆଜି ସାଧାରଣତନ୍ତ୍ର ଦିବସ । ରାଜଧାନୀରେ ଆୟୋଜନ ହେବ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ । ଏଥର କୋଭିଡ କଟକଣା ଭିତରେ ହେବ ପରେଡ ଉତ୍ସବ । ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ୍ ପାଇଁ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପରେଡ୍ ସ୍ଥଳରେ ୨୫ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ । ତା ସହିତ କାଉଂଟର ଟେରରିଷ୍ଟ ସ୍କ୍ୱାଡ୍, ସ୍ପେଶାଲ ଟେକ୍ଟିକାଲ ୟୁନିଟ, ସ୍ୱତନ୍ତ୍ର ତାଲିମପ୍ରାପ୍ତ ଏସଓଜି ଯବାନ, ସାଦା ପୋଷାକଧାରୀ ପୁଲିସ, ସନ୍ଧାନୀ କୁକୁର, ବୋମା ନିଷ୍କ୍ରିୟକାରୀ ଦଳ, ରୁଫଟପ ସିକ୍ୟୁରିଟି, ସାର୍ପ ସୁଟର୍ ମୁତୟନ ରହିବେ ।

ପରେଡ଼ ସ୍ଥଳରେ ଚାରିପଟ ଓ ଆଖପାଖ ଅଂଚଳ ସିସିଟିଭି ନିୟନ୍ତ୍ରଣରେ ରହିବ । ପରେଡସ୍ଥଳ ନିକଟରେ ସିସିଟିଭି ନିୟନ୍ତ୍ରଣ କକ୍ଷ ସ୍ଥାପନ ହେବ । ସେହିପରି ଟ୍ରାଫିକ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରବିନ୍ଦ୍ର ମଣ୍ଡପ, ଆଇଜି ପାର୍କ ପଟୁ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ । ପରେଡସ୍ଥଳକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ସିଲ କରି ଦିଆଯିବ ।

ଅନ୍ୟପଟେ, ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସର ପରେଡରେ କେସିଙ୍ଗା ଏସଡିପିଓ ଆଇପିଏସ୍‌ ଏସ୍‌. ସୁଶ୍ରୀ ନେତୃତ୍ୱ ନେବେ। ପ୍ରଥମ ମହିଳା ଆଇପିଏସ୍‌ ଅଧିକାରୀ ଭାବେ ସେ ଏହି ପରେଡର ନେତୃତ୍ୱ ନେଉଥିବାରୁ ବେଶ୍‌ ଆନନ୍ଦିତ ଅଛନ୍ତି। କେସିଙ୍ଗା ଏସଡିପିଓ ଭାବେ ସେ କାର୍ୟ୍ୟ କରୁଥିବାରୁ କେସିଙ୍ଗା ଅଞ୍ଚଳବାସୀ ମଧ୍ୟ ନିଜକୁ ଗୌରବାନ୍ୱିତ ମନେ କରିଛନ୍ତି ଓ ତାଙ୍କୁ ଅଭିନନ୍ଦନ ଜଣେଇଛନ୍ତି। ୨୦୧୮ ବ୍ୟାଚର ଆଇପିଏସ୍‌ ଏସ୍‌. ସୁଶ୍ରୀ ଟ୍ରେନିଂ ପରେ ପ୍ରଥମ ପୋଷ୍ଟିଂ କେସିଙ୍ଗାରେ ପାଇଛନ୍ତି।