କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି, ଏବେ ନେତାଜୀଙ୍କ ଜନ୍ମଦିନରୁ ଆରମ୍ଭ ହେବ ଗଣତନ୍ତ୍ର ଦିବସ

3,628

କନକ ବ୍ୟୁରୋ : ବିଶେଷ କରି ଜାନୁଆରୀ ୨୬ ତାରିଖରେ ଦେଶରେ ଗଣତନ୍ତ୍ର ଦିବସ ପାଳନ କରାଯାଇଥାଏ । ହେଲେ କିଛିବର୍ଷ ହେବ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କ୍ରମେ ଜାନୁଆରୀ ୨୪ ତାରିଖରୁ ଗଣତନ୍ତ୍ର ଦିବସ ସମାରୋହ ପାଳନ କରାଯାଉଥିଲା । ଏବେ ପୁଣି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କ୍ରମେ ଏବେଠାରୁ ପ୍ରତିବର୍ଷ ଜାନୁଆରୀ ୨୩ ତାରିଖରୁ ଗଣତନ୍ତ୍ର ଦିବସ ପାଳନ ଆରମ୍ଭ କରାଯିବ । ଅର୍ଥାତ ଦେଶର ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁବାସ ବୋଷଙ୍କ ଜନ୍ମଦିନରୁ ଗଣତନ୍ତ୍ର ଦିବସ ପାଳନ କରାଯିବ ।

କହିରଖୁ କି ନେତାଜୀଙ୍କ ଜନ୍ମ ୧୮୯୭ ମସିହା ଜାନୁଆରୀ ୨୩ ତାରିଖରେ ଓଡିଶାର କଟକ ସହରରେ ହୋଇଥିଲା । ନେତାଜୀଙ୍କ ସମ୍ମାନ ଜଣାଇ ଚଳିତବର୍ଷ ଠାରୁ ତାଙ୍କ ଜନ୍ମଦିନରୁ ଗଣତନ୍ତ୍ର ଦିବସ ପାଳନ କରାଯିବା ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ସୂଚନା ଥାଉକି ୧୯୫୦ ମସିହା ଠାରୁ ପ୍ରତିବର୍ଷ ରାଜଧାନୀ ଦିଲ୍ଲୀରେ ଗଣତନ୍ତ୍ର ଦିବସ ପାଇଁ ଏକ ସ୍ୱତନ୍ତ୍ର ସମାରୋହ ହୋଇଥାଏ । ଏହିଦିନ ଦେଶର ରାଷ୍ଟ୍ରପତି ଜାତୀୟ ପତାକା ଉର୍ତ୍ତୋଳନ କରିଥାନ୍ତି । ଏହି ଅବସରରେ ଭାରତୀୟ ସେନା ନିଜର ପରାକ୍ରମ ବି ପ୍ରଦର୍ଶନ କରିଥାଏ । ଅନ୍ୟପଟେ ଦେଶର ବିଭିନ୍ନ ରାଜ୍ୟରୁ କଳାକାର ମାନେ ରାଜ୍ୟର କଳା ଓ ସଂସ୍କୃତିକୁ ନେଇ ସେମାନଙ୍କର କଳା ପ୍ରଦର୍ଶନ କରିଥାନ୍ତି । ଏଥିରେ ଦେଶର ବିବିଧତାର ଝଲକ ଦେଖିବାକୁ ମିଳିଥାଏ । ଏହି ସମାରୋହରେ ପାଖା ପାଖି ୨ ଲକ୍ଷ ଲୋକ ଉପସ୍ଥିତ ହୋଇଥାନ୍ତି । ହେଲେ କରୋନା ମହାମାରୀ ପାଇଁ ପୂର୍ବ ବର୍ଷ ମାତ୍ର ୪୫୦୦ ଲୋକଙ୍କୁ ନେଇ ଏହି ସମାରୋହ ଦେଖିବାକୁ ଟିକେଟ ମିଳିଥିଲା ।

ଏହି ସମାରୋହରେ ଭାଗ ନେବାକୁ ଥିବା ପ୍ରତିଯୋଗୀମାନେ ଅଗଷ୍ଟ ମାସରୁ ସେମାନଙ୍କର ପ୍ରସ୍ତୁତି ଆରମ୍ଭ କରିଦେଇଥାନ୍ତି । ଏନେଇ ପ୍ରତି ପ୍ରତିଯୋଗୀ ଜାନୁଆରୀ ୨୬ ତାରିଖର ୬୦୦ ଘଂଟା ପୂର୍ବରୁ ଲାଲକିଲ୍ଲାରେ ପହଂଚିବା ବାଧ୍ୟତାମୂଳକ କରାଯାଇଛି । ଏନେଇ ଇଣ୍ଡିଆ ଗେଟ୍ ସାମ୍ନାରେ ଏକ କ୍ୟାମ୍ପର ବ୍ୟବସ୍ଥା କରାଯାଇଥାଏ ।