ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ: ଦିଲ୍ଲୀ ରାଜପଥରେ ପତାକା ଉଡାଇଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ; ବିଶ୍ୱ ଦେଖିଲା ଭାରତୀୟ ସେନାର ଶକ୍ତିର ଝଲକ

90

କନକ ବ୍ୟୁରୋ: ଦିଲ୍ଲୀ ଜନପଥରେ ପତାକା ଉତ୍ତୋଳନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପତାକା ଉତ୍ତୋଳନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ରହିଥିଲେ । ଜାତୀୟ ପତାକା ଉତ୍ତୋଳନ କରିବା ପରେ ଆରମ୍ଭ ହୋଇଥିଲା ପରେଡ କାର୍ଯ୍ୟକ୍ରମ । କୋଭିଡ କଟକଣା ଭିତରେ ପାଳିତ ହେଉଥିବା ୭୨ତମ ସାଧାରଣତନ୍ତ୍ର ଦିବସରେ ବିଭିନ୍ନ କାରଣରୁ ସ୍ୱତନ୍ତ୍ର ରହିଛି । କରୋନା ମହାମାରୀ ଯୋଗୁଁ ଜନପଥରେ ହେଉଥିବା ସମାରୋହ ସମୟକୁ କମ କରାଯାଇଛି । ଏହାଛଡା ଗଣତନ୍ତ୍ର ଦିବସ ପରେଡ ରୁଟକୁ ଛୋଟ କରାଯାଇଛି । ଚଳିତ ବର୍ଷ ବିଜୟ ଚୌକରୁ ପରେଡ ଆରମ୍ଭ ହୋଇ ନେସନାଲ ଷ୍ଟାଡିୟମ ଯାଏଁ ଯାଇଛି ।

ଚଳିତ ବର୍ଷ ପ୍ରଥମ ଥର ପାଇଁ ପରେଡରେ ସାମିଲ ହୋଇଛି ରାଫେଲ ଲଢୁଆ ବିମାନ । ସେହିପରି ଟି-୯୦ ଭିଷ୍ମ ଟ୍ୟାଙ୍କ, ବ୍ରହ୍ମୋସ ମିଶାଇଲ, ପିନାକ ମଲଟି ଲଂଚର ରକେଟ, ସୁଖୋଇ ଏମ ଥାର୍ଟି ଲଢୁଆ ବିମାନକୁ ନେଇ ଶକ୍ତି ପ୍ରଦର୍ଶନ କରିଛି ସେନା । ପ୍ରଥମ ଥର ପାଇଁ ବାଂଲାଦେଶର ୧୨୨ ସଦସ୍ୟ ବିଶିଷ୍ଟ ସେନା ମଧ୍ୟ ଏଥର ପରେଡରେ ସାମିଲ ହୋଇଛନ୍ତି । ଚଳିତ ବର୍ଷ ପରେଡ ଉତ୍ସବ ପରେ ୧୭ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ପ୍ରଜ୍ଞାପନ ମେଢ, ପ୍ରତିରକ୍ଷା ମନ୍ତ୍ରାଳୟର ୬, ଅନ୍ୟ ମନ୍ତ୍ରାଳୟ ଓ ଅର୍ଦ୍ଧ ସୈନିକ ବଳର ୯ ସହ ମୋଟ ୩୨ଟି ପ୍ରଜ୍ଞାପନ ମେଢରେ ଦେଶର ସମୃଦ୍ଧ ସାଂସ୍କୃତିକ ପ୍ରତୀକ, ଆର୍ଥିକ ଉନ୍ନତି ଓ ସୈନ୍ୟ ଶକ୍ତି ପ୍ରଦର୍ଶିତ ହୋଇଛି ।