ଟିଭି ଚ୍ୟାନେଲ ମାନଙ୍କରେ ଟିଆରପି ଘୋଟାଲା । ରିପବ୍ଲିକ୍ ଚ୍ୟାନେଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିକାଶ ଖାନଚନ୍ଦାନୀ ମୁମ୍ବାଇରୁ ଗିରଫ୍

ରିପବ୍ଲିକ ସିଇଓ ମୁମ୍ବାଇରୁ ଗିରଫ୍ ।

304

କନକ ବ୍ୟୁରୋ : ଟିଆରପି ରେଟିଂ ଘୋଟାଲାରେ ରିପବ୍ଲିକ୍ ଚ୍ୟାନେଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିକାଶ ଖାନଚନ୍ଦାନୀକୁ ଗିରଫ୍ କରିଛି ମୁମ୍ବାଇ ପୋଲିସ । ଖାନଚନ୍ଦାନୀ ଘରେ ଥିବା ବେଳେ ମୁମ୍ବାଇ ପୋଲିସ ଆଜି ସକାଳୁ ତାଙ୍କୁ ଗିରଫ୍ କରିଛି । ଏହି ମାମଲାରେ ବର୍ତମାନ ପର୍ଯ୍ୟନ୍ତ ମୋଟ ୧୩ ଜଣ ଅଭିଯୁକ୍ତ ଗିରଫ୍ ହୋଇସାରିଲେଣି । ମୁମ୍ବାଇ ପୋଲିସ ଏହି ମାମଲାରେ ପ୍ରଥମେ ଅକ୍ଟୋବର ୬ ତାରିଖରେ ମାମଲା ଦାୟର କରିଥିଲା । ଏହାପରେ ହାଂସା ଗବେଷଣା ଅଧିକାରୀ ନିତୀନ ଦେବକରଙ୍କ ଅଭିଯୋଗ ଆସିବା ପରେ ପୋଲିସ ଅନୁସନ୍ଧାନ ଆରମ୍ଭ କରିଥିଲା । ପୋଲିସର କ୍ରାଇମ ଇଣ୍ଟେଲିଜେନ୍ସ ବିଭାଗ ତଥା କଥିତ ଟିଆରପି ଘୋଟାଲାର ଯାଂଚ କରୁଛି । ଏହି ସଂସ୍ଥା ଏହା ପୂର୍ବରୁ ରିପବ୍ଲିକ ଟିଭିର ବ୍ୟବସାୟ ଉପଦେଷ୍ଟାଙ୍କ ସହ ମୋଟ ୧୨ ଜଣଙ୍କୁ ଗିରଫ୍ କରିସାରିଥିଲା ।

ଏହି ମାମଲା ଗତମାସ ସାମ୍ନାକୁ ଆସିଥିଲା ଯେତେବେଳେ ହଂସା ରିସର୍ଚ ଗ୍ରୁପ ମାଧ୍ୟମରେ ପ୍ରସାରଣ ଦର୍ଶକ ଗବେଷଣା ପରିଷଦ ଅଭିଯୋଗ ଆଣିଥିଲେ । ଯେଉଁ ଅଭିଯୋଗରେ କୁହାଯାଇଥିଲା କି କିଛି ଟିଭି ଚ୍ୟାନେଲ ଟିଆରପିରେ ହେର ଫେର କରୁଛି । ଟିଆରପି ଡାଟା (କେତେ ଦର୍ଶକ କେଉଁ ଚ୍ୟାନେଲ ଦେଖୁଛନ୍ତି ଓ କେତେ ସମୟ ଦେଖୁଛନ୍ତି) ତାହା ପ୍ରମାଣ କରିବା ପାଇଁ ଏକ ମାପକ ଯନ୍ତ୍ର ଲଗାଇବାର ଦାୟିତ୍ୱ ହଂସାକୁ ଦିଆଯାଇଥିଲା । ହେଲେ ଏହା ପୂର୍ବରୁ ପୋଲିସର ସୂଚନା ମୁତାବକ ରେଟିଂ ହେରଫେର ମାମଲାରେ କିଛି ଦର୍ଶକ ସ୍ୱୀକାର କରିଥିଲେ କି ସେମାନଙ୍କୁ ରିପବ୍ଲିକ ଟିଭି ଦେଖିବା ପାଇଁ ଚ୍ୟାନେଲ ତରଫରୁ ଟଙ୍କା ଦିଆଯାଉଥିଲା । ଅନ୍ୟପଟେ ରିପବ୍ଲିକ ଟିଭି ଏହି ମାମଲାକୁ ଭିତ୍ତିହୀନ ବୋଲି କହିଥିଲା । ଏହାସହ ସ୍ଥାନୀୟ ଟିଭି ଚ୍ୟାନେଲ ଫକତ୍ ମରାଠୀ ଓ ବକ୍ସ ସିନେମା ଭଳି ଚ୍ୟାନେଲ ନାମରେ ବି ସମାନ ଅଭିଯୋଗ ଆସିଥିଲା । ଏହି ମାମଲାର ତଦନ୍ତ ଚାଲୁ ରହିଛି ।