କନକ ବ୍ୟୁରୋ : ୨୦୧୯ ମସିହା ଅଗଷ୍ଟ ୫ ତାରିଖରେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଚତୁର୍ଥ ଥର ପାଇଁ ବିଦେଶୀ ପ୍ରତିନିଧି ଦଳ ଏଠାରେ ପହଂଚିଛନ୍ତି । ଏଥର ଏହି ଦଳରେ ୨୪ ଟି ଦେଶର ରାଜନୈତିକ ପ୍ରତିନିଧି ରହିଛନ୍ତି । ମଧ୍ୟ-ପୂର୍ବ ଆଫ୍ରିକା ଓ ୟୁରୋପୀୟ ଦେଶରେ ପତିନିଧିଙ୍କୁ ଏହି ଦଳରେ ସାମିଲ କରାଯାଇଛି ।
କୁହାଯାଉଛି କି ୟୁରୋପୀୟ ସଂଘର ଏହି ପ୍ରତିିନିଧି ଦଳ ତଳ ସ୍ତରରୁ ଲୋକତନ୍ତ୍ରର ସ୍ଥିତି ପରଖିବାକୁ ଏଠାରେ ପହଂଚିଛନ୍ତି । ଏହି ପ୍ରତିନିଧି ଦଳ ଜିଲ୍ଲା ବିକାଶ ପରିଷଦ (ଡିଡିସି) ର ନବ ନିର୍ବାଚିତ ପ୍ରତିନିଧି, ପ୍ରମୁଖ ନାଗରିକ ଓ ପ୍ରଶାସନିକ ସଚିବ ମାନଙ୍କ ସହ ବୈଠକ କରିବେ । ହେଲେ ଏହାକୁ ନେଇ ବିରୋଧୀ ମାନେ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ବିରୋଧୀଦଳ ନେତା ମାନେ କହିଛନ୍ତି କି ସରକାର କାଶ୍ମୀର ମାମଲାକୁ ଆନ୍ତର୍ଜାତୀୟକରଣ କରିବାକୁ ଚେଷ୍ଟା ଚଳାଇଛନ୍ତି ।
୨୦୧୯ ଅଗଷ୍ଟ ୫ ତାରିଖରେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଅକ୍ଟୋବର ମାସରେ ୟୁରୋପୀୟ ଦେଶର ପ୍ରତିନିଧିଦଳ ସ୍ଥିତି ଅନୁଧ୍ୟାନ ପାଇଁ ପ୍ରଥମେ ଜମ୍ମୁ-କାଶ୍ମୀରରେ ପହଂଚିଥିଲେ । ଏହାପରେ ୨୦୨୦ ମସିହା ଜାନୁଆରୀ ୯ ତାରିଖରେ ୧୬ ବିଦେଶୀ ରାଜନୈତିକ ଦଳର ପ୍ରତିନିଧି ଜମ୍ମୁ-କାଶ୍ମୀର ଗସ୍ତରେ ଆସିଥିଲେ । ସେହିଭଳି ୨୦୨୦ ଫେବୃଆରୀ ମାସ ୧୨ ତାରିଖରେ ୨୫ ଜଣିଆ ପ୍ରତିନିଧି ଦଳ ଜାମ୍ମୁ-କାଶ୍ମୀର ଗସ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।