ଭାରତରେ କରୋନା ଟିକା ପ୍ରସ୍ତୁତି ବୁଲି ଦେଖିଲେ ବିଶ୍ୱର ୬୦ ଦେଶର ପ୍ରତିନିଧି । ହାଇଦ୍ରାବାଦ ଭାରତ ବାୟୋଟେକରେ ହେଲା ବୈଠକ 

159

କନକ ବ୍ୟୁରୋ : ଭାରତରେ କେମିତି ଚାଲିଛି କରୋନା ଟିକାର ପ୍ରସ୍ତୁତି କାମ । ସ୍ଥିତି ଦେଖିବାକୁ ଭାରତରେ ଆଜି ପହଁଚିଛନ୍ତି ସାରା ବିଶ୍ୱର ୬୪ ଦେଶର ରାଷ୍ଟ୍ରଦୂତ । ବିଶ୍ୱର ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଆଜି ହାଇଦ୍ରାବାଦରେ ପହଁଚି ଭାରତ ବାୟୋଟେକରେ ଟିକା ପ୍ରସ୍ତୁତି ଦେଖିଛନ୍ତି । ଏହି ଟିମ୍ ହାଇଦ୍ରାବାଦ୍ ସ୍ଥିତ ଭାରତ ବାୟୋଟେକ୍ ଆଣ୍ଡ୍ ବାୟୋଲଜିକାଲ୍ ଇ ବୁଲି ଦେଖିଛନ୍ତି ।

ଭାରତରେ କରୋନା ଟିକା ଉତ୍ପାଦନ କ୍ଷେତ୍ରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି ଭାରତ ବାୟୋଟେକ୍ । ବର୍ତମାନ ଭାରତରେ ପ୍ରାୟ ୬ଟି କରୋନା ଟିକାର ପ୍ରସ୍ତୁତି କାମ ଚାଲିଛି । ଭାରତ ବାୟୋଟେକ୍ କୋଭାକ୍ସିନ୍ ନାମକ କରୋନା ଟିକା ମଧ୍ୟ ପ୍ରସ୍ତୁତି କରୁଛି । ଏହାର ଏବେ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଚାଲିଛି । ଏହି ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଜିସିଜିଆଇକୁ ଅନୁମତି ମାଗିଛି ଭାରତ ବାୟୋଟେକ୍ । ଏପରି ସ୍ଥିତିରେ ୬୪ ଦେଶର ରାଷ୍ଟ୍ରଦୂତ ହାଇଦ୍ରାବାଦ ସ୍ଥିତ ଟିକା ପ୍ରସ୍ତୁତକାରୀ କମ୍ପାନୀରେ ଟିକା ପ୍ରସ୍ତୁତିର ସାକ୍ଷୀ ବନିବେ ।

ବର୍ତମାନ ଭାରତ ବିଶ୍ୱରେ ଫାର୍ମା ଟିକା ଉତ୍ପାଦନ କ୍ଷେତ୍ରରେ ଅଗ୍ରଣୀ ଦେଶ ମଧ୍ୟରେ ଆଗୁଆ ରହିଛି । କରୋନା ଟିକା ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଭାରତ ଏକ ବଡ ଭୂମିକା ନିଭାଇବ ବୋଲି କୁହାଯାଉଛି । ସେପଟେ ଦେଶରେ କରୋନା ଟିକାର ସଂରକ୍ଷଣ ନେଇ ୨୯ ହଜାର କୋଲ୍ଡ ଚେନ୍ ବ୍ୟବସ୍ଥା କରୁଛନ୍ତି ସରକାର । ଯେଉଁଥିରେ ୮୫ ହଜାର ୬୮୩ଟି ଉପକରଣରେ ଟିକାକୁ ରଖିବାକୁ ବ୍ୟବସ୍ଥା କରାଯାଉଛି ।

ପ୍ରଥମ ପର୍ଯ୍ୟାୟ ଟିକାକରଣରେ ପ୍ରାୟ ୩ କୋଟି ସ୍ୱାସ୍ଥ୍ୟ କର୍ମୀ ଓ ଏଦିଗରେ କାମ କରୁଥିବା ଆଗୁଆ ସ୍ୱେଛାସେବୀଙ୍କୁ ମଧ୍ୟ ପ୍ରସ୍ତୁତ କରାଯାଉଛି । ପ୍ରଥମ ଦଫାରେ ଭାରତ ସରକାର ପ୍ରାୟ ୩୦ କୋଟି ଲୋକଙ୍କ ନିକଟରେ ଟିକା ପହଁଚାଇବା ପାଇଁ ଡିଜିଟାଲ୍ ପ୍ଲାଟଫର୍ମ ମଧ୍ୟ ପ୍ରସ୍ତୁତ କରୁଛନ୍ତି । ଟିକାକରଣ ସହଜ କରିବାକୁ ଆଗୁଆ ଡାଟାବେସ୍ ମଧ୍ୟ ପ୍ରସ୍ତୁତ କଲେଣି ସରକାର । ଏସବୁର ବ୍ୟବସ୍ଥା ୬୪ ଦେଶର ପ୍ରତିନିଧି ମଧ୍ୟ ଦେଖିଛନ୍ତି । ସମସ୍ତ ବ୍ୟବସ୍ଥା ଦେଖିବା ପରେ ଭାରତରେ ଟିକା ପ୍ରସ୍ତୁତି ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ବିଭିନ୍ନ ଦେଶର ରାଷ୍ଟ୍ରଦୂତ ।