୨୦୧୪ ଅପେକ୍ଷା ୧୯ରେ ବଢିଛି ନେତାଙ୍କ କ୍ରିମିନାଲ୍ ରେକର୍ଡ। ଜାଣନ୍ତୁ ଏଥର ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ମଧ୍ୟରେ କେଉଁ ଦଳରେ ଅଛନ୍ତି କେତେ ଦାଗୀ ନେତା

116

କନକ ବ୍ୟୁରୋ: ରାଜ୍ୟରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ୍ ପଡୁଥିବା ବେଳେ ପ୍ରକାଶ ପାଇଛି ଓଡିଶାର ସମସ୍ତ ପର୍ଯ୍ୟାୟ ବା ୨୧ଟି ଲୋକସଭା ଏବଂ ୧୪୬ ବିଧାନସଭା ଆସନରୁ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ରିପୋର୍ଟ କାର୍ଡ । ନିର୍ବାଚନ ଉପରେ ନଜର ରଖୁଥିବା ସଂସ୍ଥା ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ (ଏଡିଆର) ଏବଂ ନ୍ୟାସନାଲ ଇଲେକ୍ସନ ଓ୍ଵାଚ ରାଜ୍ୟର ସମସ୍ତ ପର୍ଯ୍ୟାୟ ନିର୍ବାଚନରେ ଛିଡା ହୋଇଥିବା ପ୍ରାର୍ଥୀମାନଙ୍କ ସଂପର୍କରେ ଏକ ରିପୋର୍ଟ ପ୍ରକାଶ କରିଛି । ଏହି ରିପୋର୍ଟରେ ପ୍ରାର୍ଥୀମାନଙ୍କ ଅପରାଧିକ, ଆର୍ଥିକ, ଶିକ୍ଷାଗତ ଆଦି ପୃଷ୍ଠଭୂମି ଉପରେ ବିଶ୍ଳେଷଣ କରାଯାଇଛି ।

ପ୍ରକାଶ ପାଇଥିବା ଏଡିଆର ରିପୋର୍ଟରେ ଉଲ୍ଲେଖ ରହିଛି, ୨୦୧୪ ଅପେକ୍ଷା ୨୦୧୯ ନିର୍ବାଚନରେ ନେତାଙ୍କ ଅପରାଧୀକ ମାମଲା ବୃଦ୍ଧି ପାଇଛି । ତେବେ ଗତ ନିର୍ବାଚନରେ ନେତାଙ୍କ ନାଁରେ ୨୩ ପ୍ରତିଶତ ଅପରାଧିକ ମାମଲା ରହିଥିବା ବେଳେ ଚଳିତ ନିର୍ବାଚନରେ ଏହା ବଢି ୩୦ ପ୍ରତିଶତରେ ପହଂଚିଛି । ସେହିଭଳି ଅପରାଧ କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି ଭାରତୀୟ ଜନତା ପାର୍ଟି । ଅର୍ଥାତ୍ ବିଜେପିର ଅଧା ପ୍ରାର୍ଥୀଙ୍କ ନାଁରେ ରହିଛି ବିଭିନ୍ନ ଅପରାଧିକ ମାମଲା । ଏହି ଦଳର ୫୯ ପ୍ରତିଶତ ପ୍ରାର୍ଥୀଙ୍କ ନାଁରେ ରହିଛି ଅପରାଧିକ ମାମଲା । ସେହିଭଳି ଦ୍ୱିତୀୟ ସ୍ଥାନରେ ରହିଛି କଂଗ୍ରେସ । କଂଗ୍ରେସର ୪୬ ପ୍ରତିଶତ ପ୍ରାର୍ଥୀଙ୍କ ନାଁରେ ଅପରାଧୀକ ମାମଲା ରହିଥିବା ବେଳେ ବିଜେଡିରେ ୪୦ ପ୍ରତିଶତ ପ୍ରାର୍ଥୀଙ୍କ ନାଁରେ ରହିଛି ମାମଲା ।ତେବେ ୧୧୨୧ ପ୍ରାର୍ଥୀଙ୍କ ମଧ୍ୟରୁ ୩୩୨ ଜଣଙ୍କ ବିରୋଧରେ ରହିଛି ଅପରାଧିକ ମାମଲା । ଏଥିମଧ୍ୟରୁ ୭ ଜଣ ପ୍ରାର୍ଥୀ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ୯ ଜଣଙ୍କ ବିରୋଧରେ ରହିଛି ହତ୍ୟା ମାମଲା ଏବଂ ୬୩ ଜଣଙ୍କ ବିରୋଧରେ ରହିଛି ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ମାମଲା । ସେହିପରି ୧୭ ଜଣଙ୍କ ବିରୋଧରେ ରହିଛି ଅପହରଣ ମାମଲା ।

ଅନ୍ୟପକ୍ଷରେ, ସବୁଠୁ ଧନୀ ତାଲିକାରେ ଅଛନ୍ତି ବଡମ୍ବା କଂଗ୍ରେସ ବିଧାୟକ ପ୍ରାର୍ଥୀ ବବି ମହାନ୍ତି, ବିଜେଡି ସୁପ୍ରିମୋ ତଥା ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଓ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ପିସିସି ସଭାପତି ନିରଂଜନ ପଟ୍ଟନାୟକ । ନବୀନ ପଟ୍ଟନାୟକ ହିଞ୍ଜିଳି ଓ ବିଜେପୁର ଆସନରୁ ଲଢୁଥିବାବେଳେ ନିରଞ୍ଜନ ପଟ୍ଟନାୟକ ଦୁଇଟି ଆସନ ଭଣ୍ଡାରୀପୋଖରୀ ଓ ଘସିପୁରାରୁ ଲଢୁଛନ୍ତି । ସେହିଭଳି ରାଜ୍ୟର ସମସ୍ତ ପର୍ଯ୍ୟାୟରେ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ମଧ୍ୟରେ ବିଜେଡିରେ ରହିଛନ୍ତି ସର୍ବାଧିକ ଧନୀ ପ୍ରାର୍ଥୀ । ବିଜେଡିରେ ୬୬ ପ୍ରତିଶତ କୋଟିପତି ପ୍ରାର୍ଥୀ ରହିଥିବା ବେଳେ କଂଗ୍ରେସରେ ୫୩ ଏବଂ ବିଜେପିର ୫୨ ପ୍ରତିଶତ ପ୍ରାର୍ଥୀ ହେଉଛନ୍ତି କୋଟିପତି ।