କନକ ବ୍ୟୁରୋ: ଦେଶର ସର୍ବପୁରାତନ ଦଳ ରାଜ୍ୟ କଂଗ୍ରେସ ଏବେ ମୁରବୀବିହୀନ। ରାଜ୍ୟ କଂଗ୍ରେସକୁ ଏଇଆସିସି ଭଙ୍ଗ କରିବା ପରେ ଏବେ ପରବର୍ତ୍ତୀ ପିସିସି ସଭାପତି କିଏ ହେବେ, ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଏହାରି ଭିତରେ କିଛି ନେତା ଦିଲ୍ଲୀରେ ଡେରା ପକାଇଛନ୍ତି । ସଭାପତି ପଦ ପାଇଁ ନିଜ ନିଜ ସପକ୍ଷରେ ହାଇକମାଣ୍ଡଙ୍କ ନିକଟରେ ଲବି ମଧ୍ୟ କରୁଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ହାଇକମାଣ୍ଡ ଏଥର ଯୁବ ଚେହେରାଙ୍କୁ ସୁଯୋଗ ଦେଉଛି ନା ଅଭିଜ୍ଞତାଙ୍କୁ ଗୁରୁତ୍ୱ ଦେବ, ତା ଉପରେ ରହିଛି ନଜର । ସଭାପତି ରେସରେ ଅନେକ ନାଁ ସାମ୍ନାକୁ ଆସୁଛି । କଂଗ୍ରେସ ବିଧାୟକ ତାରା ବାହିନୀପତି, କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି । ସେପଟେ ଦିଲ୍ଲୀରୁ ଫେରିଥିବା ବରିଷ୍ଠ ନେତା ବିଜୟ ପଟ୍ଟନାୟକ କହିଛନ୍ତି ଯେ ଓଡ଼ିଶା ସ୍ୱାର୍ଥ ପାଇଁ ଯିଏ ଲଢ଼ିପାରୁଥିବ, ସରକାରରେ ଆସିବା ପାଇଁ ଯିଏ ସମ୍ପୂର୍ଣ ପ୍ରୟାସ କରିପାରୁଥିବ ସେଭଳି ଲୋକଙ୍କୁ ଏଆଇସିସି ପିସିସି ସଭାପତି ଭାବେ ନିଯୁକ୍ତ କରିବ।