କନକ ବ୍ୟୁରୋ : ନ୍ୟାୟ ଓ ସୁରକ୍ଷା ଦାବିରେ ରାସ୍ତାରେ ଡାକ୍ତର। ଉଭୟ ସରକାରୀ ଓ ବେସରକାରୀ ହସ୍ପିଟାଲରେ ରୋଗୀ ସେବା ପ୍ରଭାବିତ। ଯାହାର ପ୍ରଭାବ ଓଡ଼ିଶାରେ ଦେଖିବାକୁ ମିଳିଛି। ଆନ୍ଦୋଳନ କେବେ ଯାଏ ଚାଲିବ ଅସ୍ପଷ୍ଟ ରହିଛି। ହେଲେ ଓଡ଼ିଶାରେ ଡାକ୍ତର ସୁରକ୍ଷିତ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ।
ହସ୍ପିଟାଲରେ ରୋଗୀ, ରାସ୍ତାରେ ଡାକ୍ତର। ବଲାଙ୍ଗୀରରୁ ବାଲେଶ୍ୱର, ମାଲକାନଗିରିରୁ ମୟୂରଭଞ୍ଜ ସବୁଠି ନ୍ୟାୟ ଓ ନିଜର ସୁରକ୍ଷା ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଜୁନିୟର ଡାକ୍ତର। କୋଲକାତାର ୩୧ ବର୍ଷୀୟ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା, ଘଟଣାରେ ସବୁଠି ପ୍ରତିବାଦର ସ୍ୱର। ରାଜଧାନୀଠୁ ଆରମ୍ଭ କରି ବିଭିନ୍ନ ଜିଲ୍ଲାରେ ଥିବା ହସ୍ପିଟାଲରେ ଡାକ୍ତରମାନେ ନ୍ୟାୟ ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି। ଆଉ ରୋଗୀ ସେବା ବେଳେ ସୁରକ୍ଷା ଯୋଗାଇ ଦିଆଯିବାକୁ ଦାବି କରିଛନ୍ତି।
କେବଳ ଓଡ଼ିଶା ନୁହେଁ ସାରା ଭାରତରେ ଡାକ୍ତରଙ୍କ ସ୍ଲୋଗାନ ଶୁଭୁଛି। ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନର ୬ ହଜାରରୁ ଅଧିକ ସଦସ୍ୟ ରାଜ୍ୟବ୍ୟାପୀ ବିକ୍ଷୋଭରେ ସାମିଲ ହୋଇଥିବା ସୂଚନା ରହିଛି। ଫଳରେ ଉଭୟ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ବହି ର୍ବିଭାଗ, ଅପରେସନ ଥିଏଟର ସବୁଠି ସେବା ପ୍ରଭାବିତ। ଏହି ୨୪ ଘଂଟିଆ ହରତାଳ ରବିବାର ସକାଳ ୬ଟା ପର୍ଯ୍ୟନ୍ତ ଚାଲିବ। ଆଶ୍ୱସନାର କଥା ହେଲା ଜୁନିୟର ଡାକ୍ତର ଆନ୍ଦୋଳନରେ ବସିଥିବାରୁ ବରିଷ୍ଠ ଡାକ୍ତର ହସ୍ପିଟାଲରେ ରୋଗୀ ସେବାର ଦାୟିତ୍ୱ ନେଇଛନ୍ତି।
କୋଲକାତାର କଳା କାହାଣୀକୁ ନେଇ ଡାକ୍ତରଙ୍କ ଆଭିମୁଖ୍ୟ ଦିନକୁ ଦିନ ତୀବ୍ର ହେଉଛି। ଯାହା ରାଜ୍ୟ ତଥା ଦେଶର ସ୍ୱାସ୍ଥ୍ୟସେବାକୁ ପ୍ରଭାବିତ କରୁଛି। ତେଣୁ ଏହାକୁ ଦେଖି ରାଜ୍ୟ ସରକାର ମଧ୍ୟ ତତ୍ପରତା ଦେଖାଇଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ହରତାଳ ଉପରେ ସରକାରଙ୍କ ନଜର ରହିଛି । ପଶ୍ଚିମବଙ୍ଗରେ ଡାକ୍ତରଙ୍କୁ ସରକାର ସୁରକ୍ଷା ଯୋଗାଇ ଦେବାରେ ବିଫଳ। କିନ୍ତୁ ଓଡ଼ିଶାରେ ଡାକ୍ତରଙ୍କୁ ସୁରକ୍ଷା ଯୋଗାଇ ଦେବାଲାଗି ସରକାର ପ୍ରତିଶ୍ରୁତିବଦ୍ଧ।
ପ୍ରତିବାଦ ବଢୁଥିବା ଦେଖି କେନ୍ଦ୍ର ସରକାର ତତ୍ପରତା ଦେଖାଇଛନ୍ତି। ଏକ କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏଥିରେ ରାଜ୍ୟ ସରକାରର ପ୍ରତିନିଧି ସମସ୍ତ ଅଂଶୀଦାର ବି ରହିବେ। କିନ୍ତୁ କେନ୍ଦ୍ରର ଏହି ଆଶ୍ବସନାରୁ ଡାକ୍ତରମାନେ କେମିତି ଗ୍ରହଣ କରୁଛନ୍ତି ତାକୁ ଅପେକ୍ଷା।