ସ୍ତ୍ରୀ, ଶିଶୁପୁତ୍ରକୁ ହତ୍ୟା ପରେ ଆତ୍ମହତ୍ୟା କରିବା ଘଟଣା : କାହିଁକି ଏଭଳି ଚରମ ପଦକ୍ଷେପ ନେଲା ସ୍ୱାମୀ ?

153

କନକ ବ୍ୟୁରୋ : ଦାରିଦ୍ର୍ୟର ତାଡ଼ନା ଓ ଅର୍ଥାଭାବରୁ ସୃଷ୍ଟି ପାରିବାରିକ କଳହର କରୁଣ ପରିଣତି । ୧୦ ମାସର ଶିଶୁ ଓ ପତ୍ନୀକୁ ନିର୍ମମ ଭାବେ ହତ୍ୟା କରିବା ପରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଲା ସ୍ବାମୀ । ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ତଳପୁଟବଗଡ଼ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ବୁଧବାର ଆଲୋଡ଼ନ ସୃଷ୍ଟି କରିଛି ।

ମିଳିଥିବା ସୂଚନାନୁଯାୟୀ, ଛତ୍ରପୁର ବ୍ଲକ୍ ଟାଙ୍ଗଣାପଲ୍ଲୀ ପଞ୍ଚାୟତ ତଳପୁଟବଗଡ଼ ଗ୍ରାମର ଶୋଭା ପ୍ରଧାନଙ୍କ ଦୁଇପୁଅ ହେଉଛନ୍ତି ସୁଜନ ଓ ସଦାନନ୍ଦ। ଘରର ଉପରମହଲାରେ ସୁଜନ ପତ୍ନୀ ରୁନି ଓ ପୁଅ ରୁମେଶ ସହ ରହୁଥିବା ବେଳେ ତଳମହଲ‌ାରେ ସଦାନନ୍ଦ ଏବଂ ମାଆ ଶୋଭା ରହୁଥିଲେ । ସୁଜନ ୨ ବର୍ଷ ତଳେ ଚରଣ ପ୍ରଧାନଙ୍କ ଝିଅ ରୁନିଙ୍କୁ ବିବାହ କରିଥିବା ବେଳେ ଭାଗଚାଷୀ ଭାବେ କାମ କରୁଥିଲେ। କିନ୍ତୁ କରୋନା ଯୋଗୁଁ ସୁଜନଙ୍କ ଆର୍ଥିକ ସ୍ଥିତି ଦୋହଲିଯାଇଥିଲା । ହାତକରଜରେ ସେ ଡୁବିଯାଇ ମାନସିକ ଦୁଶ୍ଚିନ୍ତା ମଧ୍ୟରେ ଗତି କରୁଥିଲେ । ଏହାମଧ୍ୟରେ ରୁନି ଗର୍ଭବତୀ ହେବା ପରେ ମାଆ ଘରକୁ ଯାଇଥିଲେ । ପୁଅକୁ ୭ ମାସ ହୋଇଥିବା ବେଳେ ସ୍ବାମୀଙ୍କ ପାଖକୁ ତଳପୁଟବଗଡ଼ ଗ୍ରାମକୁ ଫେରିଥିଲେ । କିନ୍ତୁ ପୁଅ ଜନ୍ମ ସତ୍ତ୍ବେ ସୁଜନଙ୍କ ମନରେ ଖୁସି ନଥିଲା । ଏହାମଧ୍ୟରେ ସେ ପତ୍ନୀ ରୁନିଙ୍କୁ ୫ହଜାର ଟଙ୍କା ମାଆ ଘରୁ ଆଣିବା ଲାଗି ଚାପ ପକାଉଥିଲେ । ଏଥିପାଇଁ ଉଭୟଙ୍କ ମଧ୍ୟରେ ଅଶାନ୍ତି ଲାଗି ରହିଥିଲା । ଗତକାଲି ଉଭୟ ମିଶି କାଠ ଆଣିବାକୁ ଯାଇ ରାତିରେ ଖାଇ ପିଇ ଶୋଇଥିଲେ ।

ବୁଧବାର ସକାଳେ ମାଆ ଶୋଭା ଉପର ଘରକୁ ଯାଇ ରାସନକାର୍ଡ଼ରେ ଚାଉଳ ଆଣିବା ଲାଗି ଯିବାକୁ ସୁଜନଙ୍କୁ ଡାକିଥିଲେ । କିନ୍ତୁ କେହି ମଧ୍ୟ କବାଟ ଖୋଲି ନଥିଲେ କି, କାହାର ପାଟି ଶୁଭାଯାଇ ନଥିଲା । କିଛି ଅଘଟଣର ଆଶଙ୍କା କରି ମାଆ ଶୋଭା ପଡ଼ୋଶୀ ଏବଂ ବଡ଼ପୁଅ ସଦାନନ୍ଦଙ୍କୁ ଡାକିଥିଲେ। କବାଟ ଭାଙ୍ଗିଲା ପରେ ୩ ଜଣଙ୍କ ଶବ ଦେଖି ସମସ୍ତେ ହତବାକ୍ ପାଲଟିଯାଇଥିଲେ । ପତ୍ନୀ ରୁନିଙ୍କ ବେକକୁ ବ୍ଲେଡ଼୍‌ରେ କଟାଯାଇଥିବା ବେଳେ ୧୦ ମାସର ପୁଅ ରୁମେଶର ତଣ୍ଟି ଚିପାଯାଇଥିଲା । ସୁଜନ ବେକରେ ଦଉଡ଼ି ଦେଇ ଝୁଲି ପଡ଼ିଥିଲେ । ଉଭୟଙ୍କୁ ହତ୍ୟା କରିବା ପରେ ସୁଜନ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।